ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୩୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗରୁ ପ୍ରକାଶ ଯେ, ରବିବାର ସକାଳ ୭ଟାରେ ସମ୍ପୃକ୍ତା ଦିବ୍ୟାଙ୍ଗ ଯୁବତୀ ଗାଧୋଇ ଯାଉଥିବାବେଳେ ୫ଜଣ ଯୁବକ ତାଙ୍କୁ ୩ କି.ମି. ଦୂର ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ଦୀର୍ଘ ସମୟ ଧରି ଯୁବତୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ଅପରାହ୍ନ ୪ଟାରେ ଯୁବତୀଙ୍କୁ ଏକ ମହୁଲଗଛ ମୂଳରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଅଭିଯୁକ୍ତମାନେ ଧମକ ଦେଇଥିବାରୁ ଭୟରେ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିଲେ। କିନ୍ତୁ ବୁଧବାର ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଛେଣ୍ଡିପଦା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଡାକ୍ତରଖାନା ଯାଇ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ବୟାନ ରେକର୍ଡ କରିଥିଲେ। ପୀଡିତାଙ୍କ ଡାକ୍ତରୀମାଇନା ସହ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।