ନୂଆଦିଲ୍ଲୀ,୧୬।୧୧(ପି.ଟି.)- ସିନିୟର ସାମ୍ବାଦିକ ରଜତ ଶର୍ମା ଶନିବାର ଦିଲ୍ଲୀ ଡିଷ୍ଟ୍ରକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ)ର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଆସୋସିଏଶନ ମଧ୍ୟର ଚାପ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ୨୦ ମାସର କାର୍ଯ୍ୟକାଳରେ ସେ ବହୁ ଉତ୍ଥାନ ପତନ ଦେଇ ଗତି କରିଛନ୍ତି। ତାଙ୍କର ସାଧାରଣ ସମ୍ପାଦକ ବିନୋଦ ତିହାରାଙ୍କ ସହ ମତଭେଦ ଥିଲା, ଯାହାଙ୍କୁ ଆସୋସିଏଶନର ସମ୍ପୂର୍ଣ୍ଣ ସମର୍ଥନ ରହିଥିଲା। ଏଠାରେ ସର୍ବଦା ଟଣାଓଟାର ଓ ଭିତରି ଚାପ ରହିଛି। କ୍ରିକେଟ ସ୍ବାର୍ଥ ବିରୋଧରେ କାର୍ଯ୍ୟ ହେଉଥିବା ମୁଁ ଅନୁଭବ କରୁଛି। ମୋ ସ୍ବଚ୍ଛତା, ସତ୍ଭାବନା ଓ ବିଶ୍ୱସ୍ତ ଭଳି ନିୟମରେ ରହି କାର୍ଯ୍ୟ କରିବା ସମ୍ଭବ ପର ମଣୁ ନୁହେଁ। ମୋ ନିୟମ ସହ କୌଣସି ମୂଲ୍ୟରେ ବୁଝାମଣା କରିବାକୁ କଦାପି ରାଜି ନୁହେଁ ବୋଲି ସାମ୍ବାଦିକରୁ କ୍ରିକେଟ ପ୍ରଶାସକ ହୋଇଥିବା ରଜତ କହିଛନ୍ତି। ଉଲ୍ଲେଖଥାଉ କି, ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସମ୍ପୂର୍ଣ୍ଣ ସମର୍ଥନ ପରେ ଶର୍ମା କ୍ରିକେଟ ପ୍ରଶାସନରେ ଯୋଗ ଦେଇଥିଲେ। ଡିଡିସିଏ କର୍ମକର୍ତ୍ତଙ୍କ ମତ ଅନୁଯାୟୀ, ଜେଟଲିଙ୍କ ମୃତ୍ୟୁ ପରେ ବିଭିନ୍ନ ବିଭାଗରୁ ଶର୍ମାଙ୍କ ଉପରେ ଚାପ ପକାଯାଇଥିଲା। କ୍ରିକେଟର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବାବେଳେ ମୁଁ ବାଧା, ବିରୋଧୀ ଓ ଅତ୍ୟାଚାର ସମ୍ମୁଖୀନ ହୋଇଛି। ମୋ ଦାୟିତ୍ୱ ଦୂରେଇ ରଖିବା ପାଇଁ ଏଭଳି କରାଯାଉଥିଲା। ଏଥିନେଇ ମୁଁ ଡିଡିସିଏ ସଭାପତି ପଦରୁ ଇସ୍ତାଫ ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।