କେନ୍ଦୁଝର,୧୩।୩(ସ୍ବ.ପ୍ର.): ଇପିଏଫ୍ ପେନ୍ସନ୍ ଆସୋସିଏଶନ କେନ୍ଦୁଝର ଶାଖା ପକ୍ଷରୁ ୩ ଦଫା ଦାବିରେ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଟେଲିଫୋନ୍ ଭବନ ଛକରୁ ପେନସନ୍ଧାରୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସର୍ବନିମ୍ନ ୯ ହଜାର ଟଙ୍କା ପେନସନ ସହିତ ମହଙ୍ଗା ଭତ୍ତା ପ୍ରଦାନ, ସର୍ବୋଚ୍ଚ ନ୍ୟାୟାଳୟ ଆଧାରରେ ବର୍ଦ୍ଧିତ ପେନ୍ସନ୍ ପ୍ରଦାନ, ପେନ୍ସନ୍ଭୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଆଦି ଦାବି ନେଇ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ଜରିଥିଲେ। ସଂଘର ସଭାପତି ମକରଧ୍ୱଜ ନାୟକ, ଜିଲା ସମ୍ପାଦକ ରମେଶ ଚନ୍ଦ୍ର ଘଡ଼େଇ, ମହମ୍ମଦ ଆଝାର ଅନସାରୀ, ବିଧୂଭୂଷଣ ପଟ୍ଟନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିଲା। ସାଂପ୍ରତିକ ପରିସ୍ଥିତିରେ ଦରଦାମ୍ ବୃଦ୍ଧି ତଥା ବ୍ୟୟବହୁଳ ଚିକିତ୍ସା ଯୋଗୁ ଖର୍ଚ୍ଚ ବହୁ ଗୁଣା ବଢ଼ି ଯିବାରୁ ପେନ୍ସନ୍ଭୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ସେମାନଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଜୋର୍ଦାର ହେବ ବୋଲି ଚେତାବନୀ ଦେଇଛନ୍ତି।