ଭୁବନେଶ୍ୱର, ୨୧ା୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ଦିଲ୍ଲୀ ଭଳି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି। ନିୟମ ଅନୁସାରେ ଶନିବାର ୨୧ ତାରିଖ ଅର୍ଥାତ୍ ଅଯୁଗ୍ମ ତାରିଖ ଥିବାରୁ ଆଜି କେବଳ ଅଯୁଗ୍ମ ନମ୍ବର ଥିବା ଯାନବାହନ ଚଳାଚଳ କରୁଛି। ରାଜଧାନୀ ଭୁବନେଶ୍ୱର ସମେତ କଟକରେ ଅଯୁଗ୍ମ ନମ୍ବର ଥିବା ଅଟୋ ଏବଂ ଟ୍ୟାକ୍ସି ଚଳାଚଳ କରୁଛି। ତେବେ ଏହି ନିୟମ କେବଳ ଅଟୋ ଓ ଟ୍ୟାକ୍ସି ପାଇଁ ଲାଗୁ ହୋଇଛି। ବସ୍ ଓ ଟ୍ରକ୍ ଚଳାଚଳରେ ଏହା ଲାଗୁ କରାଯିବ ନାହିଁ। ଏ ନେଇ ଶନିବାର ଟ୍ରାଫିକ୍ ଡିସିପି ସାଗରିକା ନାଥ୍ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଆସନ୍ତାକାଲି ଅର୍ଥାତ୍ ରବିବାର ୨୨ ତାରିଖରେ କେବଳ ଯୁଗ୍ମ ନମ୍ବର ଥିବା ଯାନବାହନ ଚଳାଚଳ କରିବ। ଜନସାଧାରଣ ଏହାକୁ ସ୍ବତଃପ୍ରବୃତ୍ତ ଭାବେ ସମର୍ଥନ କରିବା ସହିତ ସରକାରଙ୍କ ପଦକ୍ଷେପକୁ ସମ୍ମାନ ଜଣାଇ ସ୍ବାଗତ କରିଛନ୍ତି। ତେବେ ଜରୁରିକାଳୀନ ସେବାରେ ନିୟୋଜିତ ଯାନବାହନଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି।