କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ ଯାହା ବଦଳେଇ ଦେଇଛି ତାର ପରିପାଟୀ। ତେବେ ଏତିକି ଯେ, ଖୋଷା ଯେମିତି ଯେଉଁ ରୂପରେ ଆସିଲେ ବି ନାରୀକୁ କରିଛି ରୂପମୟୀ…
ଶୃଙ୍ଗାର ପ୍ରିୟ ନାରୀ। ଏମିତି କୌଣସି ନାରୀ ନ ଥିବେ, ଯିଏ ଶୃଙ୍ଗାର ପ୍ରିୟ ନ ଥିବେ। ନାରୀର ଶୃଙ୍ଗାର ଭିତରେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଦିଗ ହେଉଛି କେଶ ବିନ୍ୟାସ, ଯାହା ବିନା ଶୃଙ୍ଗାର ଅଧା। ବିଭିନ୍ନ କେଶ ବିନ୍ୟାସ ଭିତରେ ଖୋଷା ହେଉଛି ଏପରି ଏକ କେଶ ବିନ୍ୟାସ, ଯାହା ଆରମ୍ଭରୁ ଆଜିିଯାଏ ରହିଆସିଛି। ତେବେ ସମୟ ଓ ପୋଷାକ ପରିଚ୍ଛଦକୁ ନେଇ ଯାହା ବଦଳେଇ ଦେଇଛି ତାର ପରିପାଟୀ। ପାରମ୍ପରିକ ଶାଢ଼ି ହେଉ ବା ଅତ୍ୟାଧୁନିକ ଗାଉନ୍ ସବୁଠି ଅଛି ଖୋଷା। ତେବେ ଏତିକି ତଫାତ୍ ହେଲା କେଉଁଠି କେମିତି କେଉଁ ରୂପରେ ଖୋଷା ନାରୀକୁ କରିଛି ରୂପମୟୀ।
ଦେହରେ ଶାଢ଼ି, ହାତରେ ଚୁଡ଼ି, ପାଦରେ ଅଳତା ପାଉଁଜି, ରଙ୍ଗ ଅଧର, କପାଳରେ ସିନ୍ଦୂରଟୋପା ସବୁ ସାଜ ଶୃଙ୍ଗାର ପରେ ବି ନାରୀଟିଏ ଅପରୂପା ଲାଗେନାହିଁ, ଯଦି ତା’ର କେଶ ବିନ୍ୟାସ ସୁନ୍ଦର ଭାବରେ ହୋଇନଥାଏ। ସେଥିପାଇଁ ବୋଧେ ଶୃଙ୍ଗାରରେ ମୁଖ୍ୟ ଭୂମିକା ନେଇଥାଏ କେଶ ବିନ୍ୟାସ।
ଓଡ଼ିଆଣୀଙ୍କ କେଶ ବିନ୍ୟାସ: କେଶ ବିନ୍ୟାସ ବିନା ଶୃଙ୍ଗାର ଅଧା। ତେବେ ଓଡ଼ିଆଣୀଙ୍କ କେଶ ବିନ୍ୟାସ କେବଳ ତାଙ୍କ ସୌନ୍ଦର୍ଯ୍ୟ ବଢ଼ାଏନି, ବରଂ ଏଥିରେ ଥାଏ ପରମ୍ପରାର କଥା, ମର୍ଯ୍ୟାଦାର କଥା। ପୁରା କାଳରେ ଓଡ଼ିଆ ଘରର ବୋହୂକୁ କେଶ ଖୋଲା ରଖିବା ଗ୍ରହଣଯୋଗ୍ୟ ନ ଥିଲା। କେଉଁ କେଉଁ ବାରରେ, କେଉଁ ସମୟରେ କେଶ ଖୋଲା ରଖିବ ତା’ ଉପରେ ଥିଲା କଟକଣା। ଘରର ଗୁରୁଜନମାନଙ୍କର ବି ଏହା ଉପରେ ଥିଲା ତାଗିଦା। କେହି ଏହାକୁ ବିରୋଧ କଲେ ସେମାନେ ବିଭିନ୍ନ କାହାଣୀ ମାଧ୍ୟମରେ ବୁଝେଇ ଦେଉଥିଲେ ଯେ କେଶ ଖୋଲା ରଖିବା କ’ଣ ପାଇଁ ଉଚିତ ନୁହେଁ। ସେତେବେଳେ ମୁଖ୍ୟତଃ କେଶରେ ବେଣୀ ଆଉ ଖୋଷା କରିବାର ପରମ୍ପରା ରହିଥିଲା। ତେବେ ଗୃହିଣୀମାନେ ଖୋଷା କରିବାକୁ ବେଶୀ ପସନ୍ଦ କରୁଥିଲେ ଏବଂ ଖୋଷାକୁ କିପରି ଅଧିକ ଆକର୍ଷଣୀୟ କରିପାରିବେ, ସେ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ। ଏ ସଂପର୍କରେ ଅଠାଅଶୀ ବର୍ଷୀୟା ରାଧାମଣି ଦେବୀ କୁହନ୍ତି- ଆମ ସମୟରେ ଆମେ କେଶ ଖୋଲା ରଖି ଗୁରୁଜନଙ୍କ ସାମ୍ନାକୁ ଯାଉନଥିଲୁ। ସେଇଟା ଆମକୁ ମନା ଥିଲା। ତେଣୁ ବଡ଼ି ଅନ୍ଧାରରୁ ଉଠି ଆଗ ଆମେ ତେଲ ଲଗାଇ ବେଣୀ କରି ଖୋଷା ବାନ୍ଧୁଥିଲୁ। ବାନ୍ଧିବା ପରେ ତା’ ଉପରେ ମୁଣ୍ଡକଣ୍ଟା ମାରି ଦେଉଥିଲୁ, ଯେମିତି ଖୋଷା ଖୋଲି ନଯାଏ। ଏହି ଖୋଷା ଦୁଇ ତିନି ଦିନ ଯାଏ ସେମିତି ରହିଥାଏ। ତେବେ କୌଣସି ପର୍ବ ପର୍ବାଣିରେ ବିଶେଷକରି ରଜରେ ଆମେ ଖୋଷାକୁ ଖୁବ୍ ସୁନ୍ଦର ଭାବରେ ବାନ୍ଧୁଥିଲୁ। ରଜ ପୂର୍ବଦିନ ଅର୍ଥାତ୍ ସଜବାଜ ଦିନ ମୁଣ୍ଡକୁ ବନମାଟି ନ ହେଲେ ଶୁଖିଲା କଦଳୀପତ୍ରକୁ ପୋଡ଼ି ସେଥିରେ କେଶ ସଫା କରୁଥିଲୁ। ରାତିରୁ ଉଠି ମୁଣ୍ଡରେ ତେଲ ଲଗାଇ ପାଲିସ କରି କୁଣ୍ଡାଇ ବେଣୀ କରୁଥିଲୁ। ତା’ପରେ ଖୋଷା ବନ୍ଧା ହେଉଥିଲା। ଖୋଷାରେ ରୁପା ମଲ୍ଲୀକଢ଼, ସୁନା ଫୁଲ ସାଙ୍ଗକୁ ବଉଳ ଫୁଲର ମାଳ ବି ଲଗାଉଥିଲୁ। କେବେକେବେ ମଲ୍ଲୀକଢ଼ ଓ ମଲ୍ଲୀଫୁଲର ମାଳ ବି ଲଗାଉଥିଲୁ। ରଜ ତିନିଦିନ ଏ ଖୋଷା ଖୋଲୁନଥିଲା। ଆଉ ଆମର ସେତେବେଳେ ସୁନ୍ଦର ଖୋଷା ପାରିବାକୁ ନେଇ ଭାରି ପ୍ରତିଯୋଗିତା ଥିଲା। କାହାର କେତେ ସୁନ୍ଦର ଆଉ ବଡ଼ ଖୋଷା ସେ ବିଷୟରେ ଚର୍ଚ୍ଚା ହେଉଥିଲା।
ସମସ୍ତଙ୍କ ପ୍ରିୟ ଖୋଷା: ତେବେ ଖୋଷାର ଗୁରୁତ୍ୱ କେବଳ ଓଡ଼ିଆଣୀର ଓଢ଼ଣା ତଳେ ନ ଥିଲା। ସହରୀ ନାରୀଙ୍କଠାରୁ ଆରମ୍ଭ କରି ରୂପସୀ ଅଭିନେତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ରହିଛି ଖୋଷାର ଆଦର। ଏମିତିକି ଅତ୍ୟାଧୁନିକ ନାରୀମାନେ ବି ଖୋଷାରୁ ନିଜକୁ ବାଦ ଦେଇପାରି ନାହାନ୍ତି। ଅତ୍ୟାଧୁନିକ ପୋଷାକ ଓ ଗାଉନ୍ ଆଦିରେ ବି ସେମାନେ ଖୋଷାକୁ ସାମିଲ କରୁଛନ୍ତି। ଏମିତି କି ପାଶ୍ଚାତ୍ୟ ନାରୀମାନେ ବି ଖୋଷା ମୋହରୁ ନିଜକୁ ମୁକୁଳେଇ ପାରିନାହାନ୍ତିି। ଯୁଗ ବଦଳିବା ସହିତ ସେମାନଙ୍କ ପରିପାଟୀରେ ପରିବର୍ତ୍ତନ ଆସିଛି। ପରିବର୍ତ୍ତନ ଆସିଛି ମଧ୍ୟ କେଶ ବିନ୍ୟାସରେ। କିନ୍ତୁ ଅଧୁନା ଯୁବତୀମାନେ ହୁଅନ୍ତୁ ବା ଘରର ଗୃହିଣୀମାନେ ଗରମରୁ ରକ୍ଷା ପାଇବା ପାଇଁ ହେଉ ବା ଇନ୍ଷ୍ଟାଣ୍ଟ ଷ୍ଟାଇଲିଂ ପାଇଁ ଚୁଟିକୁ ଟେକି ରବର ବ୍ୟାଣ୍ଡ ବା କ୍ଲଚର ସାହାଯ୍ୟରେ ବନେଇ ଦିଅନ୍ତି ଏକ ଖୋଷା। ତେଣୁ ଖୋଷାର ଚାହିଦା ସେବେ ବି ଥିଲା ଆଉ ଏବେ ମଧ୍ୟ ରହିଛି। କେବଳ ପରିବର୍ତ୍ତନ ଆସିଛି ଏହାର ଷ୍ଟାଇଲରେ। ବ୍ରାଇଡାଲ ହେୟାର ଡୁ ମାନେ ମହିଳାଙ୍କ ପ୍ରଥମ ପସନ୍ଦ ହେଉଛି ଜୁଡ଼ା ବା ଖୋଷା। ବିଭିନ୍ନ ପ୍ରକାର ହେୟାର ଆସେସରିଜ୍ ସହ ସତେଜ ତଥା ଆର୍ଟିଫିସିଆଲ ଫୁଲ ଲଗାଇ ପ୍ରସ୍ତୁତ କରାଯାଇଥିବା ଜୁଡ଼ା ବା ଖୋଷା ବ୍ରାଇଡାଲ ଲୁକ୍କୁ ଆଉ ଟିକିଏ ଆଟ୍ରାକ୍ଟିଭ କରିଦେଇଥାଏ। କେବଳ ବ୍ରାଇଡାଲ ଲୁକ୍ ନୁହେଁ, ଆଜିକାଲିର ୟଙ୍ଗ କଲେଜ ଗୋଇଙ୍ଗ ଗର୍ଲ ହୁଅନ୍ତୁ ବା ଓ୍ବର୍କିଂ ଲେଡି, ଫର୍ମାଲ ଏବଂ କାଜୁଆଲ ଗେଟ୍ଅପ୍ ସାଙ୍ଗେ ଜୁଡ଼ା କରିବାକୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆଜିକାଲି କେଉଁ ଷ୍ଟାଇଲର ଜୁଡ଼ା ଟ୍ରେଣ୍ଡରେ ଅଛି ଏବଂ ଏଥିଲାଗି କିଭଳି ଆସେସରିଜ୍ ମାର୍କେଟରେ ଉପଲବ୍ଧ ଅଛି ଆସନ୍ତୁ ଜାଣିବା-
ଟ୍ରାଡିଶନାଲ ଜୁଡ଼ା: ପାରମ୍ପରିକ ଭାରତୀୟ ବିବାହ କଥା ଯେତେବେଳେ ଆସେ, ସେତେବେଳେ ମହିଳାମାନେ ଟ୍ରାଡିଶନାଲ ଗେଟଅପ୍ରେ ନିଜକୁ ସଜେଇବା ପାଇଁ ବେଶ୍ ପସନ୍ଦ କରିଥା’ନ୍ତି। ତେବେ ଟ୍ରାଡିଶନାଲ ଆଉଟ୍ଫିଟ, ଜୁଏଲେରୀ, ମେକ୍ଅପ୍ ସହ ବେଶ୍ ଭଲ ମାନିଥାଏ ଟ୍ରାଡିଶନାଲ ଜୁଡା। ଆଜିକାଲି ଫ୍ୟାଶନରେ ଥିବା କିଛି ଟ୍ରାଡିଶନାଲ ଜୁଡା ବା ବନ୍ ମଧ୍ୟରେ କ୍ରିସ୍କ୍ରସ୍ ବନ୍, ଲୋ ବନ୍, ସାଇଡ୍ ପାର୍ଟେଡ୍ ରିଙ୍ଗଲେଟ ବନ୍, ଟ୍ବିଷ୍ଟେଡ୍ ସାଇଡ୍ ବନ୍, ସେଣ୍ଟର ପାର୍ଟେଡ ବନ୍, ବୁକେ ବନ୍, ଫ୍ଲୋରାଲ ଅପ୍ ଡୁ ବନ୍, ରୋଜି ରିଙ୍ଗଲେଟ୍ ବନ୍, ଗଜରା କଭର୍ଡ ବନ୍ ଇତ୍ୟାଦି ମହିଳାମାନଙ୍କୁ ବେଶ୍ ପସନ୍ଦ ଆସୁଛି। ଶର୍ଟ, ମିଡିୟମ୍ ବା ଲଙ୍ଗ ଯେକୌଣସି ହେୟାର ଲେନ୍ଥରେ ଏହି ଜୁଡ଼ା ପ୍ରସ୍ତୁତ କରାଯାଇପାରୁଛି। ଶର୍ଟ ବା ମିଡିୟମ୍ ହେୟାର ଲେନ୍ଥ ପାଇଁ ହେୟାର ଏକ୍ସଟେନ୍ସନ ବ୍ୟବହାର କରାଯାଉଥିବା ବେଳେ ଲଙ୍ଗ ହେୟାର ପାଇଁ କୌଣସି ଏକ୍ସଟେନ୍ସନ ଦରକାର ପଡିନଥାଏ।
ଫ୍ୟୁଜନ୍ ଜୁଡ଼ା: ଆଜିକାଲିର ବିବାହ ଉତ୍ସବ ବିଭିନ୍ନ ଥିମ୍କୁ ନେଇ ଅନୁଷ୍ଠିତ ହେଉଛି। ଟ୍ରାଡିଶନାଲ ଥିମ୍ ସହ ଅନ୍ୟାନ୍ୟ ଥିମ୍କୁ ଫ୍ୟୁଜନ୍ କରି ବିବାହ ଉତ୍ସବ ଆୟୋଜନ କରାଯାଉଛି। ଏହିସବୁ ପାର୍ଟିରେ ଯୋଗ ଦେଉଥିବା ଅତିଥିମାନେ ମଧ୍ୟ ସ୍ବତନ୍ତ୍ର ଡ୍ରେସ୍କୋଡ ପରିଧାନ କରି ଆସିବାର ନିୟମ ଥାଏ । ତେବେ ଫ୍ୟୁଜନ୍ ବେସ୍ଡ ପାର୍ଟିରେ ଯୋଗଦେଉଥିବା ବେଳେ ଫ୍ୟୁଜନ୍ ଆଉଟ୍ଫିଟ ଏବଂ ଜୁଏଲେରି ସହ ଫ୍ୟୁଜନ୍ ଜୁଡ଼ା ବେଶ୍ ଭଲ ମାନିଥାଏ। ଏହି ଫ୍ୟୁଜନ୍ ଜୁଡ଼ା ମଧ୍ୟରେ ସେନୋରିଟା ବନ୍, ଫ୍ରେଞ୍ଚ୍ ଟ୍ବିଷ୍ଟ ବନ୍, କ୍ରାଉନ୍ ବ୍ରେଇଡ ସାଇଡ୍ ବନ୍, ମେସି ସାଇଡ୍ ବନ୍, ଗୋଲ୍ଡ ଫ୍ଲୋରାଲ ବନ୍, ପିନ୍ ଅପ୍ ବନ୍, ରୋଜ୍ ବନ୍, ବ୍ରେଇଡେଡ୍ ବନ୍, ଡଚ୍ ବ୍ରେଇଡ ବନ୍ ଆଦି ଖୁବ୍ ସୁନ୍ଦର ଲାଗିଥାଏ।
ମଡର୍ନ ଜୁଡା:ଆଜିକାଲିର ୟଙ୍ଗ କଲେଜ ଗୋଇଙ୍ଗ ଗର୍ଲ ବା କର୍ମଜୀବୀ ତରୁଣୀମାନେ କଲେଜ ବା ଅଫିସ୍ ଫଙ୍କଶନ୍, ରିସେପ୍ସନ ପାର୍ଟି ଆଦିରେ ମଡର୍ନ ଆଉଟଫିଟ୍ ପିନ୍ଧିବାକୁ ବେଶ ପସନ୍ଦ କରୁଛନ୍ତି। ତେବେ ଲଙ୍ଗ୍ ବା ଶର୍ଟ ଗାଉନ୍, ସ୍କର୍ଟ ଆଦିରେ ମଡର୍ନ ଷ୍ଟାଇଲ୍ ଜୁଡ଼ା ଏବେ ଭଲ ଟ୍ରେଣ୍ଡରେ ଅଛି। ତେବେ ମଡର୍ନ ଜୁଡ଼ା ମଧ୍ୟରେ ପୋନି ଟେଲ ଜୁଡା, ମଡର୍ନ ବ୍ରେଇଡେଡ୍ ବନ, ହାଫ୍ ଓ୍ବେ କର୍ଲଡ୍ ଚିଗ୍ନୋନ୍ ବନ୍, ବିଗ୍ କର୍ଲଡ୍ କ୍ଲାସିକ୍ ବନ୍, ସ୍ଲିକର୍ ସାଇଡ୍ ବନ୍, କର୍ଲି ରୋଲ ବ୍ୟାକ୍ ହେୟାର ବନ୍, ସଫ୍ଟ ବ୍ୟାକ୍ ବନ୍, ଟ୍ବିଷ୍ଟେଡ ଲୋ ବନ୍, ସାଇଡ ପିନ୍ଡ ବନ୍, ବାଲେରିନା ବନ୍, ଟପ୍ ନଟ୍ ବନ୍, ଲୋ ନେକ୍ ବନ୍, କ୍ଲାସିକ୍ ବନ୍ ଓ୍ବିଥ୍ ଫ୍ରେଞ୍ଚ ଟ୍ବିଷ୍ଟ୍, ଶେଲ ବନ୍, ବ୍ଲଣ୍ଡ ହେୟାର୍ ବନ୍, ଭିଣ୍ଟେଜ୍ ବନ୍, ଥ୍ରୀଡି ବନ୍କୁ ମହିଳାମାନେ ବେଶ୍ ପସନ୍ଦ କରୁଛନ୍ତି।
ସମ୍ବଲପୁରୀ ଢଲିଆ ଖୋଷା: ସମ୍ବଲପୁର ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ମହିଳାମାନଙ୍କ ପ୍ରିୟ ଢଲିଆ ଖୋଷା। ଏହା ଡାହାଣ କାନ ତଳକୁ ଢଳିକରି ରହିଥାଏ। ଖୋଷାର ଚାରିପାର୍ଶ୍ୱରେ ୮ ରୁ ୧୦ଟି ଖିରିପିନ୍ ସଦୃଶ କଣ୍ଟା ଖଞ୍ଜା ଯାଇଥାଏ। ଏଥିସହ ସିନ୍ଥି, ଗୁଜକାଠି, ଫିରିଫରିଆ ଲଗାଯାଇଥାଏ। ମଝିରେ ଏକ ଗରା ଦିଆଯାଏ, ଯାହାକି ସମସ୍ତ କେଶକୁ ଜାବୁଡି କରି ରଖିଥାଏ। ଢଲିଆ କୋଷା ତିଆରି ହେଲା ପରେ ଉପରେ ରୁପାର ଚଉଁରି ଲଗାଇଥା’ନ୍ତି। ଏହା (ଚଉଁରି ମୁଡି) ଢଲିଆ ଖୋଷକୁ ଆହୁରି ସୁନ୍ଦର କରିଥାଏ। ସମ୍ପ୍ରତି ଏହା ଗ୍ରାମାଞ୍ଚଳରେ କାଁ ଭାଁ ଦେଖିବାକୁ ମିଳୁଛି। ଅପରପକ୍ଷେ ଏହି ଖୋଷା ସମ୍ବଲପୁର ଅଞ୍ଚଳର ଆଦିବାସୀ କରମା ନାଚରେ ଦେଖିବାକୁ ମିଳିଥାଏ। ଢଲିଆ ଖୋଷା ତିଆରି କରିବାକୁ ୧୦ ମିନିଟ ସମୟ ଲାଗିଥାଏ।
ଖୋଷାଟିଏ କରିପାରେନି ବୋଲି ମନ ଦୁଃଖ ହୁଏ
ଆଗ କାଳରେ ସୁନ୍ଦର ଲମ୍ବା କେଶ ଯେଉଁମାନଙ୍କର ଥିଲା, ତାଙ୍କୁ ସୁଲକ୍ଷଣୀ ବୋଲି କୁହାଯାଉଥିଲା। କେଶରେ ତେଲ ଲଗାଇ ସୁନ୍ଦର ଭାବେ ସଜେଇ ରଖିବା ସେତେବେଳେ ଏକ କଳା ଥିଲା। ଛୁଆ ବେଳୁ ମୋର ଲମ୍ବା କେଶ। ମାଆ ନିଜେ ଘରେ ନଡିଆ ତେଲ ତିଆରି କରୁଥିଲେ। ଏହାଛଡା ଶିକାକାଇ, ମନ୍ଦାର ଫୁଲ, ରିଠା, ଅଁଳା ଆଦିକୁ ଶୁଖେଇ ବାଟି ତା’ର ଏକ ପେଷ୍ଟ ପ୍ରସ୍ତୁତ କରୁଥିଲେ, ଯାହା ଆମ କେଶରେ ଲଗାଯାଉଥିଲା। ତେଣୁ ମୋର ଲମ୍ବା ଘନ କେଶର କ୍ରେଡିଟ୍ ନିଶ୍ଚୟ ଭାବେ ମୋ ମା’ଙ୍କୁ ଦେବି। ତେବେ ପିଲାଦିନେ ମୋ ମାଆ ଅତି ଯତନରେ କେଶରେ ତେଲ ଲଗେଇ କୁଣ୍ଡେଇ ଦିଅନ୍ତି। ଖରାଦିନେ ଗରମ ଯୋଗୁଁ ଚୁଟିକୁ ଖୋଷା କରିଦେଉଥିଲେ ନ ହେଲେ ବେଣୀ କରି ତାକୁ ଗୋଲ ଗୋଲ ମୋଡି ଖୋଷା କରି କ୍ଲିପ୍ ଦେଇଦିଅନ୍ତି। ଯେତେ ଖେଳାଖେଳି କଲେ ମଧ୍ୟ ଖୋଷା ଜମା ବାହାରେ ନାହିଁ। ସେ ସେମିତି ଫିକ୍ସ ହୋଇ ରହିଥାଏ। ଖୋଷାକୁ ଆକର୍ଷଣୀୟ କରିବା ପାଇଁ ସେଥିରେ ମଲ୍ଲୀ, ରଜନୀଗନ୍ଧା, ଇଟିମଳା, ଚନ୍ଦ୍ରମଲ୍ଲୀ ଆଦି ଫୁଲ ସହ ମରୁଆ ପତ୍ରକୁ ଗୁନ୍ଥି ମାଳ କରି ଲଗାଯାଉଥିଲା। ଯେତେବେଳେ କୌଣସି ବିବାହ, ବ୍ରତ ବା ଆଓ୍ବାର୍ଡ ଫଙ୍କସନ୍ରେ ଯାଉଥିଲି, ପାରମ୍ପରିକ ପୋଷାକ ସହ ଖୋଷା କରି ସେଥିରେ କୌଣସି ହେୟାର ଆସେସରିଜ୍ ବା ଫୁଲ ଗଜରା ଲଗାଉଥିଲି। କିନ୍ତୁ ଏବେ ଯେହେତୁ ମା’ ମୋ ପାଖରେ ନାହିଁ, ତେଣୁ ଖୋଷା କରିବା, ଚୁଟିର ଯତ୍ନ ସେ ସବୁ ବହୁତ ମିଶ୍ କରେ। ଲମ୍ବା ଚୁଟି ବୋଲି ଯିଏ ଦେଖିଲା କୁହନ୍ତି ଖୋଲା ଚୁଟି ଥାଉ। ତେଣୁ ଲୋକଙ୍କ କଥା ରଖିବାକୁ ଯାଇ ଚୁଟି ଖୋଲା ରଖେ, କିନ୍ତୁ ଅନ୍ୟମାନଙ୍କୁ ଯେତେବେଳେ ଖୋଷା କରିବାର ଦେଖେ, ସେତେବେଳେ ବହୁତ ମନ ଦୁଃଖ ହୁଏ ଯେ ଏତେ ଲମ୍ବା ଚୁଟି ଥାଇ ବି ଖୋଷାଟେ କରିପାରୁନି।
– ଜୟା ସ୍ବାମୀ, ଅଭିନେତ୍ରୀ
ଆଜି ବି ଖୋଷା କଲେ ଗଜରା ବା ଗୋଲାପ ଫୁଲଟିଏ ଲଗାଇବାକୁ ଆଦୌ ଭୁଲେନାହିଁ
ଖୋଷା ବା ଜୁଡ଼ା ଆମ ଓଡ଼ିଆ ସଂସ୍କୃତିର ପରିଚୟ ବହନ କରେ। ପୁରାଣ ଯୁଗରୁ ଏହା ଆମ ସଂସ୍କୃତି ସହ ସଂଶ୍ଳିଷ୍ଟ ହୋଇଆସିଛି। କୌଣସି ପାରମ୍ପରିକ ନୃତ୍ୟ ପରିବେଷଣ ହେଉ ବା କୌଣସି ପର୍ବପର୍ବାଣି ନାରୀମାନେ ନିଜ ଶୃଙ୍ଗାରର ଏକ ଅଂଶ ବିଶେଷଭାବେ ଖୋଷାକୁ ସାମିଲ କରିଥା’ନ୍ତି। ମନେଅଛି ପିଲାଦିନେ ରଜ ବା କୁମାରପୂର୍ଣ୍ଣମୀ ଅବସରରେ ଆମେ ଝିଅମାନେ ନୂଆ ଡ୍ରେସ୍ ପିନ୍ଧି, ଅଳତା, କୁମ୍କୁମ୍ ଲଗାଇ ମୁଣ୍ଡରେ ଖୋଷା ସାଙ୍ଗକୁ ମଲ୍ଲୀଫୁଲ ବା ଗଜରା ଫୁଲର ମାଳ ଲଗାଇ ଉତ୍ସୁକତାର ସହ ପର୍ବ ପାଳନ କରୁଥିଲୁ। ପିଠାପଣା ସହ ନାଚଗୀତର ଆସର ଜମୁଥିଲା। ଛୋଟଥିଲୁ, ଯେହେତୁ ନିଜେ ନିଜେ ଖୋଷା ବାନ୍ଧିବା ସମ୍ଭବ ହେଉନଥିଲା, ତେଣୁ ମା’ମାନେ ଆମକୁ ସଜ କରିଦେଉଥିଲେ। ତା’ପରେ ଖୋଷାରେ ଲାଗିଥିବା ସେ ମଲ୍ଲୀ ଆଉ ରଜନୀଗନ୍ଧାର ବାସ୍ନାରେ ଚଉଦିଗ ମହକି ଉଠୁଥିଲା। ଏବେବି ଯେବେ ପର୍ବପର୍ବାଣି ଅବସରରେ ସେ ସବୁ ସ୍ମୃତି ମନେପଡେ, ସେହି ଦିନକୁ ପୁଣି ଫେରିଯିବାକୁ ଇଚ୍ଛା ହୁଏ। ଯୁଗ ବଦଳିଲାଣି। ତା’ ସହ ଆମ ଚାଲିଚଳଣି, ବେଶଭୁଷା ମଧ୍ୟ ବଦଳିଲାଣି। ତେବେ ଯେବେ ବି କେବେ ମତେ ସୁଯୋଗ ମିଳେ ଖୋଷା ବାନ୍ଧିବାର ମୁଁ କଦାପି ସେ ସୁଯୋଗ ହାତଛଡା କରେନି। ଟିଭି ପ୍ରୋଗ୍ରାମ ପାଇଁ କୌଣସି ଶୁଟିଂ କରିବା ଅବସରରେ ହେଉ ବା କୌଣସି ବିବାହ ବା ବ୍ରତରେ ଯୋଗଦେବା ଅବସରରେ ପାରମ୍ପରିକ ଶାଢ଼ି ସହ ଖୋଷା କରିବାକୁ ଭଲପାଏ। ଆଉ ଖୋଷା ସହ ଗଜରା ବା ଗୋଲାପ ଫୁଲଟିଏ ଲଗାଇବାକୁ ଆଦୌ ଭୁଲେନାହିଁ।
–ଗୀତା ଦାଶ, କଣ୍ଠଶିଳ୍ପୀ
ବଦଳିଛି ଖୋଷାର ଟ୍ରେଣ୍ଡ:
ଖୋଷା ବା ଜୁଡ଼ା ମହିଳାଙ୍କ ପରିପାଟୀର ଏକ ଅଂଶବିଶେଷ। ଆଗ କାଳରେ ମହିଳାମାନେ ଚୁଟିରେ ତେଲ ଦେଇ ଖୋଷା ତିଆରି କରୁଥିଲେ। ତାକୁ ଫୁଲର ବିଭିନ୍ନ ପିନ୍, ଗଜରା, ଗୋଲାପ ଫୁଲ ଆଦି ଦ୍ୱାରା ସଜାଉଥିଲେ, ଯାହା ଦେଖିବାକୁ ଖୁବ୍ ସୁନ୍ଦର ମଧ୍ୟ ଲାଗୁଥିଲା। ତେବେ ଯୁଗ ପରିବର୍ତ୍ତନ ହେବା ସହ ଖୋଷା କରିବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦେଲା। ସାଧାରଣ ଦେଖାଯାଉଥିବା ଖୋଷାକୁ ବିଭିନ୍ନ ଡିଜାଇନ୍ ମାଧ୍ୟମରେ ତାକୁ ଆକର୍ଷକ ରୂପ ଦିଆଯାଉଛି। ଏ ସମ୍ପର୍କରେ ଇଶାସ୍ ହର୍ବାଲର ମ୍ୟାନେଜିଂ ଡାଇରେକ୍ଟର ପ୍ରବୀଣା ତ୍ରିପାଠୀ କୁହନ୍ତି- ବିବାହ, ବ୍ରତ ଆଦି ଅବସରରେ ଯୋଗ ଦେବା ବେଳେ ମହିଳାମାନେ ଶାଢ଼ି, ଲେହେଙ୍ଗା ପିନ୍ଧିବାକୁ ବେଶ୍ ପସନ୍ଦ କରିଥା’ନ୍ତି। ତେବେ ଟ୍ରାଡିଶନାଲ ଶାଢ଼ି, ଲେହେଙ୍ଗା ସାଙ୍ଗେ ବେଶ୍ ଭଲ ମାନିଥାଏ ଖୋଷା ବା ଜୁଡ଼ା।
