ପରଜଙ୍ଗ, ୨୩।୯(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ରବିବାର ଭୋର୍ ୩ଟାରେ ଛାତିଥରା ଦୁର୍ଘଟଣା ଘଟିଛି। ଟ୍ରକ୍-ଟ୍ରେଲ ମୁହଁାମୁହଁି ଧକ୍କା ହୋଇଛି। ଦୁର୍ଘଟଣା ଏତେ ଜୋର୍ରେ ହୋଇଥିଲା ଯେ, ଉଭୟ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି। ଏଥିରେ ଦୁଇଜଣ ଡ୍ରାଇଭର ଆହତ ହୋଇଛନ୍ତି। ହେଲେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯିବା ପରେ ଉଭୟେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କ ପରିଚୟ ମିଳିପାରିନାହିଁ। ଅନ୍ୟପଟେ ଦୁର୍ଘଟଣା ଯୋଗୁ ଦୀର୍ଘ ୮ଘଣ୍ଟା ଧରି ରାସ୍ତା ଜାମ୍ ହୋଇଯାଇଥିଲା। ରାଜପଥର ଉଭୟ ପାର୍ଶ୍ୱରେ ହଜାର ହଜାର ଭାରିଯାନ ଅଟକି ରହିଥିଲା।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପାଲଲହଡ଼ା ପଟୁ ପିତିରି ଆଡ଼କୁ ଟ୍ରେଲର (ନଂ. ଏନଏଲ ୦୧ ଏଲ ୯୬୩୮) ଆସୁଥିଲା। ଡ୍ରାଇଭର ହଠାତ୍ ଗାଡ଼ିକୁ ଡାହାଣ ପାର୍ଶ୍ୱକୁ ଆଣି ଦେଇଥିଲେ। ଫଳରେ ସମ୍ମୁଖ ପାର୍ଶ୍ୱରୁ ଆସୁଥିବା ୧୦ ଚକିଆ ଟ୍ରକ୍ (ନଂ. ଓଆର ୦୪ ଏଫ ୬୦୭୬) ସହ ମୁହଁାମୁହିଁ ଧକ୍କା ହୋଇଥିଲା। ରାସ୍ତା ମଝିରେ ଦୁର୍ଘଟଣା ଘଟିଥିବାରୁ ଯାତାୟାତ ଠପ୍ ହୋଇଯାଇଥିଲା। ଫଳରେ ପୂର୍ବାହ୍ନ ୧୧ଟା ଯାଏ ରାସ୍ତାର ଦୁଇପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଭାରିଯାନ ଛିଡ଼ା ହୋଇ ରହିଥିଲେ। ୩ଘଣ୍ଟାର କସରତ ପରେ କ୍ରେନ୍ ସହାୟତାରେ ଗାଡ଼ି ଦୁଇଟିକୁ ହଟାଯିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ଥାନାଧିକାରୀ ବିଜୟ କୁମାର ହାଇବ୍ରୁ, ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ ସାହୁ, ଦଦରାଘାଟି ଫାଣ୍ଡି ଅଧିକାରୀ ସମରଜିତ ନାୟକ ସଦଳବଳ ପହଞ୍ଚତ୍ ରାସ୍ତା ଅବରୋଧ ହଟାଇବା ସହ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।