ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଆଗାମୀ ବିଧାନ ସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ତେବେ ଯୁବ ଶିବସେନା ମୁଖ୍ୟ ଆଦିତ୍ୟ ସାଉଥ୍ ମୁମ୍ବାଇର ଓ୍ବର୍ଲି ଆସନରୁ ଲଢିବେ ବୋଲି କୁହାଯାଉଛି। ଯଦି ଏହା ସତ ହୁଏ ତେବେ ଠାକରେ ପରିବାରର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିହେବ। ପ୍ରଥମ କରି ଠାକରେ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢିବେ। ସୂଚନାଯୋଗ୍ୟ, ଚଳିତ ମାସର ପ୍ରଥମରେ ଆଦିତ୍ୟ ଯେତେବେଳେ ‘ଜନ ଆଶୀର୍ବାଦ’ ରାଲିରେ ଯୋଗ ଦେଇଥିଲେ ଅନୁମାନ କରାଯାଉଥିଲା କି ସେ ନିର୍ବାଚନ ଲଢି ପାରନ୍ତି। ଆଉ ଏହାଥିଲା ତା’ର ଆରମ୍ଭ। କାରଣ ‘ଜନ ଆଶୀର୍ବାଦ’ ରାଲି ମାଧ୍ୟମରେ ସେ ଯୁବ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ପ୍ରୟାସ କରିଥିଲେ ବୋଲି କୁହାଯାଉଛି। ଆହୁରି ମଧ୍ୟ ଅଲୋଚନା ହେଉଛି କି ଆଦିତ୍ୟ ଶିବସେନାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି।