Posted inଫୁରସତ

ପହିଲି ଗାଡ଼ି

ରାତି ପାହିବାକୁ ଘଡ଼ିଏ ବାକିଥାଏ। ଗଣ୍ଠିଲି ମୁଣ୍ଡେଇ ଗାଁ ଦାଣ୍ଡରେ ଧପ୍‌ ଧପ୍‌ ଚାଲିଥା’ନ୍ତି ଜଣେ। ପଛେ ପଛେ ଛୁଆ ହାତଧରି ଆସୁଥାନ୍ତି ତାଙ୍କ ସ୍ତ୍ରୀ। ଦୂରରୁ କୁକୁରର ଭୋ ଭୋ ରଡି ଆଉ କୁଆଙ୍କ କା କା ରାବ। ଗାଁ ମୁଣ୍ଡ ପୋଖରୀ ତୁଠ ପାଖରେ ବାଡ଼ିଧରି ଠିଆ ହୋଇଥାନ୍ତି ଜଣେ ବୃଦ୍ଧ। ଗଳା ଖଙ୍କାରି ପଚାରିଲେ କିରେ… କୁଆଡ଼େ। କକା ବସ୍‌ରେ ଯିବୁ। ଓଃ … କୋଉଠିକି। ପୁରୀ ଯିବୁ। ଆହା… କାଳିଆର ଡୋରି ଲାଗିଗଲା। କେଡ଼େ କପାଳିଆଟାରେ। ମୋ’ କଥା ଦିଅଁଙ୍କୁ ଜଣେଇଦେବୁ। ଜମା ଭୁଲିବୁନି। ଯା ଯା, ଦେଖିଦେଖି ଯିବୁ। ସକାଳ ଗାଡ଼ିଟା ଯେମିତି ହେଲେ ମିଳିଯାଉ। ନ ହେଲେ ଅନେଇ ଥା …।

ମୁଣ୍ଡ ଛକ। ଠାକୁରାଣୀ ବରଗଛ ପାଖରେ ଗଣ୍ଠିଲି ଧରି ଠିଆ ହୋଇଥାନ୍ତି ଆଉ କେତେ ଜଣ। ପୂର୍ବଦିଗରେ ସୂର୍ଯ୍ୟ ଉଇଁ ଆସୁଥାନ୍ତି। ଏତିକି ବେଳେ ଘଡ଼ଘଡ଼ ଶବ୍ଦ ଶୁଭିଲା। ଛୁଆଟିଏ ତାଳିମାରି ଡେଇଁପଡ଼ି ବଡ଼ପାଟିରେ କହିଲା ମା’ ଲୋ ମା’ ହେଇ ଦେଖ୍‌। ଆସୁଛି ନାଲି ଗାଡ଼ି। କିଛି ସମୟ ପରେ ଆସି ଅଟକିଲା ଗାଡ଼ି। ରୁହ ରୁହ ଓହ୍ଲେଇଲା ପରେ ଉଠିବ କହୁଥାଏ ଗାଡ଼ିର ହେଲ୍‌ପର। ଦୁଇଜଣ ବସ୍‌ ଭିତରୁ ତଳକୁ ଓହ୍ଲାଇ ଆସିଲେ। କୋଉଠିକି ଯିବ ମଉସା। ଆସ ଭିତରକୁ ଆସ। ପରେ ପଇସା ଦେବ କହୁଥାନ୍ତି କଣ୍ଡକ୍ଟର। ଅପେକ୍ଷା କରିଥିବା ଲୋକସବୁ ବସ୍‌କୁ ଉଠିଗଲେ। ଢଙ୍ଗ୍‌ଢଙ୍ଗ୍‌ କରି ଘଣ୍ଟି ବାଜିଲା। ପୁଣି ଘଡ଼ଘଡ଼ ଶବ୍ଦ କରି ବସ୍‌ ଚାଲିଲା ଆଗକୁ। ଏତିକିବେଳେ ମୁଣ୍ଡରେ ଗାମୁଛା ଗୁଡ଼ାଇଥିବା ଭେଣ୍ଡିଆଟାଏ ଗାଇଉଠିଲା ସକାଳର ଗାଡ଼ି… ଗଲା ଗଡ଼ିଗଡି। ଏଇ କଥା ସେଇ ସମୟର ଯେତେବେଳେ ଗାଡିଟିଏ ଦେଖିବା ଓ ସେଥରେ ସିଟ୍‌ଟିଏ ପାଇ ଯାତ୍ରା କରିବା ଥିଲା ଗୋଟିଏ ବହୁତ ବଡ ଖୁସିର କଥା। ସେହି ସମୟରେ ପ୍ରଥମଥର ଯାତ୍ରା କରିବାର ନିଆରା ଅନୁଭୂତିକୁ ନେଇ ଉପସ୍ଥାପନା….