ମହିଳାମାନଙ୍କର ଏହି ଖୋସା କରିବା ରୁଚିକୁ ଦେଖି ହେୟାର ଷ୍ଟାଇଲ ଏକ୍ସପର୍ଟମାନେ ଖୋଷାକୁ ନେଇ ଅନେକ ପ୍ରକାର ଏକ୍ସପେରିମେଣ୍ଟ କରିବା ଆରମ୍ଭ କଲେ। ଶର୍ଟ ଏବଂ ମିଡିୟମ୍ ଲେନ୍ଥ ଥିବା ଚୁଟିରେ ଟ୍ୟାସିଲ ବ୍ୟବହାର କରି ଖୋଷା ତିଆରି କରାଯାଉଥିବା ବେଳେ ଲଙ୍ଗ ହେୟାର ଲେନ୍ଥ ଲାଗି ପ୍ରାୟତଃ ଏକ୍ସଟେନସନ୍ ଦରକାର ପଡିନଥାଏ। ପୂର୍ବେ ଖୋଷା ଉଚ୍ଚା ବା ବଡ଼ ଦେଖାଯିବା ଲାଗି ସେଥିରେ ହେୟାର ପଫ୍, ହେୟାର ଡୋ ନଟ୍, ବାନାନା ବମ୍ ପିଟ୍, ଭଲ୍ୟୁମାଇଜର୍ ଆଦି ବ୍ୟବହାର କରାଯାଉଥିଲା। ଏହା ବହୁତ ହେଭି ଲାଗୁଥିଲା ଏବଂ କ୍ୟାରି କରିବାକୁ ଅସୁବିଧା ହେଉଥିଲା। କିନ୍ତୁ ବର୍ତ୍ତମାନର ମଡର୍ନ ଟେକ୍ନିକ୍ ଅନୁଯାୟୀ ଖୋଷା କରିବା ପୂର୍ବରୁ ପ୍ରଥମେ ଚୁଟିକୁ ପ୍ରସ୍ତୁତ କରାଯାଏ। ସ୍ପ୍ରେ ଜରିଆରେ ନ୍ୟାଚୁରାଲ ହେୟାରକୁ ଡମି ହେୟାରରେ ପରିଣତ କରାଯାଏ। ଏହାଦ୍ୱାରା ଚୁଟିକୁ ଯେପରି ଶେପ୍ ଦିଆଯିବ ତାହା ଫିକ୍ସ ହୋଇ ରହିବ। ସେହିଭଳି ଭାବେ ଚୁଟିକୁ ଓ୍ବେଭ୍, କର୍ଲ, ରୋଜ୍ ଶେପ୍ ଦେଇ ଖୋଷାକୁ ବିଭିନ୍ନ ଡିଜାଇନ୍ରେ ସଜ୍ଜା ଯାଇଥାଏ। ଖୋଷା ପ୍ରସ୍ତୁତ ହୋଇଗଲା ପରେ ତାକୁ ଆଉ ଟିକିଏ ଆଟ୍ରାକ୍ଟିଭ କରିବା ପାଇଁ ସେଥିରେ ବିଭିନ୍ନ ଆସେସରିଜ୍ ଯଥା: ଆର୍ଟିଫିସିଆଲ ଫ୍ଲାଓ୍ବାର, ଗୋଲ୍ଡ ଏବଂ ସିଲଭର ପ୍ଲେଟେଡ ହେୟାର ଜୁଏଲେରି, ପର୍ଲ, କ୍ର୍ରିଷ୍ଟାଲ, କପର୍ ବେଶ୍ ଜୁଡା ପିନ୍, ଆର୍ଟିଫିସିଆଲ ଜୁଡା ମେକର ଫ୍ଲାଓ୍ବାର ଗଜରା, କୋମ୍ବ ହେୟାର କ୍ଲିପ୍ ଆଦି ଦ୍ୱାରା ଡେକୋରେଟ କରାଯାଇଥାଏ। ତେବେ ଆଜିକାଲି ମହିଳାମାନେ ଆର୍ଟିଫିସିଆଲ ଫ୍ଲାଓ୍ବାର ଅପେକ୍ଷା ନ୍ୟାଚୁରାଲ ଫ୍ଲାଓ୍ବାରକୁ ବେଶୀ ପସନ୍ଦ କରୁଛନ୍ତି। ତେଣୁ ଖାସ୍ ଖୋଷା ପାଇଁ ଆମେ ନ୍ୟାଚୁରାଲ ଫ୍ଲାଓ୍ବାର ଯଥା ଗୋଲାପ, ଅର୍କିଡ୍, ମଲ୍ଲୀ, ରଜନୀ ଗନ୍ଧା, ଚମ୍ପା ତଥା ବିଭିନ୍ନ ପ୍ରକାର ପତ୍ରକୁ ବ୍ୟବହାର କରିଥାଉ।
ଖୋଷା ତା’ର ସୌନ୍ଦର୍ଯ୍ୟରେ ନାରୀକୁ ଏତେ ସୌନ୍ଦର୍ଯ୍ୟମୟୀ କରିଦିଏ ଯେ ତା’ଠାରୁ କୌଣସି ନାରୀ ଚାହିଁଲେ ବି ନିଜକୁ ଦୂରେଇ ଦେଇପାରେନାହଁି।
-ରୋଜାଲିନ ମହାନ୍ତି, ଲିପ୍ସା ବିଶୋଇ