ନୂତନ ନଜିର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌)ର ନୂତନ ନିର୍ଦ୍ଦେଶନାମା ଅନୁସାରେ ବିଦେଶରେ ଅବସ୍ଥାପିତ ଯେଉଁ ବାବୁମାନେ ଡ୍ୟୁଟି ସମ୍ପର୍କରେ ନିଜ କ୍ୟାଡର ରାଜ୍ୟକୁ ରିପୋର୍ଟ କରୁ ନ ଥିବେ, ସେମାନେ ସ୍ବେଚ୍ଛାକୃତ ଅବସର ଯୋଜନାରେ ଅବସର ନେବା ବା ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସ୍ବେଚ୍ଛାକୃତ ଅବସର ନେଇ ପେନସନ ସୁବିଧା ପାଇବା ପାଇଁ ଆବେଦନ କରିଥିବା ଜଣେ ପୂର୍ବତନ ଆଇଏଏସ୍‌ ଅଫିସର ସଞ୍ଜୀବ ସିଂ ଆଲୁଓ୍ବାଲିଆଙ୍କ ମାମଲାକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। ଆଲୁଓ୍ବାଲିଆ ହେଉଛନ୍ତି ୧୯୮୦ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡର ଅଫିସର। ୨୦୦୫ ମସିହାରେ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇ ଅର୍ଥ ମନ୍ତ୍ରଣାଳୟର ପୁଞ୍ଜି ବିନିବେଶ ବିଭାଗରେ ଯୁଗ୍ମ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ। ଡେପୁଟେଶନ ଅବଧି ପୂରିବା ପୂର୍ବରୁ ତାଙ୍କ ଅନୁରୋଧରେ ତାଙ୍କୁ ନିଜ ରାଜ୍ୟକୁ ଫେରାଇ ଦିଆଯାଇଥିଲା। ପରେ ପରେ ବାବୁଙ୍କୁ ଏକ ବିଶ୍ୱବ୍ୟାଙ୍କ ଚାକିରି ପାଇଁ ଅନୁମତି ମିଳିଗଲା ଏବଂ ବିଶ୍ୱବ୍ୟାଙ୍କ ଅଫିସର ଭାବେ ସେ ସେପ୍ଟେମ୍ବର ୧୮, ୨୦୦୫ରୁ ସେପ୍ଟେମ୍ବର ୧୭, ୨୦୦୬ ପର୍ଯ୍ୟନ୍ତ ସୁଦାନରେ ରହିଲେ। ତେବେ ବିଦେଶରେ ଏହି ବର୍ଷିକିଆ ଚାକିରିର ଅବଧି ପୂରିଯିବା ପରେ ଏ ସମ୍ପର୍କରେ ସେ ନିଜ କ୍ୟାଡର ରାଜ୍ୟକୁ ଜଣାଇଲେ ନାହିଁ। ତା’ପରେ ସେ ଏପ୍ରିଲ ୨୦୧୦ରେ ସର୍ବଭାରତୀୟ ସେବା ଆଇନରେ ଥିବା ପ୍ରାବଧାନ ଅନୁଯାୟୀ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଦରଖାସ୍ତ ପଠାଇଲେ। କେନ୍ଦ୍ର ସରକାର ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଲେ କାରଣ ବର୍ଷିକିଆ ଅବଧି ପୂରିଯିବା ପରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇ ନ ଥିଲା ଏବଂ ସେ ମଧ୍ୟ ଉକ୍ତ ଅବଧି ପୂରିବା ପରେ କ’ଣ କରୁଥିଲେ ସେ ବିଷୟରେ ସରକାରଙ୍କୁ ରିପୋର୍ଟ କରି ନ ଥିଲେ। ଟ୍ରିବ୍ୟୁନାଲ କହିଛନ୍ତି ଯେ, ବିନା ଅନୁମତିରେ ବାବୁ ଜଣକ ଛଅବର୍ଷ ଏକମାସ ଅନୁପସ୍ଥିତ ରହିଛନ୍ତି। ଟ୍ରିବ୍ୟୁନାଲ ପୁଣି କହିଛନ୍ତି ଯେ, ନିୟମ ଅନୁସାରେ ଜଣେ ବାବୁଙ୍କ ବୈଧ ଛୁଟି ପାଞ୍ଚବର୍ଷରୁ ଅଧିକ ହେଲେ ମଧ୍ୟ ତାକୁ କାର୍ଯ୍ୟରୁ ଇସ୍ତଫା ବୋଲି ଧରି ନିଆଯାଇପାରିବ। ତେଣୁ ଯିଏ ବିନା ଅନୁମତିରେ ଛଅବର୍ଷରୁ ଅଧିକ କାଳ ଅନୁପସ୍ଥିତ ରହିଛନ୍ତି, ତାଙ୍କୁ ସ୍ବେଚ୍ଛାକୃତ ଅବସର ଓ ଅବସରକାଳୀନ ସୁବିଧା ଦିଆଯାଇପାରିବ ନାହିଁ। ଏପରି ରାୟ ଦେଇ କ୍ୟାଟ୍‌ ଏ କ୍ଷେତ୍ରରେ ଏକ ନୂତନ ନଜିର ସୃଷ୍ଟି କରିଛନ୍ତି।