ମୋଟରରେ ବସିବା ପାଇଁ ରାତିସାରା ନିଦ ନ ଥାଏ
-ଅଲେଖ ଚନ୍ଦ୍ର ମିଶ୍ର, ଲେଖକ
ବସ୍‌ଯାତ୍ରାର ପ୍ରଥମ ଅନୁଭୂତି କଥା ମନେ ପଡ଼ିଲେ ମନ ଆପେ ଟାଣି ହୋଇଯାଏ କାହିଁ କେତେ ବର୍ଷ ତଳକୁ। ଯାହାର ସ୍ମୃତି ଏବେ ଝାପ୍ସା ହୋଇ ଆସିଲାଣି। ପ୍ରାୟ ସତୁରି ବର୍ଷ ତଳେ ଗମନାଗମନର ଯେଉଁ ବ୍ୟବସ୍ଥା ଥିଲା ତାହା କେବଳ ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣେ। ଅବିଭକ୍ତ କଟକ ତଥା ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ କରିଲୋପାଟଣା ଗ୍ରାମରେ ମୋର ଜନ୍ମ। ସେତେବେଳେ ବସ୍‌ ନୁହେଁ ମୋଟର ଥିଲା। ମଫସଲ୍‌ ଗାଁରେ ମୋଟରଟିଏ ଦେଖିବା ସାତ ସପନ। କଟକ ଯିବାକୁ ପଡ଼ିଲେ ଯାନର ଆବଶ୍ୟକତା ପଡ଼େ। କିନ୍ତୁ ସେତେବେଳେ ଜମ୍ବୁ କେନାଲରେ ନିୟମିତ ଲଞ୍ଚ ସର୍ଭିସ୍‌ ଥିବାରୁ ଲୋକେ ତାହାରି ସାହାଯ୍ୟରେ ଜଗତ୍‌ପୁର (ବର୍ତ୍ତମାନ କେନ୍ଦ୍ରାପଡ଼ା ରୋଡ଼) ଦେଇ ବିରୂପା ଓ ମହାନଦୀ ପାରି ହୋଇ କଟକର ଯୋବ୍ରାସ୍ଥିତ ଲଞ୍ଚଘାଟରେ ପହଞ୍ଚୁଥିଲେ। ଯେଉଁମାନେ ମୋଟରରେ ଯିବାକୁ ଚାହୁଁଥିଲେ ତାଙ୍କୁ ଟିକେ ଅଧିକ କଷ୍ଟ କରିବାକୁ ପଡ଼ୁଥିଲା। ୧୯୫୦ ମସିହା କଥା। କଟକରେ ସରକାରୀ ଚାକିରି କରୁଥିବା କକେଇଙ୍କ ପାଖକୁ ଯିବାପାଇଁ ପ୍ରଥମଥର ସୁଯୋଗ ମିଳିଲା। କଟକ ସହର ଦେଖିବା ପାଇଁ ଯେତିକି ଆଗ୍ରହ, ମୋଟରରେ ବସିବା ପାଇଁ ସେତିକି ଆଗ୍ରହ। ଆମ ଗାଁରୁ ମୋଟର ଷ୍ଟାଣ୍ଡ (ଚାନ୍ଦୋଳ)ର ଦୂରତା ପ୍ରାୟ ସାତ କିଲୋମିଟର। ଚାଲି ଚାଲି ଯିବା ଛଡ଼ା ଅନ୍ୟ ଉପାୟ ନ ଥାଏ। ରାତିସାରା ନିଦ ନ ଥାଏ। ଭୋର୍‌ରୁ ଉଠି ନିତ୍ୟକର୍ମ ସାରି ବାହାରି ପଡ଼ିଲୁ। କାରଣ ମୋଟରର ଆସିବା ସମୟ ସାତଟା। ତାକୁ ଧରି ନ ପାରିଲେ ପୁଣି ଯାଇ ୧୨ଟାରେ। ଧଇଁସଇଁ ହୋଇ ଚାଲି ଚାଲି ଚାନ୍ଦୋଳରେ ପହଞ୍ଚିଲାବେଳକୁ ସାତଟା ବାଜିବାକୁ କୋଡ଼ିଏ ମନିଟ୍‌ ବାକିଥାଏ। ସୁସ୍ତିର ନିଃଶ୍ୱାସଟିଏ ମାରି ବସିପଡ଼ିଲୁ। ମୁଁ ଖାଲି କନ୍‌କନ୍‌ ହୋଇ ରାସ୍ତାକୁ ଚାହୁଁଥାଏ। ମୋଟର କେତେବେଳେ ଆସିବ। କିନ୍ତୁ ସେ ଆସୁ ନ ଥାଏ। ଚାହିଁ ଚାହିଁ ୮ଟା ବାଜିଲା। ତଥାପି ମୋଟରର ଦେଖା ନାହିଁ। କିଛି ସମୟ ପରେ ଭଁ ଭଁ ରଡ଼ି ଶୁଭିଲା। ସେଠାରେ ଅପେକ୍ଷା କରିଥିବା ଆଠଦଶ ଜଣ ଲୋକ ‘ହେଇ ମୋଟର ଆସିଗଲା, ଆସିଗଲା’ କହି ପାଟି କମ୍ପେଇଲେ। ସତକୁ ସତ ମୋଟରଟିଏ ଆସି ସେଠି ଅଟକିଲା। ହେଲେ ବସିବାକୁ ଜାଗା ନ ଥିଲା। ସେତେବେଳେ ଦୁଇ ପ୍ରକାରର ସିଟ୍‌ ଥିଲା ଅପରକ୍ଲାସ୍‌ ଓ ଲୋୟର କ୍ଲାସ୍‌ । ଅପରକ୍ଲାସ୍‌ ପାଇଁ ଭଡ଼ା ଛ’ଅଣା, ଲୋୟର କ୍ଲାସ ପାଇଁ ଚାରଣା। ମାତ୍ର ଦୁଇଅଣା ସେତେବେଳେ ବହୁତ ବଡ଼କଥା। ତେଣୁ ଲୋୟର କ୍ଲାସ୍‌ରେ ଭୋକ ଭିଡ଼ାଭିଡ଼ି ହେଉଥିଲେ ବି ଅପର କ୍ଲାସ୍‌ରେ ସିଟ୍‌ ଖାଲିଥିଲା। ଭାଗ୍ୟ ଭଲ ଆମକୁ ମିଳିଗଲା। ମୁଁ ଖାଲି ମୋଟରଗାଡ଼ିକୁ ଚାହୁଁଥାଏ। ସମୁଦାୟ କୋଡ଼ିଏ ସରିକି ସିଟ୍‌ ଥିବା ଏୟାର ହର୍ନ ଲାଗିଥିବା ମୋଟରଗାଡ଼ିକୁ କେହି କେହି ଦିଆସିଲି ଖୋଳ ବସ୍‌ ବୋଲି କହୁଥିଲେ। ଅନେକ ସମୟ ପରେ ମୋଟରଟି ସାଲେପୁରରେ ପହଞ୍ଚିଲା। ଡ୍ରାଇଭର ଗାଡ଼ି ରଖି ତାଗିଦ୍‌ କଲା। ”ଯାଅ, ଯିଏ ଜଳଖିଆ ଖାଇବା କଥା ଖାଅ। କିନ୍ତୁ ଦଶମିନିଟ୍‌ ଭିତରେ ଫେରି ଆସିବ। ନ ହେଲେ ମୋଟର ଛାଡ଼ିଦବ।“ କଟକ ଯିବାକୁ ହେଲେ ଜଗତ୍‌ପୁର (ବର୍ତ୍ତମାନ କେନ୍ଦ୍ରାପଡ଼ା ରୋଡ଼) ଥିଲା ମୋଟର ଶେଷ ଷ୍ଟପ୍‌। କାରଣ ମହାନଦୀ ପୋଲ ସେତେବେଳକୁ ତିଆରି ହୋଇ ନ ଥିଲା। ଜଗତପୁରରୁ ଆନିକଟ୍‌ ରାସ୍ତାରେ ଚାଲି ଚାଲି ନ ହେଲେ ଘୋଡ଼ା ଗାଡ଼ିରେ ବସି ଯୋବ୍ରାରେ ପହଞ୍ଚିବାକୁ ପଡ଼ୁଥିଲା।

୧୯୫୫-୫୬ରେ କଟକର କିଲ୍ଲା ମୈଦାନସ୍ଥିତ ତତ୍‌କାଳୀନ ଟ୍ରାନ୍ସପୋର୍ଟ କଣ୍ଟ୍ରୋଲର ଅଫିସ୍‌ ଓଡ଼ିଶାରେ ସରକାରୀ ବସ୍‌ ସର୍ଭିସ୍‌ ଆରମ୍ଭ କଲେ ଏବଂ ସର୍ବପ୍ରଥମ ସରକାରୀ ବସ୍‌ (ଏସ୍‌ଟିଏସ୍‌-ଷ୍ଟେଟ୍‌ ଟ୍ରାନ୍ସପୋର୍ଟ ସର୍ଭିସ୍‌) କେନ୍ଦ୍ରାପଡ଼ା ରୁଟ୍‌ରେ ଚାଲିଲା। ତା’ପରେ ମହାନଦୀରେ ବସ୍‌ ପୋଲ ହେଲା ଏବଂ ସିଧାସଳଖ କଟକ ସହିତ ଗମନାଗମନର ସୁବିଧା ଉପଲବ୍‌ଧ ହେଲା। କାଳକ୍ରମେ ଆମ ଗାଁ ନଦୀ (ଲୁଣା କରାଣ୍ଡିଆ) ଉପରେ ପୋଲ ନିର୍ମିତ ହେଲା (କରିଲୋପାଟଣା ବ୍ରିଜ୍‌) ଏବଂ ଯାତାୟାତ ଖୁବ୍‌ ସହଜ ହୋଇଗଲା। ଭୁବନେଶ୍ୱରରୁ ଆମ ଗାଁର ଦୂରତା ମାତ୍ର ଅଶୀ କିଲୋମିଟର। ଅତିବେଶିରେ ୨ଘଣ୍ଟାର ରାସ୍ତା। ଏବେ କାର୍‌ରେ ଯିବାବେଳେ ପୁରୁଣା କଥା ମନେ ପକେଇ ପିଲାଙ୍କ ଆଗରେ ବର୍ଣ୍ଣନା କଲାବେଳେ ସେମାନେ ତାକୁ ବିଶ୍ୱାସ କରୁନାହାନ୍ତି। ଆଃ ଯୁଗ କେତେ ବଦଳିଗଲା।

ବସ୍‌ ଚାଲିଯିବ ବୋଲି ରାତି ଥାଉ ଥାଉ ବାହାରିଥିଲୁ
-ପ୍ର. ରମେଶ ଚନ୍ଦ୍ର ପରିଡ଼ା, ବିଶିଷ୍ଟ ଶିକ୍ଷାବିତ୍‌
ମୋ ଗାଁ ନାଁ ଯମପଡ଼ା- କେନ୍ଦ୍ରାପଡ଼ା ସହରଠାରୁ ୮/୧୦ କିଲୋମିଟର ଦୂର। ଆଗେ କଟକ ଥିଲା ଆମ ଜିଲାର ସଦର ମହକୁମା। ସେଠାକୁ ଯିବାକୁ ହେଲେ ଚାଲି ଚାଲି ବାଟରେ ଦୁଇଦୁଇଟା ବଡ଼ ନଈ ଓ ଗୋଟିଏ କେନାଲ ପାର ହୋଇ କେନ୍ଦ୍ରାପଡ଼ାରୁ ବସ୍‌ ଧରିବାକୁ ହେଉଥିଲା। ମୁଁ ବସ୍‌ରେ ବସି କଟକ ଯିବାର ପ୍ରଥମ ସୁଯୋଗ ପାଇଥିଲି ୧୯୬୦ ମସିହାରେ। ସେତେବେଳେ ମୁଁ ନବମ ଶ୍ରେଣୀରେ ପଢ଼ୁଥିଲି। ସରସ୍ବତୀ ପୂଜାର ଠିକ୍‌ ପୂର୍ବଦିନ ଦାଦା ମୋତେ ଓ ଖୁଡ଼ୀକୁ ନେଇ ବାହାରିଲେ ପୁରୀ। ରାତି ଥାଉଁ ଥାଉଁ ଆମେ ଘରୁ ବାହାରି ପଡ଼ିଲୁ। କେନ୍ଦ୍ରାପଡ଼ାରେ ପହଞ୍ଚିଲା ବେଳକୁ ଶେଷ ବସ୍‌ଟି ଛାଡ଼ିବାକୁ ବସିଛି। ପୁଣି ଯାଇ ଉପରବେଳା। ଏଣୁ ତରତର ହୋଇ ଆମେ ସେଥିରେ ଚଢ଼ିଲୁ। ବସିବାକୁ ଜାଗା ନ ଥିଲା। କଣ୍ଡକ୍ଟର ଖୁଡ଼ୀକୁ କୌଣସିମତେ ଖୁନ୍ଦାଖୁନ୍ଦି କରି ବସାଇ ଦେଲା। ଦାଦା, ମୁଁ ଓ ଆଉ କେତେ ଯାତ୍ରୀ ଠିଆ ହୋଇ ରହିଲୁ। ସେତେବେଳର ଏହି ଘରୋଇ ବସ୍‌ଗୁଡ଼ିକ ଖୁବ୍‌ ସାନ ଥିଲା। କିଛି ସମୟ ପରେ କ୍ଲିନର ଇଞ୍ଜିନ୍‌ରେ ଲୁହା ରଡ୍‌ଟିଏ ପୁରାଇ ଘୂରାଇବାରୁ ଫଟ ଫଟ୍‌ ହୋଇ ଧୂଆଁ ଛାଡ଼ି ବସ୍‌ ଷ୍ଟାର୍ଟ ହେଲା। ତାହା ହଲିବାକୁ ଲାଗିଲା। ଏଣୁ ମୁଁ ପଡ଼ିଗଲି ପାଖ ସିଟ୍‌ରେ ବସିଥିବା ଦୁଇଜଣଙ୍କ ଉପରେ। ହେଲେ, ସେମାନେ ମୋ ଉପରେ ନ ରାଗି, ମୁଁ ପିଲାଟିଏ ବୋଲି ଦୟା କରି ତାଙ୍କ ପାଖରେ ଗୁଞ୍ଜି ହୋଇ ବସିବାକୁ ଜାଗା ଦେଲେ। ପ୍ରାୟ ଦୁଇଘଣ୍ଟା ପରେ ବସ୍‌ ପହଞ୍ଚିଲା ସାଲେପୁରଠାରେ। ସେଠାରେ ସବୁ ଯାତ୍ରୀ ଓହ୍ଲେଇଗଲେ ଜଳଖିଆ କରିବାକୁ। ଆମେ ବି ଗଲୁ। ଏହାର ପ୍ରାୟ ଘଣ୍ଟାକ ପରେ ବସ ଆସି ପହଞ୍ଚିଲା ଜଗତପୁରଠାରେ। ମହାନଦୀ ଉପରେ ପୋଲ ନ ଥିବାରୁ କଟକ ବସ୍‌ଗୁଡ଼ିକ ସେଇଠି ରହୁଥିଲା। ତା’ପରେ ସମସ୍ତେ ରେଳ ପୋଲ ଉପରେ ଚାଲି ଚାଲି କଟକ ଗଲୁ। ସେଠାରୁ ଆମେ ରେଳଗାଡ଼ି ଧରିଲୁ ପୁରୀ ପାଇଁ ଏବଂ ସେଠାରେ ପହଞ୍ଚି ଫେରିବା ବେଳକୁ ସନ୍ଧ୍ୟା ହୋଇଯାଇଥିଲା।

ମୋଟରରେ ବସିବା ପାଇଁ ମନରେ ଭୟ ସହ ରୋମାଞ୍ଚ ବି ଥିଲା
– ବାଞ୍ଛାନିଧି ବିଶୋୟୀ, ଅବସରପ୍ରାପ୍ତ ଡେପୁଟି ସେକ୍ରେଟାରୀ
ଏ ହେଉଛି ସେ ସମୟର କଥା, ଯେତେବେଳେ ଭାରତ ଥିଲା ବ୍ରିଟିଶ ଶାସନ ଅଧୀନରେ। ମୋ ଜନ୍ମ ମଧ୍ୟ ସେହି ସମୟରେ। ଅର୍ଥାତ ୧୯୨୫ ମସିହାରେ ମୋ ଜନ୍ମ। ଆମ ଗାଁ ଗଞ୍ଜାମ ଜିଲାର କତକଲା। ସେତେବେଳେ ଆମ ଗାଁରେ ଏକ ଚାଟଶାଳୀ ସ୍କୁଲ ଥିଲା। ସେଠାରେ ପ୍ରଥମରୁ ୫ମ ଶ୍ରେଣୀ ଯାଏ ଥାଏ। ମୁଁ ସେଠାରେ ୫ମ ଯାଏ ପାଠ ଶେଷ କରି ଗାଁ ପାଖରେ ଥିବା ବୁଗୁଡା ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ପଢିଲି। ଆମେ ସେଠାକୁ ପ୍ରାୟ ୨-୩ କିଲୋମିଟର ଚାଲି ଚାଲି ଯାଉଥିଲୁ। ଗାଁ ରେ ସେତେବେଳେ କାହାର ମଧ୍ୟ ସାଇକେଲଟିଏ ନ ଥିଲା। ଆଖପାଖ ସ୍ଥାନକୁ ଲୋକେ ଚାଲିକରି ଯାଉଥିଲେ। ଟିକିଏ ଦୂର ସ୍ଥାନ ଯିବାକୁ ହେଲେ ଶଗଡର ବ୍ୟବହାର କରୁଥିଲେ। ମୁଁ ମଧ୍ୟ ମାମୁ ଘରକୁ ବହୁବାର ଶଗଡରେ ଯାଇଛି। ଗାଁ ସ୍କୁଲରେ ଅଷ୍ଟମ ଶ୍ରେଣୀ ଯାଏ ପଢିସାରିବା ପରେ ଅଧିକ ପାଠ ପଢିବା ପାଇଁ ସୋରଡା ଗଲି। ସେତେବେଳ ଯାଏ ମଧ୍ୟ ମୁଁ ମୋଟରଯାନରେ ବସିବାର ସୁଯୋଗ ପାଇ ନ ଥାଏ। ସୋରଡାରେ ୩ ବର୍ଷ ମୁଁ ହଷ୍ଟେଲରେ ରହି ପଢିଲି। ୧୯୪୧ ରେ ମୁଁ ମାଟ୍ରିକ ପାସ୍‌ କରିବା ପରେ ହାୟର ଷ୍ଟଡି ପାଇଁ ବ୍ରହ୍ମପୁର ଗଲି। ସେତିକି ବେଳେ ମୁଁ ପ୍ରଥମ ଥର ଲାଗି ମୋଟର୍‌ରେ ବସିବାର ସୁଯୋଗ ପାଇଲି। ଆଜିକାଲି ଭଳି ସେତେବେଳେ ଏତେମାତ୍ରାରେ ଯାନବାହନ ଚଳପ୍ରଚଳ କରୁ ନ ଥିଲା। ଆମ ଗାଁ ପାଖରୁ ବ୍ରହ୍ମପୁର ଯିବା ଲାଗି କେବଳ ଗୋଟିଏ ହିଁ ମୋଟର ଥିଲା। ଗାଁରୁ ୨-୩ କିଲୋମିଟର ଚାଲିକରି ଯିବା ପରେ ମୋଟର ରହିବା ସ୍ଥାନରେ ପହଞ୍ଚୁ ଥିଲୁ। ସେଠାରେ ମୋଟର ଆସିବା ଯାଏ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା। ଯଦି କୌଣସି କାରଣବଶତଃ ମୋଟର ଫେଲ୍‌ ହୋଇଯାଏ ତେବେ ଅପେକ୍ଷା କରିବାକୁ ପଡେ ପୁଣି ମୋଟରଟିର ଫେରିବା ବାଟକୁ । ନଚେତ ଅନ୍ୟ କୌଣସି ମାଧ୍ୟମ ଆପଣେଇବାକୁ ହେଉଥିଲା। ମୋଟର୍‌ଟି ଦିନରେ ପ୍ରାୟ ୨ ରୁ ୩ ଥର ଯିବା ଆସିବା କରୁଥିଲା। ଆମ ଗାଁଠାରୁ ପ୍ରାୟ ୧୫ କିଲୋମିଟର ଗଲା ପରେ ବାଲିପଦର ବୋଲି ଏକ ସ୍ଥାନ ପଡେ। ସେଠାରୁ ୨-୩ଟି ମୋଟର ବିଭିନ୍ନ ସ୍ଥାନକୁ ଯା’ ଆସ କରେ। ମୁଁ ବହୁବାର ମୋଟର ଫେଲ୍‌ ହୋଇଛି। ବାଧ୍ୟ ହୋଇ ୧୪-୧୫ କିଲୋମିଟର ଚାଲିକରି ଯିବା ପରେ ମୋଟରଟିଏ ପାଉଥିଲି। ତେଣୁ ସେ ସମୟରେ ସମୟକୁ ବେଶ୍‌ ଗୁରୁତ୍ୱ ଦେବାକୁ ପଡୁଥିଲା। ତେବେ ମୋର ପ୍ରଥମ ମୋଟର ଯାତ୍ରା ଥିଲା ବେଶ୍‌ ରୋମାଞ୍ଚକର। ପ୍ରଥମ ଥର ଲାଗି ମୋଟରଯାନରେ ବସିବାର ଅନୁଭବ ଅଙ୍ଗେ ନିଭେଇଥିବା ଲୋକ ହିଁ ଜାଣିପାରିବେ। ଟିକିଏ ଭୟ ଏବଂ ରୋମାଞ୍ଚର ମିଶାମିଶି ଭାବ ସେତେବେଳେ ମନକୁ ଆନ୍ଦୋଳିତ କରୁଥିଲା। ସେତେବେଳେ ଟିକେଟର ମୂଲ୍ୟ କିଲୋମିଟର ପ୍ରତି କିଛି ଅଣା ଥିଲା। ଆମ ଗାଁ ରୁ ବ୍ରହ୍ମପୁରକୁ ସେତେବେଳେ ଟିକେଟ ମୂଲ୍ୟ ଥିଲା ମାତ୍ର ୨ ଟଙ୍କା। ପକ୍କା ରାସ୍ତା ତ ନ ଥିଲା। ମାଟି ରାସ୍ତା ଦେଇ ମୋଟର ଯେତେବେଳେ ଗତି କରୁଥିଲା ଲାଗୁଥିଲା ସତେଯେମିତି ଦୋଳିରେ ଝୁଲିଝୁଲି ଯାଉଛୁ। ମୋଟର ବା ଟ୍ରେନ୍‌ରେ ଯାତ୍ରା କଲା ବେଳେ ଆଜି ବି ମୋର ଝରକା ପାଖ ସିଟ୍‌ ପସନ୍ଦ। ଝରକା ବାଟ ଦେଇ ବାହାରର ପ୍ରାକୃତିକ ଦୃଶ୍ୟ ଦେଖିବାରେ ମୁଁ ଏତେ ଭୋଳ ହେଇଯାଇଥାଏ ଯେ ବାଟ କେତେବେଳେ ସରିଯାଏ ଜଣା ପଡେନି। ଜଙ୍ଗଲ ରାସ୍ତା ଦେଇ ମୋଟରରେ ଯାଉଥିଲା ବେଳେ ସତେ ଯେପରି ଲାଗେ ଗଛଗୁଡିକ ଗତି କରୁଛନ୍ତି ଏବଂ ଆମେ ସ୍ଥିର ହେଇଯାଇଛୁ। ଗନ୍ତବ୍ୟ ସ୍ଥଳରେ ମୋଟର ପହଞ୍ଚିଗଲା ପରେ ଇଚ୍ଛା ନ ଥାଇ ବି ବାଧ୍ୟ ହୋଇ ଓହ୍ଲାଇବାକୁ ପଡୁଥିଲା। ଏପରି ଭାବେ ମୋ ପାଠ ପଢା ସ୍ଥଳରୁ ଗାଁ ପର୍ଯ୍ୟନ୍ତ ଯାତ୍ରା ମୋଟରରେ ସମାପ୍ତ ହେଲା।

ବସ୍‌ରୁ ଓହ୍ଲାଇବାକୁ ଜମା ଚାହୁଁ ନ ଥିଲି-ପ୍ରଶାନ୍ତ ଦାସ, କବି
ସମୟ ଶୈଶବକୁ ଚୋରାଇ ନେଇଛି, ହେଲେ କେବେ କେବେ ସେହି ଶୈଶବର ସ୍ମୃତି ବର୍ତ୍ତମାନକୁ ମଧୁର କରିଥାଏ। ଛଅ ବର୍ଷର ଶିଶୁଟିଏ ବୁଢ଼ୀମା ସହ ବସରେ ସୋରରୁ ବାଲେଶ୍ୱର ଯିବାପାଇଁ ଖୁବ ସକାଳେ ନୂଆ ଶାର୍ଟ ପ୍ୟାଣ୍ଟ ପିନ୍ଧି ସଡକରେ ଧାଇଁ ଧାଇଁ ଚାଲିଛି।
ବୁଢ଼ୀମା କହୁଛି ଏ ବସ୍‌ଟି ବାହାରିଗଲେ ଆଉ ପୁଣି ଦିନ ଦ୍ୱିପ୍ରହର। ଦିନତମାମ ତିନି ଚାରିଟି ବସ୍‌ ଯିବା ଆସିବା କରେ। ବସଷ୍ଟାଣ୍ଡରେ କିଛି ସମୟ ଠିଆ ହେବାପରେ ବସ ଆସିଲା ।
ସେଦିନର ସେହି ପିଲାଟି ମୁଁ। ମୁଁ ଝରକା ପାଖେ ବସି ବାହାରକୁ ଚାହିଁଲି। ବୁଢ଼ୀମା କହୁଥିଲା ହାତ ମୁଣ୍ଡ ବାହାରକୁ କାଢନା। ମୋ ହାତକୁ ଜୋର କରି ଧରିଥାଏ ବୁଢ଼ୀମା। ଟଙ୍ଗ ଟଙ୍ଗ ବାଜିଲା ଘଣ୍ଟି। ବସ୍‌ ଚାଲିଲା। ମୁଁ କହୁଥାଏ ବୁଢ଼ୀମା ଦେଖ। ଗଛ ସବୁ ଧାଉଁଛି।
ବୁଢ଼ୀମା ମୋ ପାଟିରେ ହାତ ଦେଇ ଦେଉଥାଏ। ଓଃ କି ଆନନ୍ଦ। କେତେବେଳେ ବସ୍‌ ବାଲେଶ୍ୱରରେ ପହଞ୍ଚିବ। ବୁଢ଼ୀମା’କୁ ପଚାରି ପଚାରି ବ୍ୟସ୍ତ କରିପକାଉଥାଏ। ଶେଷରେ ବସ୍‌ ବାଲେଶ୍ୱରରେ ପହଞ୍ଚିଲା। ରାସ୍ତା ସାରା କଣ୍ଡକ୍ଟରର ଘଣ୍ଟି ଓ ଚାଲୁ ଚାଲୁ ପାଟି ଶୁଣୁଥାଏ ା ବସ୍‌ରୁ ଓହ୍ଲାଇବା ପରେ ସେଦିନ ମନ ଟିକିଏ ଦୁଃଖ ହୋଇଗଲା। ବୁଢ଼ୀମା’ ସହିତ ଆଗକୁ ଯାଉଥିଲି ସତ ହେଲେ ଘୂରି ଘୂରି ଖାଲି ପଛକୁ ବସ୍‌କୁ ଚାହୁଁଥାଏ। ବୁଢ଼ୀମା’ କହୁଥାଏ ଆଗକୁ ଚାହିଁ ଚାଲ। ଝୁଣ୍ଟିବୁ। ସେ ଦିନ ନାହିଁ କିନ୍ତୁ ସ୍ମୃତି ଅଛି। ଏହି ଘଟଣା ୧୯୬୫ ମସିହାର। ମୋ ଗାଁ ସୋର୍‌ ବ୍ଲକର ଶିରାପୁର ଗାଁରେ। ଘରୁ ବସ୍‌ଷ୍ଟାଣ୍ଡ ୪ କି.ମି.।
ସମୟ ବଦଳି ଯାଇଛି । ଏବେ ବସ ପରେ ବସ । ତମ୍ବୁ ବନ୍ଧା ଝରକା ନାହିଁ । କଣ୍ଡକ୍ଟରର ହାତ ଘଣ୍ଟି ବାଜୁନି । କଣ୍ଡକ୍ଟର ସବୁ ଟିକଟ କାଟୁନି । ଟିକଟ କାଉଣ୍ଟରରୁ ମିଳୁଛି ଟିକଟ ଓ ରିଜରଭେଶନ୍‌। ମୁଁ ଏବେ ଦୀର୍ଘ ବର୍ଷ ହେବ ବସ୍‌ ଯାତ୍ରା କରିନି । ଏବେ ମୁଁ ବସ୍‌ ଅପେକ୍ଷା କାର୍‌ କିମ୍ବା ଟ୍ରେନ୍‌ରେ ଯିବାକୁ ବେଶି ପସନ୍ଦ କରୁଛି। ସମୟ ବଦଳିବା ସହ ରୁଚି ସିନା ବଦଳିଛି ହେଲେ ବଦଳିନି ସ୍ମୃତି।

ମନ ଡାକେ ପୁଣି ଥରେ ସେଇ ବସ୍‌ରେ ବସିବାକୁ-ରଞ୍ଜିତା ଜେନା
ସେ ସମୟ ଅର୍ଥାତ୍‌ ପ୍ରାୟ ୧୯୪୨ରୁ ୧୯୪୩ ବେଳର କଥା। ମୋର ବୟସ ୬ରୁ ୭ ବର୍ଷ ହେବ। ମୋ ଅଜାଙ୍କର ଗାଁ ସେତେବେଳର କଟକ ଜିଲା ଅଧୁନା ଜଗତ୍‌ସିଂହପୁର ଜିଲାର ରାଣୀପଡା ଗାଁରେ। ମୋର ଜନ୍ମ ମୟୂରଭଞ୍ଜ ଜିଲାରେ, ସେତେବେଳର ରାଜଧାନୀ ବାରିପଦାରେ। ବାପା ଥିଲେ ଡାକ୍ତର, ମଫସଲକୁ ବଦଳି ହେବା ପରେ ମୋତେ ମାମୁଘରେ ରହି ପଢିବାକୁ ହେଲା। ଯଦିଓ ସେଠାରେ ସ୍କୁଲ ଇତ୍ୟାଦି ସବୁ ଥିଲା, ମାତ୍ର ବାରମ୍ବାର ବଦଳି ହେଉଥିବାରୁ ମୋତେ ମାମୁଘରକୁ ପଠାଇ ଦିଆଗଲା।

କଟକ ଯିବାକୁ ହେଲେ ଜଗତ୍‌ସିଂହପୁର ବସ୍‌ରେ ଯିବାକୁ ହୁଏ। ସେତେବେଳେ ସକାଳ ଓଳି ୨ଟା ଓ ଉପର ଓଳି ୨ଟା ବସ୍‌ ଯାଏ। ଆମେ ବିରିଡି ଛକରୁ ବସୁ। ସେଠାରୁ ଘର ଅଧ ମାଇଲରୁ କିଛି କମ୍‌ ଆମକୁ ଚାଲିକରି ଆସିବାକୁ ହୁଏ। ବସ୍‌ ଛକକୁ ଆମେ ନାଲି ସଡକ କହୁ। ଘରୁ ଆସି ଛକ ପାଖରେ ଛିଡା ହେବାକୁ ହୁଏ। ମହିଳାମାନେ ସେଠାରେ ଥିବା ସଦାଗୁଡିଆର ଚା ଦୋକାନ ବାଡିପଟେ ଅପେକ୍ଷା କରନ୍ତି। ତା’ ସ୍ତ୍ରୀ ଭଦ୍ର ଲୋକଙ୍କ ପରିବାରର ଜାଣିଲେ ମଶିଣା ଖଣ୍ଡେ ପାରି ଦିଅନ୍ତି। ବେଳେବେଳେ ବସିଥିବାବେଳେ ବସ୍‌ ଆସେ। ସୌଭାଗ୍ୟବଶତଃ ସିଟ୍‌ ଥିଲେ ବସିବାକୁ ହୁଏ। ଏପରିକି ବେଳେବେଳେ ଦୁଇ ଓଳିରେ ଫେରିବାକୁ ହେଲେ ଅଜା କିମ୍ବା ମାମୁ ତା ପରଦିନ ଜଗତ୍‌ସିଂହପୁରଠାରୁ ଯେତିକି ସିଟ୍‌ ଦରକାର ଆଗୁଆ ପଇସା ଦେଇଦିଅନ୍ତି। ତା ପରଦିନ ଆଉ ଅସୁବିଧା ହୁଏ ନାହିଁ। ଏମିତି ଥିଲା ସେତେବେଳର ବସ୍‌ ଯାତ୍ରାର ବ୍ୟବସ୍ଥା। ବସ୍‌ରେ ଗଲାବେଳେ ମୋର ସାନମାମୁ (ସ୍ବର୍ଗତ ବିଶ୍ୱନାଥ ପଶାୟତ)ବେଳେବେଳେ ସାଙ୍ଗରେ ଯାଆନ୍ତି। ସାନ ମାମୁଙ୍କ ସାଙ୍ଗରେ ଗଲେ ବାଟସାରା ସବୁ ଚିହ୍ନାଇ ଚିହ୍ନାଇ ଯାଆନ୍ତି। ଏଇଟା ଅମୁକଙ୍କ କଦଳୀ ବଗିଚା, ସେଇଟା ଗୋପାଳ ପ୍ରହରାଜଙ୍କ ଗାଁ ସିଦ୍ଧେଶ୍ୱରପୁର। ଯିଏ ଓଡ଼ିଆ ଭାଷାକୋଷର ପ୍ରଣେତା। ଏମିତି ଏମିତି ରାସ୍ତା ସରିଯାଏ। ଆସିଯାଏ କଟକ ନଗର ଧବଳ ଟଗର। ରାସ୍ତାସାରା ହାତଟଣା ରିକ୍ସାରେ ଗଲାବେଳେ ରାସ୍ତାକଡ ଗଛପତ୍ରରେ ନାଲି ଧୂଳି। ଏଇଥିଲା ସେବେଳର କଟକ ନଗର। ଆଉ ଆଜି ସେତେବେଳର ବସ୍‌ ଯାତ୍ରୀ ଏବେ ନିଜେ ନିଜର ଗାଡିରେ ଯାତାୟାତ କରୁଛନ୍ତି। ପିଚୁ ରାସ୍ତା ସାପ ପରି କଟକରୁ ଲମ୍ବିଛି। ବିଭିନ୍ନ ବସ୍‌ ସର୍ଭିସ୍‌ ପ୍ରତି ୧୦ ମିନିଟ୍‌ ବ୍ୟବଧାନରେ ଚାଲୁଛି। ଲୋକଗହଳି ବଢିଗଲାଣି। ମୋର ବୟସ ତ ଆଉ ଟ୍ରେନ୍‌ ବସ୍‌ ଚଢିବାର ସୁଯୋଗ ଦେଉନି। କିନ୍ତୁ ମନ ଡାକେ ଥରେ ବସ୍‌ରେ ଲୋକଙ୍କ ଗହଳିରେ ମିଶି ଯିବାକୁ।

ମୋଟର ଗାଡିରେ ବସିବା ଲାଗି ଯେତିକି ଉତ୍କଣ୍ଠା ଓ ସେତିକି ଡର ମଧ୍ୟ ଥିଲା। -ଡା. ସୁବୋଧ କୁମାର ସାହୁ, ବରିଷ୍ଠ କୃଷି ବିଜ୍ଞାନୀ

ପ୍ରାୟ ୮୦ ବର୍ଷ ତଳର କଥା। ଜୀବନର ପ୍ରଥମ ବସ୍‌ ଯାତ୍ରା କରିଥିଲି ମୋ ସ୍ବର୍ଗତ ବଡ ଭାଇଙ୍କ ସହ। ସେତେବେଳକୁ ମୋର ବୟସ ଥିଲା ମାତ୍ର ୭ ବର୍ଷ। ବସ୍‌ ଧରିବାକୁ ଆମ ଘରଠାରୁ ୨ କି.ମି. ଯିବାକୁ ପଡୁଥିଲା। ରାସ୍ତା କଡରେ ଜଙ୍ଗଲ ଏବଂ ଶ୍ମଶାନ ପଡୁଥିବାରୁ ରାତିରେ ପ୍ରାୟ ଶୂନ୍‌ଶାନ୍‌ ରହୁଥିଲା। ଦିନରେ ମାତ୍ର ଗୋଟିଏ ବସ୍‌ ଚାନ୍ଦବାଲିରୁ ଭଦ୍ରକ ୫୦କି.ମି. ଯିବା ଆସିବା କରୁଥିଲା। ତେଣୁ ମିସ୍‌ ହୋଇଗଲେ ପର ଦିନକୁ ପୁଣି ଅପେକ୍ଷା କରିବାକୁ ପଡୁଥିଲା। ପିଚୁ ରାସ୍ତା ନ ଥିବାରୁ ଗୋଡି ରାସ୍ତାରେ ବସ୍‌ ଯିବା ସମୟରେ ଖୁବ୍‌ ଧକଡଚକଡ ମଧ୍ୟ ହେଉଥିଲା ଏବଂ ୫୦ କି.ମି. ଅତିକ୍ରମ କରିବାକୁ ୫-୬ ଘଣ୍ଟା ସମୟ ଲାଗିଯାଉଥିଲା। ବଡ ଗାଡିରେ ବସିବାକୁ ନେଇ ଉତ୍କଣ୍ଠା ଠାରୁ ମନରେ ଡର ଅଧିକ ଥିଲା। ସେତେବେଳେ ବର୍ତ୍ତମାନ ଭଳି ନା ଥିଲା ଡିଜେଲ୍‌ କିମ୍ବା ଅନ୍ୟ ଇନ୍ଧନରେ ଚାଲୁଥିବା ବଡ ବଡ ବସ୍‌ ନା ଥିଲା ବସ୍‌ ଭିତରେ ଆରାମଦାୟକ ଗଦି ସିଟ୍‌। ମାତ୍ର ୨୦ରୁ ୨୫ ଜଣିଆ ସିଟ୍‌ ଥିବା କୋଇଲା ଚାଳିତ ଛୋଟ ବସ୍‌ ଥିଲା। କୋଇଲା ଜଳୁଥିବାରୁ ବସ୍‌ ଭିତରେ ବସିବା ସମୟରେ ବହୁତ ଗରମ ଲାଗୁଥିଲା। ଯଦିଓ ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଯାନବାହନରେ ଅନେକ ପରିବର୍ତ୍ତନ ଆସିଛି ହେଲେ ସେଦିନର ସେ ପ୍ରଥମ ଯାତ୍ରାର ଅନୁଭୂତି ମୋ ପାଇଁ ଏବେବି ଅଭୁଲା।

ଛୋଟବେଳେ ବସ୍‌କୁ ଦେଖିବା ଓ ତା ପଛରେ ଦୌଡ଼ିବାର ଆନନ୍ଦ ଥିଲା ନିଆରା -ପ୍ରଫୁଲ୍ଲ ଚନ୍ଦ୍ର ଧୀର (ବିଶିଷ୍ଟ ଫଟୋଗ୍ରାଫର)
ଆମ ଘର ଅବିଭକ୍ତ କଟକ ଜିଲା ତଥା ଏବେର ଯାଜପୁର ଜିଲା ଗଡମଧୁପୁରରେ ା ୧୯୩୯ରେ ମୋର ଜନ୍ମ, ପିଲାଦିନେ ଆମ ଗାଁରେ କୌଣସି ବସ୍‌ ଚାଲୁ ନ ଥିଲା। ଏମିତିକି ବସ୍‌ ଚାଲିବା ପରେ ରାସ୍ତା ବି ନ ଥିଲା ।
ମୋ ପିଇସା ପୁରୀରେ ଶିକ୍ଷକ ଥିବାରୁ ତାଙ୍କ ପାଖରେ ରହି ପଢ଼ିବା ପାଇଁ ମୁଁ ପୁରୀ ଆସିଥିଲି। ସେତେବେଳେ ମୁଁ ଦ୍ୱିତୀୟ କି ତୃତୀୟରେ ପଢ଼ୁଥାଏ। ପୁରୀରେ ପ୍ରଥମେ ବସ୍‌ ଦେଖିବାର ସୁଯୋଗ ପାଇଲି। ସେତେବେଳେ କୋଇଲାରେ ବସ୍‌ ଚାଲୁଥିଲା। କାଠ ଝରକା ସାଇଡ୍‌ରେ ଝରକା ନ ଖୋଲି ତଳୁ ଉପରୁ ଝରକାକୁ ଟେକି ରଖିବାକୁ ହେଉଥିଲା। ଆମେ ସେତେବେଳେ ଛୋଟଛୋଟ ପିଲାମାନେ ବସ୍‌ ଆସିଲେ ବେଳେ ବେଳେ ତା ପଛରେ ଦୌଡୁଥିଲୁ,ଦେଖୁଥିଲୁ। କିନ୍ତୁ ବସ୍‌ରେ ବସିବାର ସୁଯୋଗ ମିଳି ନଥିଲା। ପୁରୀରୁ ସାକ୍ଷୀଗୋପାଳ ଆଉ ପୁରୀରୁ ପିପିଲି ଚାଲୁଥିଲା। ଯିବା ଆସିବା ପାଇଁ ସମସ୍ତେ ଘୋଡାଗାଡି ଉପରେ ନିର୍ଭର କରୁଥିଲେ। ତେବେ ମୁଁ ପ୍ରଥମେ ବସ୍‌ରେ ବସିବାର ସୁଯୋଗ ପାଇଲି ୧୯୬୨ରେ। ସେତେବେଳେ ବୁର୍ଲାରେ ହୀରାକୁଦ ଡ୍ୟାମ୍‌ ପ୍ରୋଜେକ୍ଟରେ ମୁଁ ଚାକିରି ପାଇଥିଲି। ମୁଁ ପୁରୀ ତାଳଚେର ଟ୍ରେନରେ ମେରାମଣ୍ଡଳି ଯାଇ ସେଠାରୁ ବସ୍‌ ଧରେ। ମେରାମଣ୍ଡଳିରୁ ରାତି ଦଶଟାରେ ବାହାରିଲେ ସମ୍ବଲପୁରରେ ଯାଇ ପହଞ୍ଚେ ଭୋର ୫ଟାରେ। ପ୍ରଥମ ଥର ମୁଁ ଯେତେବେଳେ ବସ୍‌ ରେ ଚଢିଲି ବସ୍‌ ଭିତରେ ଖୁବ୍‌ ଠେଲାପେଲା ତାରି ଭିତରେ କିଛିବାଟ ଯିବାପରେ ସିଟ୍‌ ମିଳିଲା, କାଠ ପଟାର ସିଟ୍‌। ବସ୍‌ ଯାଇ ରାତି ସାଢେ ଏଗାରଟା କି ବାରଟା ହେବ ଅନୁଗୋଳରେ ପହଞ୍ଚିଲା। ସେଠାରେ କିଏ କିଏ ଚା ’ପିଇଲେ। ରାତି ସାରା ମୁଁ ଶୋଇ ନ ଥାଏ। ପ୍ରାୟ କେହି ଶୋଇ ନ ଥାନ୍ତି। ଜାକିଜୁକି ହେଇ ବସିବାକୁ ପଡେ। ବସ୍‌ ଯାଇ ସମ୍ବଲପୁରରେ ପହଞ୍ଚିଲା ସକାଳୁ। କିନ୍ତୁ ପ୍ରଥମ ବସ୍‌ରେ ବସିବାର ଅନୁଭୂତି ଏବେ ବି ଭୁଲି ପାରିନି।

ସେତେବେଳେ ବସ୍‌ରେ ସିଟ୍‌ଟିଏ ପାଇଗଲେ କି ଖୁସି
– କିଶୋର ଚନ୍ଦ୍ର ବିଶୋଇ (ଲୋକ ପ୍ରତିନିଧି)
ଆମ ଅଞ୍ଚଳରେ ଯାତାୟତର ସୁବିଧା ଆଦୌ ନ ଥିଲା। ନନ୍ଦଳାଠାରୁ ୫ ନଂ ଜାତୀୟ ରାଜପଥ ପାଲୁରୁ ଜଙ୍କସନ୍‌ ପର୍ଯ୍ୟନ୍ତ ପ୍ରାୟ ୧୨ କିମି ଚାଲି କରି ଯିବାକୁ ପଡେ। କେହି କେହି ଶଗଡରେ ଯାଇଥାନ୍ତି। ଶଗଡ ଯିବାର ବାଲି ରାସ୍ତାକୁ ଶଗଡଗୋଦା କୁହାଯାଏ। ପାଲୁର ଜଙ୍କସନ୍‌ଠାରୁ ବସ୍‌ ଓ ହୁମ୍ମାରୁ ଟ୍ରେନରେ ଯାତାୟତ କରିଥାଉ। ୧୯୭୮ ମସିହାରୁ ଗଞ୍ଜାମ ଜଲ୍ଲା ବ୍ରହ୍ମପୁରରୁ ଏକ ସରକାରୀ ବସ୍‌ ସକାଳେ ଯାଏ ଓ ରାତିରେ ଫେରିଥାଏ। ସେତେବେଳେ ରାତ୍ରୀ ବିଶ୍ରାମାଗାର ନ ଥାଏ। ଆମେ ରାସ୍ତାରେ ବରଗଛମୂଳରେ ଅପେକ୍ଷା କରିଥାଉ। ବସ୍‌ ଆସିଲେ ଯାଉ। କୌଣସି କାରଣୁ ବସ୍‌ ନ ଆସିଲେ ଘରକୁ ଫେରିବାକୁ ବାଧ୍ୟ। ବେଳେବେଳେ ବ୍ରହ୍ମପୁରରୁ ଗାଁକୁ ଫେରିବାବେଳେ ରାତି ୧୦/୧୧ଟା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବସ୍‌ ଯାତ୍ରା ବାତିଲ ହୋଇଯାଏ। ସେଦିନର ଅସୁବିଧା ମନେପଡିଲେ ଭାବେ ଆଉ ସେଦିନ ନ ଆସୁ। କାରଣ ବ୍ରହ୍ମପୁରରୁ ଜିନିଷ କିଣିବା ପରେ କେବଳ ବସ୍‌ ଖର୍ଚ୍ଚ ପାଖରେ ଥାଏ। ଲଜ୍‌ରେ ରହିବାକୁ ଟଙ୍କା ନ ଥାଏ। ବାଧ୍ୟ ହୋଇ ଖୋଲା ଆକାଶ ତଳେ ରାତି କଟିଥାଏ। ସେତେବେଳେ ବସ୍‌ କି.ମି. ପିଛା ୩ ପଇସା। ଆଜି ସମୟ ବଦଳି ଯାଇଛି। ମାଳମାଳ ବସ୍‌। ହେଲେ ସେତେବେଳେ ବସ୍‌ରେ ସିଟ୍‌ଟିଏ ପାଇ ବସିଗଲେ ଯେଉଁ ଆନନ୍ଦ ମିଳେ, ଆଜି ଆଉ ସେ ନାହିଁ। ତାହା ଭୁଲି ହେବ ନାହିଁ।

