ଅନୁଗୋଳ ଅଫିସ, ୫।୮: ଅନୁଗୋଳ ସହର ବସ୍ଷ୍ଟାଣ୍ଡ ନିକଟରେ ଗତ ୨୧ ତାରିଖରେ ବଳାତ୍କାର ଶିକାର ହୋଇଥିବା ୮ ବର୍ଷୀୟା ନାବାଳିକାଙ୍କ ସମ୍ପର୍କୀୟଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ରବିବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପୁରୁଣାକୋଟ ଥାନା ବାଲିଜେରାଙ୍ଗ ଗାଁର ଚା ବ୍ୟବସାୟୀ ଗୌତମ ସାହୁ, ହେମସୁରପଡ଼ାର ପାନ ଦୋକାନୀ ବିନୋଦ ସାହୁ ଓ ନିଶା ଥାନା ବଡ଼କେରଜାଙ୍ଗ ଗ୍ରାମର ବିନୋଦ ସାହୁ। ମରଣାନ୍ତକ ଆକ୍ରମଣ ଓ ପ୍ରମାଣ ନଷ୍ଟ ଅଭିଯୋଗରେ ନଂ. ୫୮୭/୧୯ରେ ଏକ ମାମଲା ରୁଜୁ ହୋଇଥିବା ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି।
ମହାରାଷ୍ଟ୍ରରୁ ଅନୁଗୋଳ ଆସି କାମ କରୁଥିବା ସମ୍ପୃକ୍ତା ପୀଡିତାଙ୍କ ମାମୁ ବାଳସ୍ବଧାର ଗୃହ ନିକଟରେ ଥିବା ଦୋକାନକୁ ଚା ପିଇବାକୁ ଆସିଥିଲେ। ସେଠାରେ ଅଭିଯୁକ୍ତମାନେ ତାଙ୍କୁ ଥାନାରୁ ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଇଥିଲେ। ଏଥିସହ ପୀଡିତାଙ୍କ ମାମୁ, ମାଇଁ ଅନ୍ୟ ଦୁଇ ଜଣଙ୍କୁ ସେମାନେ ମାଡ଼ ମାରିଥିଲେ। ଏ ସମ୍ପର୍କରେ ନାବାଳିକାଙ୍କ ମାମୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ଅଭିଯୁକ୍ତମାନେ ପୀଡିତାଙ୍କ ପରିବାର ରହୁଥିବା ବସ୍ତିକୁ ଯାଇ ସେମାନଙ୍କ ଗୋଷ୍ଠୀକୁ ୨ ଭାଗ କରିବାକୁ ମଦ ବାଣ୍ଟୁଥିବା ଅଭିଯୋଗ ହୋଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅମଲାପଡ଼ା ଅଞ୍ଚଳର ଶିବୁ ପଟ୍ଟନାୟକଙ୍କୁ ପୋଲିସ ଗତ ମାସ ୨୩ ତାରିଖରେ ଗିରଫ କରିଛି।