ନୂଆ ଶୀତଳଯୁଦ୍ଧ

ଦକ୍ଷିଣ ଚାଇନା ସାଗର ବା ସାଉଥ୍‌ ଚାଇନା ସି’ ହେଉଛି ପ୍ରଶାନ୍ତ ମହାସାଗରର ଏକ ଅଂଶ। ବିଶ୍ୱର ଏକ ତୃତୀୟାଂଶ ଜାହାଜ ଏହି ବାଟ ଦେଇ ଯିବାଆସିବା କରିଥାଏ। ଫଳରେ ପ୍ରତ୍ୟେକ ବର୍ଷ ୩ ଟ୍ରିଲିୟନ ଆମେରିକୀୟ ଡଲାରର ବାଣିଜି୍ୟକ କାରବାର ଏହାର ଜଳରାଶି ଦେଇ ହୋଇଥାଏ। ଚାଇନା, ତାଇଓ୍ବାନ, ଫିଲିପାଇନ୍ସ, ବ୍ରୁନେଇ, ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଓ ଭିଏଟ୍‌ନାମ ଭଳି ଦେଶ ଏହାର ଚାରିକଡ଼େ ରହିଛନ୍ତି। କିନ୍ତୁ ଚାଇନା ଅନ୍ୟ ଦେଶ ଅପେକ୍ଷା ସେଠାରେ ନିଜର ଆଧିପତ୍ୟ ବିସ୍ତାର କରିଚାଲିଛି। ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନକୁ ଚାଇନା ନ ମାନି ସେଠାରେ ନୌଜାହାଜ ମୁତୟନ କରିବା ସହ ସମୁଦ୍ର ଗର୍ଭରୁ ବାଲି ଉଠାଇ କେତୋଟି କ୍ଷୁଦ୍ର ଦ୍ୱୀପ ସୃଷ୍ଟି କରିଥିବାର ଅସମର୍ଥିତ ସୂତ୍ରରୁ ଖବର ମିଳୁଛି। ଏଥିସହିତ ଅନ୍ୟ ଦେଶର ଜାହାଜକୁ ଦୂରେଇ ଦେଉଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯେହେତୁ ଚାଇନା ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରୁଛି, ଆମେରିକା ସେଠାରେ ମଧ୍ୟସ୍ଥ ଭୂମିକା ଗ୍ରହଣ କରି ଉକ୍ତ ଜଳରାଶିରେ ଅନ୍ୟାନ୍ୟ ଦେଶର ଜାହାଜଗୁଡ଼ିକ କିଭଳି ମୁକ୍ତ ଆତଯାତ କରିବେ ତାହା ଉପରେ ଗୁରୁତ୍ୱ ଦେଇଆସୁଛି। ଆମେରିକାର ଏଭଳି ହସ୍ତକ୍ଷେପକୁ ବେଜିଂ ବିରୋଧ କରୁଛି। ଅନ୍ୟପକ୍ଷରେ ଚାଇନାର ବିରୋଧୀ ରାଷ୍ଟ୍ରଗୁଡ଼ିକୁ ଏକତ୍ରିତ କରି ଆମେରିକା ସେଠାରେ ସାମରିକ ବଳକୁ ସୁଦୃଢ଼ କରୁଥିବାରୁ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ପରିସ୍ଥିତି ଯେଭଳି ଉଗ୍ର ହେବାରେ ଲାଗିଛି ତାହା ଆଉ ଏକ ଶୀତଳଯୁଦ୍ଧକୁ ଜନ୍ମ ଦେଉଛି ବୋଲି ବିଶେଷଜ୍ଞମାନେ ଆଶଙ୍କା କଲେଣି।
ଚାଇନାର ଉହାନରୁ ବାହାରିଥିବା କରୋନା ଭାଇରସ୍‌ ଏବେ ବିଶ୍ୱବ୍ୟାପୀ ଲୋକଙ୍କୁ କଲବଲ କରିଦେଇଛି। ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ସେଠାରେ ପାଖାପାଖି ଏକ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ୟୁରୋପୀୟ ଦେଶ ସହ ଏସିଆ ମହାଦେଶରେ ଏହାର ପ୍ରାଦୁର୍ଭାବ ବଢ଼ିଚାଲିଥିବାରୁ ସମସ୍ତେ ଚାଇନା ଉପରେ ଖଡ୍ଟହସ୍ତ। ଏଭଳିସ୍ଥଳେ ଚାଇନାର ଖୁଣ ଖୋଜିବାରେ କେତେକ ରାଷ୍ଟ୍ର ଲାଗି ପଡ଼ିଛନ୍ତି। ଆଉ କିଛି ରାଷ୍ଟ୍ର ଚାଇନାକୁ ଏକଘରକିଆ କରିଦେବା ପାଇଁ ମସୁଧା ଚଳାଇଛନ୍ତି। ତା’ ସହ ବାଣିଜି୍ୟକ କାରବାର ବନ୍ଦ କରିଦିଆଯିବା ଉଚିତ ବୋଲି ଅନେକ ଦେଶ ମତଦେଲେଣି। ହେଲେ ଚାଇନା ବିଚଳିତ ହେଉଥିବା ଦେଖାଯାଉ ନାହିଁ। କାରଣ ବିଶ୍ୱ ଅର୍ଥନୀତିରେ ବେଜିଂର ପଲା ଭାରି ରହିଛି। ବିଭିନ୍ନ ଦେଶକୁ ବାଣିଜି୍ୟକ ରପ୍ତାନି କରିବାରେ ଆଗରେ ରହିବା ସହ ଅନ୍ୟ ଦେଶରେ ତିଆରି ହେଉଥିବା ଅନେକ ସାମଗ୍ରୀ ପାଇଁ ଚାଇନା କଞ୍ଚାମାଲ ଯୋଗାଇଆସୁଛି। ଭାରତ ସମେତ ବହୁ ରାଷ୍ଟ୍ରର ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଔଷଧ ପ୍ରସ୍ତୁତି ଲାଗି ସକ୍ରିୟ ଉପାଦାନ ବା ଏପିଆଇ ଚାଇନାରୁ ଆମଦାନୀ କରାଯାଇଥାଏ। ସେହିଭଳି ଶସ୍ତା ଶ୍ରମଶକ୍ତି ଯୋଗୁ ଚାଇନା ପ୍ରଚୁର ସାମଗ୍ରୀ ପ୍ରସ୍ତୁତ କରି ତାହାକୁ ବିଶ୍ୱବ୍ୟାପୀ ଖେଳେଇ ଦେଇଛି। ତେଣୁ ଏଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ବିରୋଧରେ ପ୍ରତିଶୋଧ ନେଲା ଭଳି ଅନ୍ୟ ଦେଶଗୁଡ଼ିକ ସହଜରେ ରାଜି ହେବେ ବୋଲି ବିଶ୍ୱାସ ହେଉନାହିଁ। ଏପରିସ୍ଥଳେ ଆମେରିକା ସାଉଥ୍‌ ଚାଇନା ସି’କୁ ଆଳକରି ବେଜିଂ ବିରୋଧରେ ଶୀତଳଯୁଦ୍ଧ ଆରମ୍ଭ କରିବାକୁ ଯାଉଛି ବୋଲି କୁହାଯାଉଛି। ଚାଇନା ମଧ୍ୟ ସେଥିଲାଗି ପ୍ରସ୍ତୁତ ଥିବା ମନେହେଉଛି। ଏପଟେ ଦେଖିଲେ ଲଦାଖ ଅଞ୍ଚଳରେ ଚାଇନା ଓ ଭାରତୀୟ ସେନା ମୁହଁାମୁହଁି ଅବସ୍ଥାରେ ଅଛନ୍ତି। କେବଳ ସେତିକି ନୁହେଁ, ଭାରତର କେତେକ ସୈନ୍ୟଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଚାଇନାର ଲାଲ୍‌ ସେନା ଅଟକ ମଧ୍ୟ ରଖିଦେଇଥିଲା। ଏଭଳି ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନକାରୀକୁ ଜବାବ ଦେବାକୁ ଭାରତର କ୍ଷମତା ନାହିଁ। ଏଭଳି ପ୍ରଚ୍ଛଦପଟରେ ଖବର ମିଳିଛି ଯେ, ଚାଇନା ସରକାର ତା’ର ନାଗରିକଙ୍କୁ ତୁରନ୍ତ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛି। ୨୭ ମେ’ ସୁଦ୍ଧା ଦୂତାବାସରେ ପଞ୍ଜୀକୃତ ହୋଇ ଭାରତରୁ ଚାଲିଯିବାର ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ସେଥିପାଇଁ କୋଭିଡ୍‌-୧୯ର ଦ୍ୱାହି ଦିଆଯାଇଥିଲେ ମଧ୍ୟ ଉଦ୍ଦେଶ୍ୟ ଭିନ୍ନ ଥିବା ଭଳି ମନେହେଉଛି। ଆଜିର ଭାରତ ସରକାର କେବଳ ପାକିସ୍ତାନକୁ ଶତ୍ରୁ ଭାବି ସେହି ଦେଶ ପ୍ରତି ସତର୍କ ଥିବା ବେଳେ ବାସ୍ତବ ଶତ୍ରୁ ଭାବେ ଚାଇନା ଉଭା ହୋଇଛି।
ଏବେ ହଂକଂରେ ଚାଇନା ନିରାପତ୍ତା ଆଇନ ଲାଗୁ କରି ତାହାକୁ ଡରାଇ ଦେଇଛି। ଆମେରିକା ଯଦି ଭାରତ ସମେତ ଅନ୍ୟାନ୍ୟ ଦେଶକୁ ଚାଇନା ବିରୋଧରେ ଏକଜୁଟ କରିବାକୁ ଚାହିଁବ, ତାହା ହେଲେ ଅନ୍ୟମାନେ ଭାବିଚିନ୍ତି ନିଷ୍ପତ୍ତି ନେବେ। ତେବେ କୋଭିଡ୍‌-୧୯ ସଙ୍କଟକୁ ଖାତିର ନ କରି ଚାଇନା ଆମେରିକା ସହ ମୁହଁାମୁହିଁ ହେଲେ ବିଶ୍ୱବ୍ୟାପୀ ଆଉ ଏକ ବିପଦ ଦେଖାଦେବ। କରୋନା ଭୂତାଣୁ ଦ୍ୱାରା ଭୀତତ୍ରସ୍ତ ଥିବା ଦୁନିଆଯାକର ଲୋକଙ୍କ ପାଇଁ ଚାଇନା-ଆମେରିକା ଶୀତଳଯୁଦ୍ଧ ଅଧିକ ବିପଦ ଆଣିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଏଭଳି ସ୍ଥଳେ ଏହାକୁ ସାମ୍ନା କରିବା ପୃଥିବୀ ପାଇଁ ଏକ କଷ୍ଟକର ବ୍ୟାପାର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri