ଭୁବନେଶ୍ୱର,୨୪।୪(ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁକ୍ରବାର ଖବରଦାତା ସମ୍ମିଳନୀ ଜରିଆରେ ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମିଳିଥିବା ଚିଠିକୁ ନେଇ ଆଜି ବୈଠକ ବସିଥିଲା। ଶ୍ରୀମନ୍ଦିର ପର୍ବପର୍ବାଣୀ ସମ୍ପର୍କରେ ଏହି ବୈଠକ ବସିଥିଲା। ଆଉ ଦିନକ ପରେ ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ରଥ ନିର୍ମାଣ ହେବାର ବିଧି ରହିଛି। ଲକ୍ଡାଉନ୍ ନିୟମରେ ବାହାର ଯାତ୍ରା ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ହୋଇଛି। କାରଣ ଏହି ସମୟରେ କୌଣସି ଧର୍ମପୀଠରେ ବାହାର ଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। କେନ୍ଦ୍ର, ରାଜ୍ୟ ସରକାରଙ୍କ ନିୟମ ପରିଚାଳନା କମିଟି ମାନିବାକୁ ବାଧ୍ୟ। ଏ ନେଇ ୩ ତାରିଖ ପର୍ଯ୍ୟନ୍ତ କୌଣସି ବାହାର ଯାତ୍ରା ସମ୍ଭବ ନୁହେଁ। କିଭଳି ଏହାକୁ ପାଳନ କରାଯାଇପାରିବ ସେ ନେଇ କମିଟି ସଦସ୍ୟ କହିଥିଲେ। ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ତାହା ଉପସ୍ଥାପନ କରିବାର ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପରମ୍ପରାକୁ ଦୃଷ୍ଟିରେ ରଖି ବିକଳ୍ପ ନେଇ ପରାମର୍ଶ ଲୋଡ଼ାଯିବ। ଗୁରୁଜୀଙ୍କ ପରାମର୍ଶ ଅନୁସାରେ ଅକ୍ଷୟ ତୃତୀୟା ନୀତି ପାଳନ ହେବ। ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ସମୟ ଅଛି, ଆମେ ଅପେକ୍ଷା କରିବା। ୩ ତାରିଖ ପରେ ଯାହା ଗାଇଡ୍ଲାଇନ୍ ଦେବେ, ସେନେଇ ପୁଣି ମିଟିଂ ହେବ। ଏହି ମିଟିଂରେ ଗାଇଡ୍ଲାଇନ୍ ଅନୁସାରେ ଯାହା କରିହେବ କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ମାନିବାକୁ ଆମେ ବାଧ୍ୟ। ଜନସମାଜର ସୁରକ୍ଷା ପାଇଁ ଆମେ ଗାଇଡ୍ଲାଇନ୍ ପାଳନ କରିବୁ। କେନ୍ଦ୍ର, ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପାଳନ କରିବା ଆମର ଦାୟିତ୍ୱ। ଅପରପକ୍ଷେ ରୋଗକୁ ଦୂରେଇବା ଓ ମହାପ୍ରଭୁଙ୍କ ନୀତି ପାଳନ କରିବା ଆମର ମୁଖ୍ୟ ଲକ୍ଷ୍ୟ। ଯାତ୍ରୀ କଟକଣା ଲଗାଇ ଯାତ୍ରା କରିହେବ କି ନାହିଁ ତାହା ସରକାରଙ୍କ ଦାୟିତ୍ୱ। ହେଲେ ୩ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିବ ନାହିଁ। ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ହେଁ ବିଧି କ’ଣ ପାଳନ ହେବ ସେନେଇ ଗୁରୁଜୀ କହିବେ ବୋଲି ଗଜପତି କହିଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