ପରିବେଶ ବାତାବରଣ ମଧ୍ୟରେ ବଢୁଥିବା ବିଭିନ୍ନ ପ୍ରାଣୀ, ପକ୍ଷୀ, ମାଛ, ଜଳଚର ପ୍ରାଣୀ ଓ ଜଳଜ ଉଦ୍ଭିଦକୁ ନେଇ ବନ୍ୟଜୀବନ ଗଠିତ। ପରିବେଶ କହିଲେ ବାୟୁ, ଜଳ, ମୃତ୍ତିକା, ପ୍ରାଣୀଜଗତକୁ ବୁଝାଇଥାଏ। ପରିବେଶ ପ୍ରଦୂଷଣ ହେଲେ କେବଳ ମନୁଷ୍ୟ ନୁହେଁ ପ୍ରାଣୀଜଗତ ମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ ଏହାର ସାମଗ୍ରିକ ପ୍ରଭାବ ପରିବେଶ ଉପରେ ପ୍ରତିଫଳିତ ହେବ। ଏହା ମଧ୍ୟ ସତ୍ୟ ଯେ, ପରିବେଶ ପ୍ରଦୂଷଣ ପାଇଁ ପ୍ରାଣୀଜଗତ ନୁହେଁ, ମନୁଷ୍ୟ ଦାୟୀ। ଆମ ରାଜ୍ୟରେ ମୁଖ୍ୟତଃ ପର୍ଯ୍ୟଟକମାନେ ନନ୍ଦନକାନନ, ସିମିଳିପାଳ, ସାତପଡା, ଭିତରକନିକା, ଗହୀରମଥା ଇତ୍ୟାଦି ସ୍ଥାନକୁ ବନ୍ୟପ୍ରାଣୀ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି। ସମଗ୍ର ପୃଥିବୀରେ ଏପରି ସ୍ଥାନ ବିରଳ ଏବଂ ଆମ ରାଜ୍ୟ ଏଥିପାଇଁ ପ୍ରସିଦ୍ଧି ଲାଭ କରିଛି। ବନ୍ୟଜୀବନ ଉପରେ ନିକଟସ୍ଥ ଜନବସତି ଅଧିବାସୀମାନଙ୍କର ଜୀବିକା ନିର୍ଭର କରିଥାଏ। ତେଣୁ ବ୍ୟବସାୟିକ ଅଥବା ଆମୋଦ ଦୃଷ୍ଟିକୋଣରୁ ପ୍ରାଣୀର ଶିକାର ଯୋଗୁ ସେମାନେ ପ୍ରାୟ ନିଶ୍ଚିନ୍ନ ହେବାକୁ ଲାଗିଲେଣି। ତେଣୁ ଅଭୟାରଣ୍ୟ ସୃଷ୍ଟି କରି ଆଇନ୍ ପ୍ରଣୟନ ଦ୍ୱାରା ସେମାନଙ୍କର ସୁରକ୍ଷା ପାଇଁ ଚେଷ୍ଟା କରାଯିବା ଆବଶ୍ୟକ। ବନ୍ୟଜୀବନ ଶିକାର ଦଣ୍ଡନୀୟ ହେବା ସହିତ କଡାକଡି ଭାବେ ପାଳନ କରାଯିବା ଦରକାର। ନିକଟରେ ନନ୍ଦନକାନନରେ ହାତୀମୃତ୍ୟୁ ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ରେଳଧାରଣାରେ ହାତୀମୃତ୍ୟୁ ବାରମ୍ବାର ଘଟିବା ଦୁଃଖଦାୟକ। ଗୋଟିଏ ହାତୀ ଦିନକୁ ପ୍ରାୟ ୨.୫ରୁ ୩ କୁଇଣ୍ଟାଲ ଖାଦ୍ୟ ଆବଶ୍ୟକ କରିଥାଏ। ବ୍ୟାପକ ଜଙ୍ଗଲ କ୍ଷୟ ହେବା ଦ୍ୱାରା ହାତୀଙ୍କୁ ଖାଦ୍ୟ ମିଳୁନାହିଁ। ଏତଦ୍ବ୍ୟତୀତ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ତାପମାତ୍ରା ବୃଦ୍ଧି ଘଟୁଛି, ଯାହାଦ୍ୱାରା ଜଙ୍ଗଲ ପରିବେଶ ଭାରସାମ୍ୟ ହରାଉଛି ଏବଂ ହାତୀମାନେ ଜଙ୍ଗଲରୁ ବାହାରି ଜନବସତି ଆଡକୁ ଧାଉଁଛନ୍ତି। ହାତୀ ବା ଅନ୍ୟ ବନଜୀବମାନଙ୍କ ଆବାସ ସ୍ଥଳୀ ଜଙ୍ଗଲ ସୁରକ୍ଷିତ ନ ରହିଲେ ସେମାନେ ସ୍ବାଭାବିକ ଭାବେ ଇତଃସ୍ତତ ପଳାୟନ କରିବେ। ହାତୀ ମଣିଷ ଲଢେଇ ବାସ୍ତବିକ ପରିବେଶବିତ୍ମାନଙ୍କ ପାଇଁ ଚିନ୍ତାର ବିଷୟ। ଭୋଗବାଦୀ ସଭ୍ୟତାର ମନୁଷ୍ୟ ସବୁଜବନାନୀ ନଷ୍ଟ କରି କଂକ୍ରିଟ୍ ଜଙ୍ଗଲ ସୃଷ୍ଟି କରିବାରେ ଲାଗିଛି ଏବଂ ଜୀବଜନ୍ତୁଙ୍କର ଆବାସସ୍ଥଳୀ ଜଙ୍ଗଲ ଧ୍ୱଂସ କରିଚାଲିଛି। ଗଛକୁ ଜାତୀୟ ସମ୍ପତ୍ତି ଭାବେ ଘୋଷଣା କରାଯିବା ଉଚିତ। ୧୯୫୨ ମସିହାଠାରୁ ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ଆମ ଦେଶରେ ଅକ୍ଟୋବର ମାସ ୨ ରୁ ୮ ତାରିଖ ମଧ୍ୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି। ଭାରତ ସରକାର ଏକ ବନ୍ୟପ୍ରାଣୀ ପରିଷଦ ଗଠନ କରିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ଏହାର ଲକ୍ଷ୍ୟ।