ଖୋର୍ଦ୍ଧା ଅଫିସ,୧୭ା୬: ଖୋର୍ଦ୍ଧା ଜିଲା ବୋଲଗଡ ବ୍ଲକ ଧଳାପଥର ପରଦା କଳାର ସହର ଭାବେ ପରିଚିତ। ଘର ସାଜସଜ୍ଜାଠାରୁ ଅଫିସ ଆଦି ସ୍ଥାନରେ ପରଦା ଲାଗିଥାଏ। ଦୀର୍ଘ ବର୍ଷ ପୂର୍ବେ ହସ୍ତତନ୍ତରେ ଏହି କଳାକୁ ଧଳାପଥର ଅଞ୍ଚଳର ଉଦୟନାଥ ସାହୁ ଅତି ନିଖୁଣ ଭାବେ ଚିତ୍ରଣ କରିପାରୁଥିଲେ। ପରଦାରେ ଉଦୟନାଥ ଶ୍ରୀମନ୍ଦିର, କୋଣାର୍କ, ଖଣ୍ଡଗିରି, ଉଦୟଗିରି, ଧଉଳି ସ୍ତୂପ, ତାଜମହଲ, ଅଶୋକ ଚକ୍ର, ଓଡ଼ିଶାର ମାନଚିତ୍ର, ମହାପ୍ରଭୁଙ୍କ ବିଭିନ୍ନ ବେଶ, ନବଗୁଞ୍ଜର, କଳସ, ଦେବଦେବୀ, ପଶୁପକ୍ଷୀ, ଗଛଲତା ଆଦି ପ୍ରସ୍ତୁତ କରି ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରିଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ପରଦାରେ ରହିଥିଲା ଏକ ବିଶେଷ ଆକର୍ଷଣ, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା।
ଉଦୟନାଥ ନିଜ ପ୍ରଚେଷ୍ଟାରେ ପ୍ରଥମେ ବୁଣାଲୁଗାରେ ଏକ ଶ୍ରୀମନ୍ଦିରର କଳାକୃତି ପ୍ରସ୍ତୁତ କରିଥିଲେ। ବିଭିନ୍ନ ଗଛର ଛେଲି, ପତ୍ର ଫଳ ଆଦିରୁ ସେ ଭିନ୍ନ ରଙ୍ଗ ପ୍ରସ୍ତତ କରିବାରେ ସିଦ୍ଧହସ୍ତ ଥିଲେ। ଶାଢି, ପାଟଲୁଗା, ବସ୍ତ୍ର ଆଦି ବିଭିନ୍ନ ଶୈଳୀରେ ବୁଣୁଥିଲେ। ସେହି ସମୟରେ ହସ୍ତତନ୍ତ ଏବଂ ହାତ ତିଆରି ଶାଢିର ଚାହିଦା କମିବା ବେଳେ ସେ ପରଦା କଳା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଏହି ପରଦା କଳାକୁ ଲୋକପ୍ରିୟ ଲାଗି ସେ ଉକ୍ତ ସମୟରେ ବୁଣାକାରଙ୍କୁ ନେଇ ବିଭିନ୍ନ ସ୍ଥାନରେ ପ୍ରଦର୍ଶନୀ ଆୟୋଜନ କରିଥିଲେ, ଯାହାକି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଥିଲା। ପରଦା କଳା ପାଇଁ ଉଦୟନାଥଙ୍କୁ ୧୯୪୬ ମସିହାରେ ତତ୍କାଳନୀ ଓଡ଼ିଶା ଗଭର୍ନର ହାର୍ଥୋନ୍ ଲୁଇସ୍ ସମ୍ମାନିତ କରିଥିଲେ। ସେହିପରି ୧୯୫୫ରେ ସୌରାଷ୍ଟ୍ର ଖଦି ବୋର୍ଡ ଏବଂ ୧୯୫୬ରେ ବନାରସ ଖଦି ବୋର୍ଡ ଠାରୁ ସେ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହି ସମୟରେ ହସ୍ତତନ୍ତକୁ ଉଜ୍ଜୀବିତ କରିବା ଲାଗି ସେ ଧଳାପଥର ତନ୍ତବାୟ ସହଯୋଗ ସମିତି ପ୍ରତିଷ୍ଠା କରିଥିଲେ। ଉଦୟନାଥଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି କଳା ଦେଶରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଏହି ପରଦା କଳାକୁ ଧଳାପଥର ଅଞ୍ଚଳର ବୁଣାକାରମାନେ ମଧ୍ୟ ଆପଣାଇ ନେଇଛନ୍ତି।