କରାଚୀ,୨୬।୭(ପିଟି)- ପାକିସ୍ତାନର ବାମହାତୀ ପେସର ମହମ୍ମଦ ଅମିର ଶୁକ୍ରବାର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୀମିତ ଓଭର ଫର୍ମାଟକୁ ଅଧିକ ଗୁରୁତ୍ୱ ଦେବା ଲାଗି ସେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟର ପାରମ୍ପରିକ ଫର୍ମାଟରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ। ହେଲେ ମୁଁ ଲମ୍ବା ଫର୍ମାଟରୁ ଦୂରେଇବାକୁ ନିଷ୍ପତ୍ତି ନେଇଛି। ଯଦ୍ଦ୍ବାରା ମୁଁ ଧଳା ବଲ କ୍ରିକେଟକୁ ଅଧିକ ଧ୍ୟାନ ଦେଇପାରିବି ବୋଲି ଅମିର କହିଛନ୍ତି। ପାକିସ୍ତାନକୁ ପ୍ରତିନିଧିତ୍ୱ କରିବା ମୋର ମୁଖ୍ୟ ଲକ୍ଷ୍ୟ ଥିଲା। ପରବର୍ତ୍ତୀ ଇଭେଣ୍ଟ ପାଇଁ ମୁଁ ସମ୍ପୂର୍ଣ୍ଣ ଫିଟ୍ ରହିବାକୁ ଚାହେଁ ବୋଲି ଅମିର କହିଛନ୍ତି। ନିକଟରେ ଏକ ସାକ୍ଷତକାରରେ ସେ କହିଥିଲେ, ମୁଁ ଜଣେ ମଣିଷ। ମେସିନ ନୁହେଁ। ୫ ବର୍ଷ ବାସନ୍ଦାଦେଶରୁ ଫେରିବା ପରେ ପାକିସ୍ତାନ କ୍ରିକେଟ ପାଇଁ କ୍ରମାଗତ ଖେଳିଆସୁଛି। ମୋ ନିଷ୍ପତ୍ତି ସମ୍ପର୍କରେ ଗତ ବର୍ଷ ମୁଖ୍ୟକୋଚ୍ ମିକି ଆର୍ଥରଙ୍କୁ ଜଣାଇଥିଲି। ମାତ୍ର ବିଶ୍ୱକପ୍ ପର୍ଯ୍ୟନ୍ତ ଜାରି ରଖିତ୍ବାକୁ ସେ ଚାହୁଁଥିଲେ। ଅମିର ଏପର୍ଯ୍ୟନ୍ତ ୩୬ ଟେଷ୍ଟରୁ ୧୧୯ ଉଇକେଟ ନେଇଥିବାବେଳେ ୫୯ ଦିନିକିଆ ଓ ୪୯ ଟି୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ତାଙ୍କ ପୂର୍ବରୁ ମହମ୍ମଦ ହାଫିଜ ଓ ସୋଏବ ମଲିକ ମଧ୍ୟ ଲମ୍ବା ଫର୍ମାଟରୁ ଦୂରେଇ ସାରିଛନ୍ତି।