ନୂଆଦିଲ୍ଲୀ,୧୫।୬: ଦିଲ୍ଲୀରେ ଲଗାତର ଭାବେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧିପାଇବା ସହ ଦିନକୁ ଦିନ ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ଏହାକୁ ନେଇ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ସର୍ବଦଳୀୟ ବୈଠକ ଡକାଇଥିଲେ। ଦିଲ୍ଲୀରେ ସବୁ ରାଜନୈତିକ ଦଳ ନିଜର ମତଭେଦକୁ ଭୁଲି କରୋନା ଲଢ଼େଇରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଉଚିତ୍ ବୋଲି ଶାହା ଏହି ବୈଠକରେ କହିଥିଲେ। ଏହାପରେ ସେ ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲ(ଏଲ୍ଏନ୍ଜେପି) ପରିଦର୍ଶନ କରିଛନ୍ତି। ଏଲ୍ଏନ୍ଜେପି ହସ୍ପିଟାଲରେ ଶାହା ପହଞ୍ଚି କରୋନା ଭାଇରସ୍ ସହ ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ତେବେ ସମୀକ୍ଷା ବୈଠକ ପରେ ପୁରା ହସ୍ପିଟାଲର ସୂଚନା ଶାହା ଡାକ୍ତରଙ୍କଠାରୁ ନେଇଥିଲେ।