ନୂଆଦିଲ୍ଲୀ,୨୮।୨: ପ୍ରାୟ ୫ ଦିନ ପରେ ଦିଲ୍ଲୀରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି ବୋଲି କୁହାଯାଉଛି। ଶୁକ୍ରବାର ସକାଳେ ନ୍ୟାଶନାଲ କମିଶନ ଫର୍ ଓମେନ୍(ଏନ୍ସିଡବ୍ଲୁ)ର ମୁଖ୍ୟ ରେଖା ଶର୍ମା ଓ ତାଙ୍କର କେତେଜଣ ସହଯୋଗୀ ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ। ସେଠାକାର ସ୍ଥିତିକୁ ଦେଖିବା ପରେ ରେଖା କହିଛନ୍ତି ଦିଲ୍ଲୀରେ ଏବେ ଶାନ୍ତି ଫେରୁଛି। ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ଆରମ୍ଭ କରିଛି। ସେଠାରେ ସେ ମହିଳାମାନଙ୍କ ସହ କଥା ହୋଇଥିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏଠାରେ ସ୍ଥିତି ସାମାନ୍ୟ ଉତ୍ତେଜନା ପୂର୍ଣ୍ଣ ରହିଛି। ହେଲେ ଧୀରେ ଧୀରେ ଏହା ସ୍ବାଭାବିକ ହେବାରେ ଲାଗିଛି। ଶନିବାର ମଧ୍ୟ ସେ ପୁଣି ଥରେ ଏହି ଅଞ୍ଚଳ ବୁଲି ଆସିବେ ବୋଲି କହିଛନ୍ତି। ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଚେଷ୍ଟା କରୁଥିବା ପ୍ରକାଶ କରିଛନ୍ତି। କବିର ନଗର ଓ ବାବରପୁର ଅଞ୍ଚଳରେ ମ୍ୟୁନିସିପାଲିଟି ଦ୍ୱାରା ରାସ୍ତା ସଫେଇ କାମ ଆରମ୍ଭ କରାଯାଇଥିବା ନଜର ଆସିଛି।