ପାଟଣାଗଡ, ୨୩।୧୧ (ଡି.ଏନ୍.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଡେବିରିପାଲି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ କାଣ୍ଡ। ଜଣେ ନାବାଳିକା ଝିଅକୁ ବାପା କିରୋସିନ ଢାଳି ପୋଡି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ନାବାଳିକା ସୂର୍ଯ୍ୟକାନ୍ତୀ ନାଗ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ସୂଚନା ଅନୁଯାୟୀ, ସୂର୍ଯ୍ୟକାନ୍ତୀ ରାତିରେ ଘରେ ଶୋଇଥିବା ବେଳେ ଦେହରେ କିରୋସିନି ଢାଳି ବାପା ଅରକ୍ଷିତ ନାଗ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ସୁର୍ଯ୍ୟକାନ୍ତୀଙ୍କ ସମ୍ପର୍କୀୟ। ସୂର୍ଯ୍ୟକାନ୍ତୀଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ପର୍କୀୟଙ୍କ କହିବାନୁଯାୟୀ ସୂର୍ଯ୍ୟକାନ୍ତୀଙ୍କ ବାପା ଅରକ୍ଷିତ ୨ଜଣଙ୍କ ବିବାହ କରିଛନ୍ତି। ସୂର୍ଯ୍ୟକାନ୍ତୀ ହେଉଛି ପ୍ରଥମ ସ୍ତ୍ରୀଙ୍କ ଝି। ସେ ପିଲାଟିଦିନରୁ ମାମୁ ଘରେ ରହୁଆସୁଥିଲେ। ଗତ କିଛିଦିନ ତଳେ ଗାଁରେ ଏକ ବୈଠକ ହୋଇଥିଲା ଏବଂ ଝିଅ ସୁର୍ଯ୍ୟକାନ୍ତୀ ବାପାଙ୍କ ସହ ରହିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ବାପାଙ୍କ ପାଖରେ ସୂର୍ଯ୍ୟକାନ୍ତୀ ରହିଆସୁଥିଲେ। କିନ୍ତୁ ଅରକ୍ଷିତ ଝିଅକୁ ରଖିବାକୁ ନାରାଜ ଥିଲା। ତେଣୁ ଅରକ୍ଷିତ ହିଁ ନିଜ ଝିଅକୁ ହତ୍ୟା ଉଦ୍ୟମ କରିଥିବା ମାମୁଘର ଲୋକେ ଅଭିଯୋଗ କରିଛନ୍ତି।