Posted inଖେଳ

ଟି୨୦ ସିରିଜ ଅମୀମାଂସିତ

ବେଙ୍ଗାଲୁରୁ,୨୨।୯(ପି.ଟି.)- ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ଓ ଅଧିନାୟକ କ୍ୱିଣ୍ଟନ ଡିକକ୍‌ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତକୁ ୧୯ଟି ବଲ୍‌ ବାକିଥାଇ ୯ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟି୨୦ ସିରିଜ ୧-୧ ବ୍ୟବଧାନରେ ଅମୀମାଂସିତ ଭାବେ ଶେଷ ହୋଇଛି। ସ୍ଥାନୀୟ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମୁକାବିଲାରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୧୩୪ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ମାତ୍ର ଗୋଟିଏ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବାମହାତୀ ଦକ୍ଷିଣ ଆଫ୍ରକା ଦ୍ରୁତ ବୋଲର ବେଉରାନ ହେଣ୍ଡ୍ରିକ୍ସ ମାତ୍ର ୧୪ ରନ ଦେଇ ମୁଲ୍ୟବାନ ୨ ଉଇକେଟ ଅକ୍ତିଆର କରି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରଜରେ ସ୍ଥିର ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୩୫ ରନ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରକା ଜବରଦସ୍ତ ଆରମ୍ଭ କରିଥିଲା। ରିଜା ହେଣ୍ଡ୍ରିକ୍ସ ଓ ଅଧିନାୟକ କ୍ୱିଣ୍ଟନ ଡିକକ୍‌ ଓପନିଂ ଯୋଡିରେ ୬୧ ବଲରୁ ୭୬ ରନ ସଂଗ୍ରହ କରି ଦଳକୁ ଦମ୍‌ଦାର ଆରମ୍ଭ ପ୍ରଦାନ କରିଥିଲେ। ତେବେ ଓପନର ହେଣ୍ଡ୍ରିକ୍ସ ୨୬ ବଲରୁ ୪ ଚୌକା ସହ ୨୮ ରନକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ମିଡ୍‌ ଅନ୍‌ରେ କୋହଲିଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଦ୍ୱିତୀୟ ଉଇକେଟ୍‌ରେ ଡିକକ୍‌ ଓ ଟେମ୍ବା ବଭୁମା ୪୦ ବଲରୁ ଅପରାଜିତ ୬୪ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଡିକକ୍‌ ୫୨ଟି ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୫ ଛକା ସହ ୭୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ସେହିପରି ବଭୁମା ୨୩ ବଲରୁ ୨ ଚୌକା ଓ ୧ ଛକା ସହ ୨୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ହାର୍ଦ୍ଦିକ ଭାରତ ପାଇଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତ ନିୟମିତ ଅନ୍ତରରେ ଉଇକେଟ ହରାଇଥିଲା। ଫଳରେ ବଡ଼ ସ୍କୋର ହାସଲ କରିବାରେ ସଫଳ ହୋଇପାରି ନ ଥିଲା। ଅଭିଜ୍ଞ ଓପନର ଶିଖର ଧାଓ୍ବନ ସର୍ବାଧିକ ୩୬ ରନ କରି ଆଉଟ ହୋଇଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୧୯, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୧୪, ରବୀନ୍ଦ୍ର ଜାଡେଜା ୧୯ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ।
ତାରକା ଓପନର ରୋହିତ ଶର୍ମା ୯ ରନ କରି ବେଉରାନ ହେଣ୍ଡ୍ରିକ୍ସଙ୍କ ବଲ୍‌ରେ ରିଜା ହେଣ୍ଡ୍ରିକ୍ସଙ୍କୁ ସ୍ଲିପ୍‌ରେ କ୍ୟାଚ୍‌ ଦେଇ ପ୍ରଥମେ ଆଉଟ ହୋଇଥିଲେ। ଏହାପରେ ଅନ୍ୟତମ ଓପନର ଶିଖର ଧାଓ୍ବନ ତାବରେଜ ଶାମସିଙ୍କ ବଲକୁ ଏକ୍ସଟ୍ରା କଭର ଉପରେ ଦେଇ ମାରିବାକୁ ପ୍ରାୟାସ କରିଥିଲେ। ତେବେ ସେ ଟେମ୍ବା ବଭୁମାଙ୍କ ହାତରେ ଧରା ପଡିଥିଲେ। ଅଧିନାୟକ ବିରାଟ କୋହଲି ଏହି ମ୍ୟାଚରେ ନିରାଶ କରିଥିଲେ। ସେ ମାତ୍ର ୯ ରନ କରିଥିବା ବେଳେ କାଗିସୋ ରାବାଡ଼ାଙ୍କ ବଲକୁ ଲଙ୍ଗ୍‌ଅନ୍‌ ଉପରେ ଛକା ମାରିବାକୁ ଯାଇ ବାଉଣ୍ଡାରିର ଅତି ନିକଟରେ ଆଣ୍ଡିଲ ଫେଲୁକ୍ୱାୟୋଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବେପରୁଆ ଶଟ୍‌ ଖେଳିବା ନେଇ ବେଶ୍‌ ସମାଲୋଚିତ ହେଉଥିବା ପନ୍ତ ପୁଣି ସେହି ତ୍ରୁଟି ଦୋହରାଇଥିଲେ। ବିଜର୍ନ ଫର୍ଚ୍ୟୁନଙ୍କ ବଲ୍‌ରେ ବଡ଼ ଶଟ୍‌ ଖେଳିବାକୁ ଯାଇ ଲଙ୍ଗ୍‌ ଅଫ୍‌ରେ ସେ ଫେଲୁକ୍ୱୟୋଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୫ ରନ କରିଥିବା ବେଳେ ଶ୍ରେୟାସ ଆୟାର ଫର୍ଚ୍ୟୁନଙ୍କ ବଲ୍‌ରେ ଉଇକେଟକିପର କ୍ୱିଣ୍ଟନ ଡିକକ୍‌ ଦ୍ୱାରା ଷ୍ଟମ୍ପ୍‌ ଆଉଟ ହୋଇଥିଲେ। ଏହାପରେ ହାର୍ଦ୍ଦିକ ରାବାଡ଼ାଙ୍କ ବଲ୍‌ରେ ଲମ୍ବା ଶଟ୍‌ ଖେଳିବାକୁ ଯାଇ ଲଙ୍ଗ୍‌ଅନ୍‌ରେ ଡେଭିଡ ମିଲରଙ୍କୁ କ୍ୟାଚ୍‌ ଦେଇଥିଲେ। କ୍ରୁନାଲ ପାଣ୍ଡ୍ୟା ମାତ୍ର ୪ ରନ କରିଥିବା ବେଳେ ବେଉରାନ ହେଣ୍ଡ୍ରିକ୍ସଙ୍କ ବଲ୍‌ରେ ଉଇକେଟକିପର ଡିକକ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ୧୭ ବଲରୁ ଗୋଟିଏ ଚୌକା ଓ ଗୋଟିଏ ଛକା ସହ ୧୯ ରନ କରି ଜାଡେଜା ରାବାଡ଼ାଙ୍କ ଦ୍ୱାର କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଓ୍ବାଶିଂଟନ ସୁନ୍ଦର ୪ ରନ କରି ରନ୍‌ ଆଉଟ ହୋଇଥିବା ବେଳେ ଦୀପକ ଚହର ଓ ନବଦୀପ ସଇନି ବିନାସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ରାବାଡ଼ା ସର୍ବାଧିକ ୩, ଫର୍ଚ୍ୟୁନ ଓ ବେଉରାନ ହେଣ୍ଡ୍ରିକ୍ସ ୨ଟି ଲେଖାଏ, ଶାମସି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୩୪/୯
(ଧାଓ୍ବନ- ୩୬, ପନ୍ତ- ୧୯, ଜାଡେଜା- ୧୯, ହାର୍ଦ୍ଦିକ- ୧୪, ରାବାଡ଼ା- ୩/୩୯, ଫର୍ଚ୍ୟୁନ- ୨/ ୧୯, ଡେଣ୍ଡ୍ରିକ୍ସ- ୨/୧୪)।
ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧୪୦/୧
(ଡିକକ- ୭୯*, ହେଣ୍ଡ୍ରିକ୍ସ- ୨୮, ବଭୁମା- ୨୭*, ହାର୍ଦ୍ଦିକ- ୧/ ୨୩ )।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଆଇପିଏଲ୍‌ ପୂର୍ବରୁ ବିକ୍ରମ ରାଠୋର ରାଜସ୍ଥାନର ବ୍ୟାଟିଂ କୋଚ୍‌ ନିଯୁକ୍ତ: ଜାଣନ୍ତୁ ବିକ୍ରମ କିଏ…

ଜୟପୁର,୨୦ା୯: ରାଜସ୍ଥାନ ରୟାଲ୍ସ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବରୁ ପୂର୍ବତନ ଭାରତୀୟ ଓପନର ବିକ୍ରମ ରାଠୋରଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତି...

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri