ଖପା୍ରଖୋଲ,୧୧।୧୧(ଡି.ଏନ୍.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗାଁର ରଞ୍ଜିତ ଭୁଏଙ୍କ ପୁଅ ଯୁଗେନ୍ଦ୍ର ଭୁଏ(୨୧)। ଦେଢବର୍ଷ ତଳେ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇ କେଉଁଆଢେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ମୁତାବକ, ଯୁଗେନ୍ଦ୍ରଙ୍କ ସହ ୨ଜଣ ସାଙ୍ଗ ଦାଦନ ଖଟିବାକୁ ବାହାରିଥିଲେ। ବଲାଙ୍ଗୀର ଷ୍ଟେଶନରେ ଦୁଇସାଥୀ ଟ୍ରେନରେ ଚଢି ନ ପାରି ଘରକୁ ଫେରି ଆସିଥିବା ବେଳେ ଯୁଗେନ୍ଦ୍ର ଏକାକୀ ଟ୍ରେନରେ ଚେନ୍ନାଇ ଯାଇଥିଲେ। ହେଲ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରି ନାହିଁ। ଏଭଳି ସ୍ଥିତିରେ ମା’ ବାପା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି। ଶେଷରେ ଯୁଗେନ୍ଦ୍ରଙ୍କ ମା’ ଗତ ୨୯ ତାରିଖରେ ଖପ୍ରାଖୋଲ ଥାନାରେ ଘଟଣା ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା(ନଂ. ୪୧/୧୯) ରୁଜୁ କରିଛି। ଏ ନେଇ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ, ରଞ୍ଜିତ ଭୁଏଙ୍କ ବଡ ପୁଅ ଦାଦନ ଖଟିବାକୁ ଯାଇ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଅସୁସ୍ଥ ଅବସ୍ଥାରେ ଘରକୁ ଫେରିଥିବା ବେଳେ ଏବେ ଶଯ୍ୟାଶାୟୀ। ଶଯ୍ୟାଶାୟୀ ପୁଅର ଚିକିତ୍ସା ସହ ନିଖୋଜ ପୁଅକୁ ତୁରନ୍ତ ଖୋଜି ଆଣିବାକୁ ବୃଦ୍ଧ ମା’ବାପ ଆକୁଳ ନିବେଦନ କରିଛନ୍ତି।