ଟ୍ରମ୍ପଙ୍କ ଗସ୍ତ

ଆକାର ପଟେଲ

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଭାରତ ଗସ୍ତରେ ଆସି ସୋମବାର ଓ ମଙ୍ଗଳବାର ଅହମଦାବାଦ, ଆଗ୍ରା ଓ ଦିଲ୍ଲୀ ଯିବେ। ସେ ୨୦ଟି ଦେଶ ବୁଲିଛନ୍ତି, ଯେଉଁଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ୟୁରୋପୀୟ ଦେଶ। ସେ ଫ୍ରାନ୍ସ ଚାରିଥର ଯାଇଛନ୍ତି। ସେ ବିକାଶଶୀଳ ଦେଶଗୁଡ଼ିକୁ ପସନ୍ଦ କରନ୍ତି ନାହିଁ, ଯାହାକୁ ସେ କୁହନ୍ତି ‘shit-hole country’ ଏବଂ ଭାରତ ସେଥିମଧ୍ୟରୁ ଅନ୍ୟତମ। ସେ ଆଫଗାନିସ୍ତାନ ଯାଇଛନ୍ତି, ମାତ୍ର କେବଳ ସେଠାରେ ଥିବା ଆମେରିକୀୟ ମିଲିଟାରୀ ବେସ୍‌ ଛଡ଼ା ଅନ୍ୟତ୍ର ଯାଇନାହାନ୍ତି। ତାଙ୍କର ଭାରତ ଗସ୍ତ ନିଶ୍ଚିତଭାବେ କୌତୂହଳଜନକ କାରଣ ତାଙ୍କର ଗୋଟିଏ ଦୋଷ ହେଉଛି ସେ ଅପ୍ରିୟ କଟୁକଥା କହିବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ। ମୋ ହିସାବ ଅନୁସାରେ ଆନୁଷ୍ଠାନିକଭାବେ ଭାରତ ଗସ୍ତ କରିବାରେ ସେ ହେଉଛନ୍ତି ଷଷ୍ଠ ଆମେରିକୀୟ ରାଷ୍ଟ୍ରପତି। ପ୍ରଥମ ହେଉଛନ୍ତି ଡ୍ବାଇଟ ଡି. ଆଇଜେନ୍‌ହାଓ୍ବାର, ଯେ କି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନାଧ୍ୟକ୍ଷ ଥିଲେ ଏବଂ ପରେ ରାଷ୍ଟ୍ରପତି ହୋଇଥିଲେ। ସେ ଭାରତରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଜମହଲ ଦର୍ଶନ କରିଥିଲେ ଏବଂ ପାର୍ଲାମେଣ୍ଟରେ ଉଦ୍‌ବୋଧନ ଦେଇଥିଲେ। ତା’ପରେ ଦିଲ୍ଲୀର ରାମଲୀଲା ମୈଦାନରେ ତାଙ୍କ ଭାଷଣ ଶୁଣିବା ପାଇଁ ୧୦ ଲକ୍ଷ ଲୋକ ଏକତ୍ରିତ ହୋଇଥିଲେ। ଭାରତ ଗସ୍ତ କରିଥିବା ଅନ୍ୟ ସମସ୍ତ ଆମେରିକୀୟ ରାଷ୍ଟ୍ରପତି ତାଙ୍କରି ପଦାଙ୍କ ଅନୁସରଣ କରିଆସିଛନ୍ତି। ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ଭାରତ ଗସ୍ତ ଅବସରରେ ପାର୍ଲାମେଣ୍ଟରେ ତାଙ୍କ ଭାଷଣ ଦେବା ବେଳର କଥା ମୋର ମନେଅଛି। ଭାଷଣ ସରିବା ପରେ ତାଙ୍କୁ ଦେଖାକରିବା ପାଇଁ ଜଣେ ଏମ୍‌ପି, ବୋଧହୁଏ ରାମଦାସ ଅଠାଓ୍ବାଲେ ଟେବୁଲ ଉପରେ ଚଢ଼ି ତାଙ୍କ ପାଖରେ ପହଞ୍ଚିଯାଇଥିଲେ। ଭାରତର ପରମାଣୁ ଉଚ୍ଚାଭିଳାଷ ଓ ପାକିସ୍ତାନ ସହ ଉତ୍ତେଜନାକୁ ନେଇ ସେତେବେଳେ କ୍ଲଣ୍ଟନ କିଛି କଡ଼ାଭାଷା ପ୍ରୟୋଗ କରିଥିଲେ। ତେବେ ସେତେବେଳେ ବାଜପେୟୀଙ୍କ ନେତୃତ୍ୱାଧୀନ ହିନ୍ଦୁତ୍ୱବାଦୀ ସରକାର ଚାଲିଥିବା ସତ୍ତ୍ୱେ ସବୁକିଛି ମୋଟାମୋଟି ଭଲରେ ସମାପ୍ତ ହୋଇଥିଲା। ଏହାପରେ କ୍ଲିଣ୍ଟନ ମଧ୍ୟ ପାକିସ୍ତାନକୁ ଅଳ୍ପ ସମୟ ପାଇଁ ଗସ୍ତ କରିଥିଲେ, ଯାହା ସେତେବେଳର ପରମ୍ପରା ଥିଲା, କାରଣ ତାହାଦ୍ୱାରା ସେମାନେ କିଛି ଖରାପ ଭାବିବେ ନାହିଁ। କିନ୍ତୁ ମନମୋହନ ସିଂ ସରକାର ଅମଳରେ ଜର୍ଜ ଡବ୍ଲ୍ୟୁ. ବୁଶ୍‌ଙ୍କ ଗସ୍ତ ସମୟରେ ଠିକ୍‌ ଓଲଟା ଘଟିଥିଲା। ତାହା ମଧ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଗସ୍ତ ଥିଲା କିନ୍ତୁ ବୁଶ୍‌ କ୍ଲିଣ୍ଟନଙ୍କ ପରି ଆକର୍ଷଣୀୟ ବ୍ୟକ୍ତିତ୍ୱର ଅଧିକାରୀ ନ ଥିବାରୁ ତାହା ଭାରତ ପାଇଁ ଆଣବିକ ଚୁକ୍ତି ଦୃଷ୍ଟିରୁ ସେତେ ଫଳପ୍ରଦ ନ ଥିଲା। ବାରାକ ଓବାମା ଦୁଇଥର ଭାରତ ଗସ୍ତରେ ଆସିଛନ୍ତି। ଥରେ ସେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିବା ସମୟରେ ଆସିଥିଲେ। ତା’ପରେ ମୋଦିଙ୍କ ସମୟରେ ଆସିଥିଲେ ଯେତେବେଳେ ମୋଦି ତାଙ୍କ ନାଁ ଲେଖାଥିବା ଏକ ସୁଟ୍‌ ପିନ୍ଧି ଓବାମାଙ୍କୁ ଚା ପରଷିଥିଲେ। ଓବାମା ଜଣେ ମଧ୍ୟବିତ୍ତ ଶ୍ରେଣୀର ମଣିଷ ଏବଂ ସେ ଯେଉଁ ଜୋତା ପିନ୍ଧନ୍ତି, ତାକୁ ଅନେକବାର ମରାମତି କରାଯାଇଥାଏ। ମୁଁ ଆଶ୍ଚର୍ଯ୍ୟ ହେଉଛି ଏପରି ସୁଟ୍‌ ପିନ୍ଧି ତାଙ୍କୁ ସ୍ବାଗତ କରିବା ବେଳେ ସେ କ’ଣ ଭାବିଥିବେ। ଓବାମା ଜଣେ ବୁଦ୍ଧିଜୀବୀ ଏବଂ ମନମୋହନଙ୍କୁ ତାଙ୍କ ଗୁରୁ ମାନନ୍ତି। ସେହି ଦୃଷ୍ଟିରୁ ଦେଖିଲେ ଟ୍ରମ୍ପ ଓ ମୋଦି ହେଉଛନ୍ତି ଅନୁରୂପ। ଉଭୟେ ରାଲିଗୁଡ଼ିକରେ ଉଦ୍‌ବୋଧନ ଦେବାକୁ ଭଲ ପାଆନ୍ତି, ଉଭୟେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଏବଂ ଉଭୟେ ହେଉଛନ୍ତି ଅହଂକାରୀ। ଉଭୟେ ହେଉଛନ୍ତି ଆପ୍ରବାସୀ-ବିରୋଧୀ। ଟ୍ରମ୍ପ କେତେକ ଦେଶର ମୁସଲମାନଙ୍କୁ ତାଙ୍କ ଦେଶରେ ପ୍ରବେଶ କରିବାକୁ ବାରଣ କରିଥିବା ବେଳେ ମୋଦି ନାଗରିକ ସଂଶୋଧନ ଆଇନରେ ଆପ୍ରବାସୀ ମୁସଲମାନଙ୍କୁ ବାଦ୍‌ ଦେଇଛନ୍ତି। ଟ୍ରମ୍ପଙ୍କ ଭାରତ ଆଗମନର ସେମିତି କିଛି ବିଶେଷ ଉଦ୍ଦେଶ୍ୟ ନାହିଁ। ଏବେ ସାଧାରଣତନ୍ତ୍ର ଦିବସ ନାହିଁ ଯେ, ସେଥିରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯିବାର ସୁଯୋଗ ଥାନ୍ତା। ସେ ଅହମଦାବାଦରେ ମୋଦିଙ୍କ ସହ ଏକ ରାଲିରେ ଉଦ୍‌ବୋଧନ ଦେବେ, ତାଜମହଲ ଦର୍ଶନ କରିବେ ଏବଂ ତା’ପରେ ଫେରିଯିବେ। କୌଣସି ବାଣିଜି୍ୟକ ଚୁକ୍ତି ବି ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ନାହିଁ। ଟ୍ରମ୍ପ ଚାହାନ୍ତି ଆମେରିକାର ଚାଷୀମାନଙ୍କ ପାଇଁ ଭାରତର ବଜାର ଖୋଲି ଦିଆଯାଉ, ଯେଉଁଥିରେ ରାଜିହେବା ମୋଦିଙ୍କ ପାଇଁ କଷ୍ଟକର। ମୋଦି ଆମେରିକୀୟ ଦ୍ରବ୍ୟଗୁଡ଼ିକ ପାଇଁ ଆମଦାନୀ ଶୁଳ୍କ ବୃଦ୍ଧି କରି ବାଣିଜ୍ୟ କାରବାରକୁ ଅଧିକ ଜଟିଳ କରିଦେଇଛନ୍ତି। ଭାରତ ଚାହେଁ ପୋଷାକ ପ୍ରଭୃତି ରପ୍ତାନି କ୍ଷେତ୍ରରେ ଆମେରିକା ଭାରତକୁ ଅଗ୍ରାଧିକାର ଦେଉ, କିନ୍ତୁ ତାହା ହେବାର ନାହିଁ। ନିକଟରେ ବାଣିଜ୍ୟ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ପାଉଥିବା ଦେଶ ତାଲିକାରୁ ଆମେରିକା ଭାରତକୁ ବାଦ୍‌ ଦେଇଛି। ଆମେ ଚାହୁଁଛୁ ଆମକୁ ଏକ ବିଶ୍ୱଶକ୍ତି ଭାବେ ବିଶ୍ୱ ଦେଖୁ, କିନ୍ତୁ ଆମେ ତାହା ନୁହଁ।
ବାଙ୍ଗାଲୋରରେ ଥିବା ଭାରତୀୟ କମ୍ପାନୀଗୁଡ଼ିକ ଚାହାନ୍ତି ଆମେରିକା ଭିଜା ବ୍ୟବସ୍ଥା କୋହଳ କରୁ। କିନ୍ତୁ ତାହା ବି ହେବାର ନାହିଁ କାରଣ ଟ୍ରମ୍ପ ହେଉଛନ୍ତି ଆପ୍ରବାସନ-ବିରୋଧୀ ଏବଂ ବିଶେଷତଃ କଳା ଲୋକମାନଙ୍କୁ ସେ ପସନ୍ଦ କରନ୍ତି ନାହିଁ। ତେଣୁ ଟ୍ରମ୍ପଙ୍କ ଗସ୍ତର ଅନ୍ତିମ ଫଳାଫଳ କ’ଣ ମିଳିବ? ଏହା କେତେକଙ୍କ ପାଇଁ ଆମୋଦକର ହୋଇପାରେ। ଟ୍ରମ୍ପଙ୍କର ଭାରତ ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ନାହିଁ ଏବଂ ଭାରତ ବିଷୟରେ ସେ ବେଶି କିଛି ଜାଣନ୍ତି ନାହିଁ। ଆସନ୍ତା ବର୍ଷକୁ ସେ ଆମେରିକାର ରାଷ୍ଟ୍ରପତି ଥିବେ କି ନାହିଁ ସନ୍ଦେହଜନକ, କାରଣ ଆସନ୍ତା ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ସେତେବେଳେ ଜଣେ ଡେମୋକ୍ରାଟ ରାଷ୍ଟ୍ରପତି ହୋଇପାରନ୍ତି। ଏବେ ଟ୍ରମ୍ପଙ୍କ ଗସ୍ତ ପାଇଁ ଯେଉଁ ଖର୍ଚ୍ଚ କରାଯାଉଛି, ସେତେବେଳେ ତାହାର କିଛି ମୂଲ୍ୟ ରହିବ ନାହିଁ। ଜଣେ ଡେମୋକ୍ରାଟ କଶ୍ମୀର, ସିଏଏ ଓ ଏନ୍‌ଆର୍‌ସି ଉପରେ ପ୍ରଶ୍ନ କରିପାରନ୍ତି। ତେବେ ମୋଦି ଏତିକି କରିପାରନ୍ତି, ଆମେରିକାରେ ଥିବା ଭାରତୀୟମାନଙ୍କୁ ଟ୍ରମ୍ପଙ୍କୁ ଭୋଟ ଦେଇ ଜିତାଇବା ପାଇଁ ଉତ୍ସାହିତ କରିପାରନ୍ତି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri