ଖଣ୍ଡପଡା,୨୭।୮(ସ୍ବ.ପ୍ର.)-ସୋମବାର କାଳୀୟଦଳନ ଏକାଦଶୀ ତିଥିରେ କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ବାଳୁତ କୃଷ୍ଣଙ୍କର ଲବଣୀଖିଆ ଓ କାଳୀୟ ଦଳନ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସ୍ନାନ ଏବଂ ଅବକାଶ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଅପରାହ୍ନ ପ୍ରାୟ ୨ଟାରେ ଠାକୁରଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ବାଳୁତକୃଷ୍ଣ (ଗୁରୁଣ୍ଡି ଗୋପାଳ)ଙ୍କୁ ବେଶ କରାଯାଇଥିଲା । ଗୋପାଳ ଭୂମିକାରେ ଅବତୀର୍ଣ୍ଣ ନୀହାର ରଞ୍ଜନ ମିଶ୍ର, ବାଳଗୋପାଳ କୃଷ୍ଣ ଓ ମଦନମୋହନଙ୍କୁ ସେବକସାହିସ୍ଥ ରବୀନ୍ଦ୍ର ନାଥ ମିଶ୍ରଙ୍କ ବାସଭବନକୁ ନିମନ୍ତ୍ରଣ ରକ୍ଷା କରି ଲବଣୀ ଖାଇବାକୁ ନେଇଥିଲେ ା ନିମନ୍ତ୍ରଣ ସାଥିରେ ଅଣାଯାଇଥିବା ନୂତନ ବସ୍ତ୍ର ଓ ଅଳଙ୍କାର ପରିଧାନ କରି ବାଳୁତକୃଷ୍ଣ ସମ୍ପୃକ୍ତ ପୂଜକ ମିଶ୍ରଙ୍କ ଗୃହକୁ ଅପରାହ୍ନ ପ୍ରାୟ ସାଢେ୪ଟାରେ ବିଜେ କରିଥିଲେ । ପୂଜକ ମିଶ୍ର ଠାକୁରଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରିବା ପରେ ସାହିର ସମସ୍ତ ବ୍ରାହ୍ମଣ ସମ୍ପ୍ରଦାୟର ମହିଳାମାନେ ବାଳଗୋପାଳଙ୍କୁ ବନ୍ଦାପନା କରି ପୂଜାର୍ଚ୍ଚନା କରିଥିଲେ । ଏହାପରେ ଶ୍ରୀ ଜୀଉଙ୍କୁ ସର, ଲବଣୀ ଓ ବିଭିନ୍ନ ପ୍ରକାର ଫଳ ଅର୍ପଣ କରାଯାଇଥିଲା । ଅପରାହ୍ନ ପ୍ରାୟ ୫ଟାରେ କାଳିନ୍ଦୀ ହ୍ରଦ ଭାବରେ ନୀତି ସମ୍ପନ୍ନ ହେଉଥିବା ନୀଳମାଧବ ଜୀଉଙ୍କ ଦୟଣା ଚୋରି ବଗିଚାକୁ ବିଜେ ହୋଇଥିଲେ ବୋଲି ଦେବୋତ୍ତର ମ୍ୟାନେଜର ହରିହର ଦାଶ ସୂଚନା ଦେଇଛନ୍ତି ।