ପିଏମ୍‌ଓରେ ଅସ୍ଥିରତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ନିର୍ବାଚନରେ ଜିତି ଯଦି ଦ୍ୱିତୀୟ ବାର କ୍ଷମତାସୀନ ହୁଅନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ବହୁ ବାବୁ ବିଦାୟ ନେଇପାରନ୍ତି। ପିଏମ୍‌ଓର ଅନେକ ବରିଷ୍ଠ ବାବୁ ସଅଳ ଅବସର ବା ବଦଳି ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଜାଣିବା ଶୁଣିବା ମହଲରୁ ଶୁଣିବାକୁ ମିଳୁଛି ଯେ, ଅନ୍ୟ ମନ୍ତ୍ରଣାଳୟଗୁଡ଼ିକରେ ବି କାର୍ଯ୍ୟରତ ଅନେକ ବାବୁ ବିଦାୟ ନେବାକୁ ଚାହୁଁଛନ୍ତି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ତଥା ସରକାରୀ ନୀତି ନିୟାମକ ଛୋଟ ଛୋଟ ଉପଦେଷ୍ଟା ମଣ୍ଡଳୀ ସହ ଏହି ବାବୁମାନଙ୍କର ତାଳମେଳ ରହୁନାହିଁ। କିନ୍ତୁ କେତେକେ ଭାବୁଛନ୍ତି ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟସୂଚୀ ବାବୁମାନଙ୍କୁ ଦଣ୍ଡ ଦେଲା ପରି ଲାଗୁଥିବାରୁ ଅଧିକାଂଶ ଏ ନେଇ ଅସନ୍‌ୁଷ୍ଟ ଅଛନ୍ତି। ତାଙ୍କର ଉପରୁ-ତଳ ଆଭିମୁଖ୍ୟ ନିୟମିତ ବାବୁ ଓ ନେତାଙ୍କ ମଧ୍ୟରେ କଣ୍ଟା ସୃଷ୍ଟି କରିଛି। ଅବଶ୍ୟ ଏପରି ଘଟଣା ବିଶେଷତଃ ଗୋଟିଏ ସରକାରର ଅନ୍ତ ଓ ଆଉ ଗୋଟିଏ ସରକାରର ଆରମ୍ଭ ସମୟରେ ଯେ ଆଗରୁୁ କେବେ ଘଟିନାହିଁ ସେ କଥା ନୁହେଁ। ତେବେ ମୋଦି ଶାସନକଳକୁ ଶୃଙ୍ଖଳିତ କରିବାରେ ସଫଳ ହେବେ କି ବାବୁମାନେ ପୁରୁଣା ଅଭ୍ୟାସରେ ଆତ୍ମସନ୍ତୁଷ୍ଟ ରହିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।
ବରିଷ୍ଠତା ପ୍ରସଙ୍ଗ
ଆନ୍ଧ୍ରପ୍ରଦେଶ ଦୁଇଭାଗ ହୋଇ ତେଲେଙ୍ଗାନା ରାଜ୍ୟ ଗଠିତ ହେବାର ଇତିମଧ୍ୟରେ ପ୍ରାୟ ପାଞ୍ଚବର୍ଷ ବିତିଗଲାଣି। କିନ୍ତୁ ଦୁଇ ରାଜ୍ୟର ବାବୁମାନଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଏବେ ବି ଅସମାହିତ ରହିଛି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରାଜ୍ୟ-ପୁନର୍ଗଠନ ଶାଖାକୁ ଉଭୟ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ସହ ପରାମର୍ଶ କରି ପୋଲିସ ଇନ୍ସପେକ୍ଟର (ସିଭିଲ)ମାନଙ୍କ ବରିଷ୍ଠତା ତାଲିକାରେ ରହିଥିବା ବିସଙ୍ଗତି ଦୂର କରିବାକୁ ନିର୍ଦ୍ଦେଶ ଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁସଚିବ ଆର୍‌. ଭେଙ୍କଟେଶନ୍‌ ଦୁଇ ରାଜ୍ୟକୁ ଲେଖିଥିବା ଚିଠିରେ ବରିଷ୍ଠତାକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି କାରଣ ପୋଲିସ ବାବୁମାନଙ୍କର ସଂଶୋଧିତ ବରିଷ୍ଠତା ତାଲିକା ଗୃହୀତ ନୀତିର ବିରୋଧୀ ବୋଲି ତେଲେଙ୍ଗାନା କରିଥିବା ଅଭିଯୋଗର ସମାଧାନ ପାଇଁ ଏଥିରେ ଚେଷ୍ଟା କରାଯାଇଛି। ଏହା ପୂର୍ବରୁ ତେଲେଙ୍ଗାନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ଆନ୍ଧ୍ରପ୍ରଦେଶ ସରକାର ନିକଟରେ ପ୍ରକାଶ କରିଥିବା ସଂଶୋଧିତ ବରିଷ୍ଠତା ତାଲିକା ବିରୋଧରେ ଅଭିଯୋଗ କରିଥିଲା। ବିଭିନ୍ନ ବର୍ଗର କର୍ମଚାରୀଙ୍କ ତାଲିକାରେ ଦୁଇ ରାଜ୍ୟ ମଧ୍ୟରେ ଗୃହୀତ ପଦ୍ଧତିର ଅନୁସରଣ କରାଯାଇ ନାହିଁ ବୋଲି ଏଥିରେ ଦାବି କରାଯାଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri