ମେଲବୋର୍ନ, ୨୮ା୫(ପି.ଟି.)- ଭାରତ ବିପକ୍ଷ ଟେଷ୍ଟ ସିରିଜ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ ୪ଟି ଭେନ୍ୟୁ ଚୂଡ଼ାନ୍ତ କରିଛି। ପ୍ରଥମ ଟେଷ୍ଟ ଡିସେମ୍ବର ୩ରେ ବ୍ରିସବେନଠାରେ ହେବା ଏକପ୍ରକାର ନିଶ୍ଚିତ ହୋଇଛି ବୋଲି ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ। ଅଷ୍ଟ୍ରେଲିଆର ୨ଟି ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍ସ ଅନୁଷ୍ଠାନିକଭାବେ ଶୁକ୍ରବାର ଏ ସମ୍ପର୍କରେ ଘୋଷଣା କରିବେ। ଭ୍ରମଣକାରୀ ଦଳର ଖେଳାଳିଙ୍କ ପାଇଁ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ରହିବନାହିଁ। ଏହି ରିପୋର୍ଟ ପରେ କୋଭିଡ-୧୯ ଯୋଗୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ଯେଉଁ ଆଶଙ୍କା ଥିଲା ତାହା ଆପାତତଃ ଦୂର ହୋଇଛି। ପରବର୍ତ୍ତୀ ୩ଟି ଟେଷ୍ଟ ଡିସେମ୍ବର ୧୧, ୨୬(ବକ୍ସିଂ ଡେ’) ଏବଂ ଜାନୁୟାରୀ ୩ରେ ଯଥାକ୍ରମେ ଆଡିଲେଡ, ମେଲବୋର୍ନ ଓ ସିଡ୍ନୀରେ ଆରମ୍ଭ ହେବ। ଦ୍ୱିତୀୟ ଟେଷ୍ଟ ଦିବା/ରାତ୍ର ବିଶିଷ୍ଟ ହେବା ସମ୍ଭାବନା ରହିଛି। ଅଷ୍ଟ୍ରେଲିଆରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ଏହି ସିରିଜ ପ୍ରତି ବିପଦ ନାହିଁ। ତେବେ ଦର୍ଶକଙ୍କୁ ମ୍ୟାଚ ଦେଖିବା ସୁଯୋଗ ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅଷ୍ଟ୍ରେଲିଆରେ ୭୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୬୫୦୦ ସୁସ୍ଥ ହୋଇଛନ୍ତି। ଏଥିରେ ୧୦୨ ଜଣଙ୍କର ପ୍ରାଣହାନି ଘଟିଛି।