ଦୁଇଟି ଦୋଷ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦି ସରକାର ୨୦୧୪ରୁ ଯେଉଁସବୁ ସଂସ୍କାର ଆରମ୍ଭ କରିଛନ୍ତି, ତାହା ସରକାରଙ୍କ ଶାସନ ପରିଚାଳନାରୁ ଜଣାପଡ଼ିଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନ ପରିଚାଳନାରେ ନେତାଙ୍କ ଅପେକ୍ଷା ବାବୁଙ୍କ ଉପରେ ଯେ ଅଧିକ ନିର୍ଭର କରନ୍ତି, ତାହା ବେଶ୍‌ ଜଣାଶୁଣା। ଶାସନରେ ଉନ୍ନତି ତଥା ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ସେ ମଧ୍ୟ ଅନେକ ନୀତି ପ୍ରବର୍ତ୍ତନ କରିଛନ୍ତି। ତେବେ ଅମଲାତନ୍ତ୍ରରେ ଜାତି ଓ ଲିଙ୍ଗଗତ ଅସନ୍ତୁଳନ ଦୂର କରିବା ପାଇଁ ସେ କୌଣସି ପଦକ୍ଷେପ ନେଇନାହାନ୍ତି। ନିକଟରେ ପାର୍ଲାମେଣ୍ଟରେ ପ୍ରଦତ୍ତ ତଥ୍ୟ ଅନୁସାରେ, ସରକାରଙ୍କ ୮୨ ଜଣ ସଚିବଙ୍କ ମଧ୍ୟରୁ ମାତ୍ର ୪ ଜଣ ହେଉଛନ୍ତି ଅନୁସୂଚିତ ଜାତି ବା ଉପଜାତି ବର୍ଗର। ସେମାନେ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଭୂସମ୍ପଦ ବିଭାଗ, ଫାର୍ମାସ୍ୟୁଟିକାଲ ବିଭାଗ ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟରେ ନିଯୁକ୍ତ ଅଛନ୍ତି। ସେହିପରି ୮୨ ଜଣ ସଚିବଙ୍କ ମଧ୍ୟରୁ ମାତ୍ର ୧୨ ଜଣ ହେଉଛନ୍ତି ମହିଳା। ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଓ ସଚିବ (ପୂର୍ବ) ବିଜୟ ଠାକୁର ସିଂ ପ୍ରମୁଖ ଅଳ୍ପ କେତେଜଣ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅବସ୍ଥାପିତ ହୋଇଥିବା ବେଳେ ଅଧିକାଂଶ ମତ୍ସ୍ୟ, ସରକାରୀ ଭାଷା, ଭିନ୍ନକ୍ଷମ ବା ଯୁବ ବ୍ୟାପାର ପ୍ରଭୃତି ମାମୁଲି ବିଭାଗ ବା ମନ୍ତ୍ରଣାଳୟରେ ନିଯୁକ୍ତି ପାଇଛନ୍ତି। ନିକଟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟରୁ ବିଦା ହୋଇଥିବା ବିଦ୍ୟାଳୟ ଶିକ୍ଷା ସଚିବ ରୀନା ରାୟ ଏବେ ବି ମହିଳା ବାବୁମାନଙ୍କ ମନରେ ତାଜା ହୋଇ ରହିଛନ୍ତି। ପୁଣି ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି ଯେ, କେନ୍ଦ୍ରରେ ଯୁଗ୍ମ ସଚିବ ସ୍ତରରେ ଚାକିରି କରୁଥିବା ୭୦୦ ବାବୁଙ୍କ ମଧ୍ୟରୁ ମାତ୍ର ୧୩୪ ଜଣ ହେଉଛନ୍ତି ମହିଳା। ତେବେ ଏ ଅସନ୍ତୁଳନ ଦୂର କରିବା ଦିଗରେ ମୋଦି ସରକାର ପଦକ୍ଷେପ ନେବା ଦରକାର।
ନର୍ଥଇଷ୍ଟକୁ ଅଣଦେଖା
ମୋଦି ସରକାରରେ ନର୍ଥଇଷ୍ଟକୁ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। କିନ୍ତୁ ରାଜଧାନୀର ଅମଲାତନ୍ତ୍ରରେ ଏହି ନର୍ଥଇଷ୍ଟ ସପକ୍ଷବାଦୀ ଚିନ୍ତାଧାରା ପ୍ରତିଫଳିତ ହେବାର ଦେଖାଯାଉ ନାହିଁ। ବର୍ତ୍ତମାନ ଦିଲ୍ଲୀ ପୋଲିସରେ ୧୦ ଜଣ ବରିଷ୍ଠ ୟୁଟି କ୍ୟାଡର ବାବୁ ସେବାରତ ଥିବାବେଳେ ସେମାନଙ୍କୁ ତାଲିମ, ଭିଆଇପି ସୁରକ୍ଷା ବା ଦିଲ୍ଲୀ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯାଇଛି, ଯାହା ଅପେକ୍ଷାକୃତ ନୂ୍ୟନ ଦାୟିତ୍ୱସମ୍ପନ୍ନ ପଦବୀଭାବେ ଜଣାଶୁଣା। ଦିଲ୍ଲୀ ପୋଲିସରେ ଅପରାଧ, ଆଇନଶୃଙ୍ଖଳା, ଅର୍ଥନୈତିକ ଅପରାଧ ଶାଖା, ଲାଇସେନ୍ସିଂ ଓ ଟ୍ରାଫିକ ଆଦି ବିଭାଗରେ ନିଯୁକ୍ତିକୁ ଅଧିକ ସମ୍ମାନଜନକ ବିବେଚନା କରାଯାଏ। କିନ୍ତୁ ସୂଚନା ଅନୁସାରେ, ନର୍ଥଇଷ୍ଟର କ୍ୱଚିତ୍‌ ବାବୁଙ୍କୁ ଏହିସବୁ ବିଭାଗରେ ନିଯୁକ୍ତି ମିଳିଛି। ସେମାନଙ୍କ ମଧ୍ୟରୁ କତିପୟ ଉଦାହରଣ ହେଉଛନ୍ତି, ଦିଲ୍ଲୀ ସଶସ୍ତ୍ର ବାହିନୀରେ ଡିଆଇଜି ଭାବେ ନିଯୁକ୍ତି ପାଇଥିବା ୨୦୦୪ ବ୍ୟାଚ୍‌ ୟୁଟି କ୍ୟାଡରର ପି.ଏନ୍‌. ଖିର୍ମି, ପୋଲିସ ଟ୍ରେନିଂ କଲେଜରେ ଡିଆଇଜି ଭାବେ ନିଯୁକ୍ତି ପାଇଥିବା ସେହି ବ୍ୟାଚ୍‌ର ମିଚି ପାକୁ ଏବଂ ଡିଆଇଜି, ଟ୍ରେନିଂ ଅପୂର୍ବ ବୀଥିନ୍‌। ପର୍ଯ୍ୟବେକ୍ଷକମାନଙ୍କ ମତରେ ସରକାର ରାଜଧାନୀରେ ନର୍ଥଇଷ୍ଟ ବାବୁମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ଦେବା ଆବଶ୍ୟକ।
ଗୁଜରାଟରେ ସବୁ ଠିକ୍‌ଠାକ୍‌ ନାହିଁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ତଥା ଭାଜପା ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଦ୍ୱାରା ଶାସିତ ହେଉଥିଲେ ମଧ୍ୟ ଗୁଜରାଟ ବାହାରକୁ ଯେମିତି ଦେଖାଯାଉଛି ସେମିତି ଚାଲି ନାହିଁ। ସେଠାକାର ପରିସ୍ଥିତି ଏଭଳି ହୋଇଛି ଯେ, ମୋଦିଙ୍କ ବିଶ୍ୱସ୍ତ ବାବୁ ଅନିଲ ମୁକିମଙ୍କୁ କେନ୍ଦ୍ରରୁ ରାଜ୍ୟକୁ ନୂତନ ମୁଖ୍ୟ ଶାସନ ସଚିବ ଭାବେ ଫେରାଇଦେବାର ଆବଶ୍ୟକତା ପଡ଼ିଲା। ମୋଦିଙ୍କ ଏପରି ଆକସ୍ମିକ ପଦକ୍ଷେପକୁ ନେଇ ଅଧିକାଂଶ ପର୍ଯ୍ୟବେକ୍ଷକ ସେଇଆ ମନେକରୁଛନ୍ତି। ମୁକିମଙ୍କ ନିଯୁକ୍ତି ଯୋଗୁ ଜେ.ଏନ୍‌. ସିଂଙ୍କ ପରେ ମୁଖ୍ୟ ଶାସନ ସଚିବ ପଦ ପାଇଁ ଦୌଡ଼ରେ ସବା ଆଗରେ ଥିବା ବରିଷ୍ଠତମ ବାବୁ ଅରବିନ୍ଦ ଅଗ୍ରଓ୍ବାଲଙ୍କ ଆଶା ମଉଳିଯାଇଛି। ଜନରବ ଶୁଣିବାକୁ ମିଳୁଛି ଯେ, ଅଗ୍ରଓ୍ବାଲ ମୁଖ୍ୟମନ୍ତ୍ରୀ ରୁପାନିଙ୍କର ପାଖଲୋକ ଥିଲେ ଏବଂ ରୁପାନି ତାଙ୍କ ନାମ ବରିଷ୍ଠତା ଓ ଯୋଗ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସୁପାରିସ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ସୁପାରିସକୁ ଗ୍ରହଣ କଲା ନାହିଁ। ରୁପାନିଙ୍କ ସୁପାରିସକୁ ଆଡ଼େଇଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚାଇଦେଇଛି ଯେ, ଗୁଜରାଟରେ ଯେପରି ଭାବେ ଶାସନ ଚାଲିଛି, ସେଥିରେ ଏହା ସନ୍ତୁଷ୍ଟ ନୁହେଁ। ରୁପାନି ଓ ତାଙ୍କ ଅନୁଗତ ବାବୁମାନେ ଗୁଜରାଟକୁ ନିଜ ଇଚ୍ଛା ଅନୁସାରେ ଚଳାଉଥିବା ନେଇ ଯାହା ଶୁଣିବାକୁ ମିଳୁଛି, ସେଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସନ୍ତୁଷ୍ଟ ଥିବା ଅନୁମାନ କରାଯାଉଛି। ମୁକିମ ହିଁ ଗୁଜରାଟର ସବୁ ଅସଜଡ଼ା ଜିନିଷକୁ ସଜାଡ଼ିଦେଇ ପାରିବେ, ଯାହା ପିଏମ୍‌ଓ ଦ୍ୱାରା ଗ୍ରହଣୀୟ ହେବ ବୋଲି ବିଶ୍ୱାସ କରାଯାଉଛି। ତେବେ ସେ କ’ଣ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri