ମୁଖ୍ତାର ଅବାସ୍ ନକ୍ଭୀ
ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ଥିବା କେତେକ ବ୍ୟକ୍ତି ନାଗରିକତ୍ୱ ସଂଶୋଧନ ଆଇନ ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍ପିଆର୍)ର ନବୀକରଣ ଏବଂ ଏନ୍ଆର୍ସିକୁ ନେଇ ସମାଜରେ ଅପପ୍ରଚାର ଚଳାଇଛନ୍ତି। ଏଭଳି ବ୍ୟକ୍ତିଙ୍କ କାର୍ଯ୍ୟ ଏକ ଉତ୍ତୁଙ୍ଗ ପାହାଡ଼ ସଦୃଶ ସତ୍ୟକୁ ଛୋଟ ବୁଦା ଆକାର ମିଛ ଦ୍ୱାରା ଆଚ୍ଛାଦିତ କରିବା ଭଳି ଅପଚେଷ୍ଟା ଛଡ଼ା ଅନ୍ୟ କିଛି ନୁହେଁ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର କାର୍ଯ୍ୟକଳାପକୁ ଯଦି ଆମେ ଦେଖୁ ତେବେ ଏକଥା ସ୍ପଷ୍ଟ ଯେ, ଏ ସରକାର ସାମଗ୍ରିକ ସଶକ୍ତୀକରଣ ଓ ସମୃଦ୍ଧି ପାଇଁ ଅଙ୍ଗୀକାରବଦ୍ଧ। ଏ ସରକାର କୌଣସି ବାଛବିଚାର ନ କରି ବିକାଶକୁ ମୂଳମନ୍ତ୍ର ଭାବେ ଗ୍ରହଣ କରିଛି। ଧର୍ମ ଓ ଆଞ୍ଚଳିକ ବୈଷମ୍ୟ ପ୍ରତି ଦୃଷ୍ଟି ନ ଦେଇ ଯେପରି ସମସ୍ତଙ୍କୁ ସୁଖଶାନ୍ତିରେ ରଖିହେବ, ସେଥିପାଇଁ ମୋଦି ସରକାର କାର୍ଯ୍ୟ କରି ଆସୁଛନ୍ତି।
ଯେଉଁ ପ୍ରଧାନମନ୍ତ୍ରୀ ଗରିବଙ୍କୁ ଆବାସ, ଘରକୁ ପାଣି ଓ ବିଜୁଳି ବିନା ବାଛବିଚାରରେ ପ୍ରଦାନ କରିଛନ୍ତି ସେ କେବେ ମଧ୍ୟ ଏଭଳି ପଦକ୍ଷେପ ନେବେ ନାହିଁ, ଯାହାଦ୍ୱାରା ସଂଖ୍ୟାଲଘୁମାନେ ବାସହରା ହେବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଉଠିବ। ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ମୋଦି ନାଗରିକତ୍ୱ ସଂଶୋଧନ ଆଇନ ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍ଆର୍ସି) ନେଇ ସ୍ପଷ୍ଟ ମତ ରଖିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ‘ନାଗରିକତ୍ୱ ଆଇନ ଦ୍ୱାରା ନାଗରିକତ୍ୱ ପ୍ରଦାନ କରାଯିବ, ମାତ୍ର କାହାର ନାଗରିକତ୍ୱ ପ୍ରତ୍ୟାହାର କରାଯିବ ନାହିଁ।’ ନାଗରିକତ୍ୱ ଆଇନ ଓ ଏନ୍ଆର୍ସି ଯୋଗୁ କୌଣସି ଭାରତୀୟ ମୁସଲମାନଙ୍କ ନାଗରିକତ୍ୱ ଉପରେ କୌଣସି ଆଶଙ୍କା କିମ୍ବା ପ୍ରଶ୍ନବାଚୀ ସୃଷ୍ଟି ହେବ ନାହଁି।
ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଉପତ୍ୀଡ଼ନ ଭୋଗୁଥିବା ସଂଖ୍ୟାଲଘୁ ଲୋକମାନଙ୍କୁ ନାଗରିକତ୍ୱ ପ୍ରଦାନ ହେଉଛି ନାଗରିକତ୍ୱ ସଂଶୋଧନ ଆଇନର ମୂଳ ଉଦ୍ଦେଶ୍ୟ। ଏହି ବିଲ୍ରେ କେବଳ ନାଗରିକତ୍ୱ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ହିଁ ନାଗରିକତ୍ୱ ମିଳିବାର ବ୍ୟବସ୍ଥା ରହିଛି। ଅନ୍ୟ ରାଷ୍ଟ୍ରର କୌଣସି ମୁସଲମାନ ବ୍ୟକ୍ତିଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ ପାଇଁ ବ୍ୟବସ୍ଥା ପୂର୍ବରୁ ହଁି ଭାରତୀୟ ନାଗରିକତ୍ୱ ଆଇନ ୧୯୫୫ରେ ସନ୍ନିବେଶିତ ହୋଇରହିଛି। ମୁସଲମାନଙ୍କ ସମେତ ଯେକୌଣସି ବିଦେଶୀ ନାଗରିକ ଭାରତୀୟ ନାଗରିକତ୍ୱ ଆଇନ ୧୯୫୫ର ଧାରା-୫ ଅନୁସାରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ। ଗତ ପାଞ୍ଚବର୍ଷ ମଧ୍ୟରେ ଆମ ସରକାର ଅନ୍ୟାନ୍ୟ ଦେଶର ୫୦୦ରୁ ଊର୍ଦ୍ଧ୍ୱ ମୁସଲମାନଙ୍କୁ ନାଗରିକତ୍ୱ ପ୍ରଦାନ କରିସାରିଛନ୍ତି।
ନାଗରିକତ୍ୱ ସଂଶୋଧନ ଆଇନର ଏକ ଐତିହାସିକ ଭିତ୍ତିଭୂମି ରହିଛି। ୧୯୫୫ ମସିହାରେ ପନ୍ଥ-ମୀର୍ଜା ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଦେଶର ତତ୍କାଳୀନ ସ୍ବରାଷ୍ଟ୍ରମନ୍ତ୍ରୀ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ଏବଂ ପାକିସ୍ତାନ ଗୃହମନ୍ତ୍ରୀ ମେଜର ଜେନେରାଲ ଇସ୍କନ୍ଦର ମୀର୍ଜାଙ୍କ ମଧ୍ୟରେ ହୋଇଥିବା ଏହି ରାଜିନାମା ଅନୁସାରେ ପାକିସ୍ତାନରେ ଥିବା ଅଣମୁସଲମାନ ଉପାସନା ସ୍ଥଳୀଗୁଡିକର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ୱ ଭାରତ ଉପରେ ନ୍ୟସ୍ତ ହୋଇଥିଲା। ଏହାଛଡ଼ା ପାକିସ୍ତାନରେ ରହୁଥିବା ଅଣମୁସଲମାନଙ୍କ ସ୍ବାର୍ଥ, ସାମାଜିକ ଓ ଧାର୍ମିକ ସୁବିଧା ଅସୁବିଧାର ଅନୁଧ୍ୟାନ ଦାୟିତ୍ୱ ମଧ୍ୟ ଭାରତ ସରକାରଙ୍କ ଉପରେ ଥିଲା।
ବିଭାଜନ ବେଳେ ପାକିସ୍ତାନରେ ମୋଟ ଜନସଂଖ୍ୟାର ଶତକଡା ୨୪ ଭାଗ ଅଣମୁସଲମାନ ଥିବାବେଳେ ଅତ୍ୟାଚାର ଓ ଗଣହତ୍ୟା ଯୋଗୁ ଏହି ସଂଖ୍ୟା ବର୍ତ୍ତମାନ ମାତ୍ର ଶତକଡା ୨ ଭାଗକୁ ଖସି ଆସିଛି। ମାତ୍ର ଭାରତର ପୂର୍ବବର୍ତ୍ତୀ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିଲେ। ପାକିସ୍ତାନ, ବାଂଲାଦେଶ, ଆଫିଗାନିସ୍ତାନରେ ଅମାନବିକ ଅତ୍ୟାଚାରର ଶିକାର ହୋଇ ଭାରତରେ ଶରଣ ନେଇଥିବା ବ୍ୟକ୍ତିମାନଙ୍କୁ ଆତଙ୍କବାଦ ଓ ଆଇନଗତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା। ମୋଦି ସରକାର ସେମାନଙ୍କୁ ସମ୍ମାନର ସହିତ ବଞ୍ଚିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ନାଗରିକତ୍ୱ ସଂଶୋଧନ ଆଇନ ଆଣିଛନ୍ତି। ଭାରତୀୟ ମୁସଲମାନଙ୍କ ସହ ଏହି ଆଇନର କୌଣସି ସମ୍ପର୍କ ନାହିଁ।
ପାକିସ୍ତାନରେ ସଂଖ୍ୟାଲଘୁମାନେ ଅତ୍ୟାଚାର ଓ ଗଣହତ୍ୟାର ସମ୍ମୁଖୀନ ହେଉଥିବା ବେଳେ ଭାରତୀୟ ବିକାଶ ଧାରାରେ ସେମାନେ ସମାନ ଅଂଶୀଦାର ଭାବେ ବିବେଚିତ ହେଉଛନ୍ତି। ମୋଦି ସରକାରଙ୍କ ସାମାଜିକ, ଆର୍ଥିକ ଓ ଶୈକ୍ଷିକ ସଶକ୍ତୀକରଣ ସମ୍ବଳିତ କଲ୍ୟାଣକାରୀ ଯୋଜନା ସଂଖ୍ୟାଲଘୁଙ୍କ ପାଇଁ ବେଶ୍ ଉପାଦେୟ ହୋଇଛି। ଗତ ପାଞ୍ଚବର୍ଷ ମଧ୍ୟରେ ମୋଦି ସରକାର ପ୍ରାୟ ୩ କୋଟି ୨୦ ଲକ୍ଷ ସଂଖ୍ୟାଲଘୁ ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଥିବାବେଳେ ସେଥିରୁ ଶତକଡା ୬୦ ଭାଗ ବାଳିକା । ‘ଶିଖାଓ ଔର କମାଓ’, ‘ଉସ୍ତାଦ’, ‘ନୟି ମିଲ’, ‘ନୟି ରୋଶନୀ’, ‘ଗରିବ ନୱାଜ’ କର୍ମ ସଂସ୍ଥାନ ଯୋଜନା ଭଳି ବିଭିନ୍ନ କୌଶଳ ବିକାଶ ଯୋଜନା ଯୋଗୁ ୨୦୧୪ ମସିହାରୁ ଏ ପର୍ଯ୍ୟନ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ ୮ ଲକ୍ଷ ଯୁବତୀଯୁବକ ନିଯୁକ୍ତି ସୁଯୋଗ ପାଇଛନ୍ତି। ଏଥିରୁ ଶତକଡା ୫୦ ଭାଗ ହେଉଛନ୍ତି ବାଳିକା। ‘ହୁନର ହାଟ୍’ ଯୋଜନାରେ ୨ ଲକ୍ଷ ୬୫ ହଜାରରୁ ଅଧିକ କାରିଗର ଓ ଶିଳ୍ପୀ ନିଯୁକ୍ତି ସୁଯୋଗ ପାଇଛନ୍ତି।
ଉପା ସରକାରଙ୍କ ସମୟରେ ଦେଶର ମାତ୍ର ୯୦ଟି ଜିଲାକୁ ସଂଖ୍ୟାଲଘୁ ବିକାଶ ପାଇଁ ଚିହ୍ନଟ କରାଯାଇଥିବା ବେଳେ ମୋଦିଙ୍କ ଏନ୍ଡିଏ ସରକାର ଅମଳରେ ଏହା ଦେଶର ୩୦୮ଟି ଜିଲାର ୧୩୦୦ ବ୍ଲକ୍ରେ କାର୍ଯ୍ୟକାରୀ ହେଉଛି। ବିଶେଷ କରି ସଂଖ୍ୟାଲଘୁ ବାଳିକାମାନଙ୍କ ଶିକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଭିତ୍ତିଭୂମିର ବିକାଶ କରାଯାଉଛି। ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଅଧୀନରେ ଗତ ୫ ବର୍ଷ ମଧ୍ୟରେ ୩୩ଟି ଡିଗ୍ରୀ କଲେଜ, ୧୩୯୮ଟି ବିଦ୍ୟାଳୟ ଗୃହ, ୪୦୨୦୧ ଅତିରିକ୍ତ ଶ୍ରେଣୀ ଗୃହ, ୫୭୪ ଛାତ୍ରାବାସ, ୮୧ ଆଇଟିଆଇ, ୫୦ ପଲିଟେକ୍ନିକ୍, ୩୯୫୮୬ ଅଙ୍ଗନଓ୍ବାଡି କେନ୍ଦ୍ର, ୩୯୮ ସଦ୍ଭାବନା ମଣ୍ଡପ, ୧୨୩ ଆବାସିକ ବିଦ୍ୟାଳୟ, ୫୭୦ ବଜାର ଗୃହ ଓ ୧୦୪ ଜନସେବାକେନ୍ଦ୍ର ନିର୍ମାଣ କରାଯାଇଛି। ସଂଖ୍ୟାଲଘୁମାନଙ୍କ ନିମନ୍ତେ ପାକିସ୍ତାନ ନର୍କ ପାଲଟି ଥିବାବେଳେ ଭାରତ ସେମାନଙ୍କ ପାଇଁ ସ୍ବର୍ଗ ସଦୃଶ ହୋଇଛି। କେତେକ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କୁ ଏଭଳି ବାସ୍ତବତା ଗ୍ରହଣଯୋଗ୍ୟ ହୋଇପାରିନାହିଁ, କାରଣ ସେମାନେ ଦେଶର ବିବିଧତା ମଧ୍ୟରେ ଏକତାର ଶକ୍ତିକୁ ଦୁର୍ବଳ କରିବା ପାଇଁ ଷଡ଼ଯନ୍ତ୍ର ରଚିଚାଲିଛନ୍ତି।
ଏନ୍ଆର୍ସି ପ୍ରକ୍ରିୟା ଆସାମରେ ୧୯୫୧ରେ ଆରମ୍ଭ ହୋଇଥିବା ବେଳେ ଏହାକୁ ତ୍ୱରାନ୍ବିତ କରିବା ପାଇଁ ୧୯୭୦ ଦଶକରେ ପ୍ରବଳ ଦାବି ହୋଇଥିଲା। ୨୦୧୩ରେ ସୁପ୍ରିମ୍କୋର୍ଟ ଏହାକୁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଲେ। ଆସାମରେ ଏନ୍ଆର୍ସି ପ୍ରକ୍ରିୟା ଏବେ ମଧ୍ୟ ଚାଲିଛି। ଏହା କେବଳ ଆସାମ ମଧ୍ୟରେ ହିଁ ସୀମାବଦ୍ଧ ରହିଛି। ୩୧ ଅଗଷ୍ଟ ୨୦୧୯ରେ ଏନ୍ଆର୍ସିର ଏକ ଚିଠା ତାଲିକା ପ୍ରକାଶିତ ହୋଇଥିଲା। ତାଲିକାରେ ଯେଉଁମାନଙ୍କ ନାମ ନ ଥିଲା ସେମାନଙ୍କ ନାମ ସରକାରଙ୍କ ଏନ୍ଆର୍ସି ସେବାକେନ୍ଦ୍ର ଓ ଟ୍ରିବ୍ୟୁନାଲ ସହାୟତାରେ ଯୋଡ଼ାଗଲା।
ଦେଶର ଅନ୍ୟାନ୍ୟ ଭାଗରେ ଏନ୍ଆର୍ସିକୁ ତ୍ୱରାନ୍ବିତ କରିବା ନେଇ କୌଣସି ସ୍ତରରେ ମଧ୍ୟ ଏ ପର୍ଯ୍ୟନ୍ତ କଥାବାର୍ତ୍ତା ଆରମ୍ଭ ହୋଇନାହିଁ। ମାତ୍ର କେତେକ ବ୍ୟକ୍ତି ଏନ୍ଆର୍ସିକୁ ନେଇ ରାଜନୈତିକ ନାଟକବାଜି ଓ ଭୟର ବାତାବରଣ ସୃଷ୍ଟି କରିଚାଲିଛନ୍ତି। ସାପ ଓ ଶିଡ଼ି ଖେଳ ଭଳି ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ହାସଲ କରିବା ପାଇଁ କେତେକ ରାଜନୈତିକ ଦଳ ଏବଂ ବ୍ୟକ୍ତି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ଏଥିରେ ଅଯଥା ନିୟୋଜିତ କରୁଛନ୍ତି। ଏହି ଲୋକମାନେ ଅପପ୍ରଚାର ଦ୍ୱାରା ଲୋକଙ୍କ ମନରେ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବା ସହ ସମାଜକୁ ଭାଗ ଭାଗ କରିବାରେ ଲାଗି ପଡିଛନ୍ତି। ଅପପ୍ରଚାର କରୁଥିବା ଏହିଭଳି କୁଚକ୍ରୀ ଗୋଷ୍ଠୀଙ୍କ ପ୍ରତି ସତର୍କ ରହିବା ତଥା ଦେଶର ବିବିଧତା ମଧ୍ୟରେ ଏକତାକୁ ଦୁର୍ବଳ କରୁଥିବା ବ୍ୟକ୍ତିମାନେ ସେମାନଙ୍କ ମନ୍ଦ ଉଦ୍ଦେଶ୍ୟରେ ଯେପରି ସଫଳ ନ ହୁଅନ୍ତି ତାହା ଦେଖିବା ଆମର ଜାତୀୟ କର୍ତ୍ତବ୍ୟ।
(ଲେଖକ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ)