ଦୀପାବଳିକୁ ଆଲୋକର ପର୍ବ କୁହାଯାଉଥିଲେ ସୁଦ୍ଧା ଏହି ଦିନକୁ ଘରକୁ ରଙ୍ଗୋଲି ବା ମୁରୁଜରେ ଅନେକ ଲୋକ ସଜାଇବାକୁ ପସନ୍ଦ କରିଥାଆନ୍ତି। ରଙ୍ଗୋଲି ସଂସ୍କୃତ ଶବ୍ଦ ‘ରଙ୍ଗାବଳି’ରୁ ଆସିଛି। ଏହାକୁ ଅଳ୍ପନା ବୋଲି ମଧ୍ୟ କୁହାଯାଏ। ଆମ ଦେଶରେ ପୂଜା ପାର୍ବଣ, ଗୃହ ପ୍ରବେଶ, ବିବାହ ବ୍ରତରେ ରଙ୍ଗୋଲି ସଜା ଯାଇଥାଏ। କୁହାଯାଏ ଘରେ ରଙ୍ଗୋଲି ସଜାଇଲେ ଦେବୀଦେବତା ପ୍ରସନ୍ନ ହୋଇଥାଆନ୍ତି। ଏହାସହ ଘରକୁ ଆସୁଥିବା ଅତିଥିମାନେ ମଧ୍ୟ ଏହାକୁ ଦେଖି ଖୁସି ହୋଇଥାଆନ୍ତି। ବିଶେଷ କରି ଦୀପାବଳି ଅବସରରେ ଘରେ ରଙ୍ଗୋଲି କରି ତା’ ଉପରେ ଦୀପଜାଳିବାର ପରମ୍ପରା ରହିଛି। ଏହିଦିନ ମା’ ଲକ୍ଷ୍ମୀଙ୍କର ପୂଜା କରାଯାଉଥିବାରୁ କେହିକେହି ରଙ୍ଗୋଲିକୁ ଗେଣ୍ଡୁ ଫୁଲ, ଆମ୍ବପତ୍ରରେ ସଜାଇ ଥାଆନ୍ତି। କୃତ୍ରିମ ଅପେକ୍ଷା ପ୍ରାକୃତିକ ରଙ୍ଗରେ ଘର ସଜାଇବା ଭଲ। ପୂର୍ବ ଉତ୍ତର ପ୍ରଦେଶ ଓ ବିହାରରେ ଦ୍ୱାରପୂଜା ପରମ୍ପରା କାହିଁ କେଉଁ କାଳରୁ ରହି ଆସିଛି। ଏହିଦିନ ସମସ୍ତେ ଘରର ଦ୍ୱାରକୁ ଚାଉଳ ଅଟାରେ ତିଆରି ମୁରୁଜରେ ସଜାଇ ଥାଆନ୍ତି।