ମୁମ୍ବାଇ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସୋସିଆଲ ମିଡିଆ ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ ଛାଡିବା କଥା ଚିନ୍ତା କରୁଥିବା କହିବାର କିଛି ସମୟ ପରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶଙ୍କ ପତ୍ନୀ ଅମୃତା ଫଡନିବଶ କହିଥିଲେ, ସେ ମୋଦିଙ୍କୁ ଅନୁସରଣ କରନ୍ତି ତେଣୁ ଏବେ ସେ ମୋଦିଙ୍କ ଭଳି ସୋସିଆଲ ମିଡିଆ ମଧ୍ୟ ଛାଡିଦେବାକୁ ସ୍ଥିର କରିଛନ୍ତି। ଏହାକୁ ନେଇ ଅମୃତା ଟୁଇଟ୍ କରି କହିଥିଲେ, ବେଳେବେଳେ ଛୋଟ ଛୋଟ ନିର୍ଣ୍ଣୟ ଆମ ଜୀବନକୁ ବଦଳାଇ ଦେଇଥାଏ। ମୁଁ ମୋ ନେତାଙ୍କ ପଥକୁ ଅନୁସରଣ କରିବି ବୋଲି ସେ ଟୁଇଟରରେ ଉଲ୍ଲେଖ କରିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅମୃତା ନିଜ ଟୁଇଟକୁ ନେଇ ବହୁବାର ବିବାଦକୁ ଆସିଛନ୍ତି। ନିକଟରେ ସେ ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ତଥା ଶିବସେନା ନେତା ଆଦିତ୍ୟ ଠାକରେଙ୍କୁ ନେଇ କିଛି ସମାଲୋଚନା ମୂଳକ ମନ୍ତବ୍ୟ ମଧ୍ୟ ଦେଇଥିଲେ।