ବସ୍‌ ରେ ଯାତ୍ରା କରିବାରେ ନିଆରା ଆନନ୍ଦ
-ଡାକ୍ତର ବାସୁଦେବ ପ୍ରଧାନ
ପିଲାବେଳ କଥା। ବସ୍‌ ସଂଖ୍ୟା ବହୁତ କମ୍‌ ଥିଲା। ଆମ ଗାଁ ଛକରେ ସୂର୍ଯ୍ୟ ଉଦୟ ପୂର୍ବରୁ ଗୋଟିଏ ଓ ଆରଟି ସୂର୍ଯୋ୍ୟଦୟ ପରେ ଯାଏ। ସେ ଦୁଇଟିକୁ ଫାଷ୍ଟ ବସ୍‌, ସେକେଣ୍ଡ ବସ୍‌ କୁହାଯାଏ। ଏଇ ଦୁଇଟି ବସ୍‌ ବାଣପୁର ପଲଟଣା ପଡିଆରୁ ବାହାରେ। ସନ୍ଧ୍ୟା ପୂର୍ବରୁ ଗୋଟିଏ। ଆରଟି ସନ୍ଧ୍ୟା ପରେ। ଥରେ ବସ୍‌ ଫେଲ୍‌ ହୋଇଗଲେ ଆଉ ବସ୍‌ ମିଳୁ ନ ଥିଲା। ଆଉ ଗୋଟିଏ ଦିନକୁ ଅପେକ୍ଷା କରିବାକୁ ପଡୁଥିଲା। ଆଜିକାଲି ପରି ବସ୍‌ ସଂଖ୍ୟା କମ୍‌ ଥିଲା। ଆଉ ଗୋଟିଏ ଭଲ ଅନୁଭୂତି କହୁଛି। ଓଡଗାଁରୁ ଗୋଟିଏ ବସ୍‌ ବାଣପୁର ଯିବାଆସିବା କରେ। ସେ ବସ୍‌ ଚଳାଉଥିବା ଡ୍ରାଇଭର ସମସ୍ତଙ୍କ ଅଜା ନାଁରେ ପରିଚିତ ଥିଲେ। ବିନା ଷ୍ଟପେଜ୍‌ରେ ହାତ ଦେଖାଇଲେ ଅଟକାଉଥିଲେ। ପୁରୀରେ ପଢିଲାବେଳେ ମୁଁ ଟ୍ରେନରେ ଯିବା ଆସିବା କରୁଥିଲି ଏବଂ ୧୯୯୦ ମସିହାର କଥା ପଢିଲାବେଳେ ଦୀର୍ଘ ସମୟ ଧରି ରାତି ବସରେ ବସି ଭୁବନେଶ୍ୱରରୁ ବଲାଙ୍ଗୀର ଯାଇଥାଏ। ଦିନରାତିରେ ବସରେ ଯିବାରେ ଅଲଗା ଅଲଗା ଅନୁଭୂତି , ବସଯାତ୍ରାରେ ମିତ୍ରତା ବଢାଏ। ନୂଆ ନୂଆ ବନ୍ଧୂୁତା ସୃଷ୍ଟିକରେ । ତେଣୁ ବସ ମୋ ପାଇଁ ମିତ୍ର ଟିଏ। ସହିତ ବହୁମାତ୍ରାରେ ବଢ଼ିଛି ବସ୍‌ ସଂଖ୍ୟା । କୋଇଲା ଇଞ୍ଜିନ୍‌, କାଠସିଟ୍‌,କାଠ ଝରକା ବଦଳରେ ଏବେ ଚାଲିଛି ଏସି ବସ୍‌ । କିନ୍ତୁ ସେତେବେଳର ସେହି ବସ୍‌ ଚଢ଼ାର ପ୍ରଥମ ମଧୁର ଅନୁଭୁତି ବିରଳ।

-ବୀରଭଦ୍ର ବିଶ୍ୱାଳ, ରୋଜାଲିନ ମହାନ୍ତି
ଫଟୋ:ଭାସ୍କର ରାଉତରାୟ, କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ଗର୍ଭବତୀ କୂଅ

ବେଜିଂ: ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ...

ଦେଶର ସୁରକ୍ଷା, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବାର ଦିନ…

ପ୍ରତିବର୍ଷ ୩୧ ଅକ୍ଟୋବରରେ ଆଇରନ ମ୍ୟାନ୍‌ ଅଫ୍‌ ଇଣ୍ଡିଆ ଅର୍ଥାତ୍‌ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନଦିବସକୁ ଜାତୀୟ ଏକତା ଦିବସ ଭାବେ...

ଭବିଷ୍ୟତକୁ ସହଜ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ

ଆଜି ସାରା ବିଶ୍ୱରେ ବିଶ୍ୱ ସଞ୍ଚୟ ଦିବସ ପାଳନ କରାଯାଉଛି। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଞ୍ଚୟ ବିଷୟରେ ଅବଗତ କରାଇବା। ଆଜିକାଲି...

ଚାଇନାର ଶ୍ରବଣ କୁମାର

ବେଜିଂ: ସାମ୍ପ୍ରତିକ ସମୟରେ ଏପରି ଅନେକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ଅନେକ ବ୍ୟକ୍ତି ସେମାନଙ୍କ ବୃଦ୍ଧ ମା’ ବାପାଙ୍କର ଯତ୍ନ ନ ନେଇ ସେମାନଙ୍କୁ ବୃଦ୍ଧାଶ୍ରମରେ...

୧୪,୮୦୮ କିଣ୍ଡରଗାର୍ଟେନ ବନ୍ଦ

ବେଜିଂ: ବହୁ ସମୟ ଧରି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ରହିଆସିଥିବା ଚାଇନାରେ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ କାରଣରୁ ଶିଶୁ ଜନ୍ମହାର ଲଗାତର କମୁଥିବାରୁ...

ସବୁଜ ଚିହ୍ନରୁ ଜୀବସତ୍ତା ଆଶା

ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍‌ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା...

ସ୍ୱାସ୍ଥ୍ୟକର ନୁହେଁ ଘରେ ପ୍ରସ୍ତୁତ ଖାଇବା: ICMR

ଭାରତରେ ସମସ୍ତଙ୍କର ଏକ ଧାରଣା ଥାଏ କି ଘରେ ପ୍ରସ୍ତୁତ ହେଉଥିବା ଖାଇବା ସ୍ୱାସ୍ଥ୍ୟକର ଅଟେ। କାରଣ ଘରେ ରୋଷେଇରେ ତଟକା ପନିପରିବା, ଅଳ୍ପ ତେଲ,...

ପୁଣି ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୪୩ ସୁଦ୍ଧା ଏସବୁ ଦେଶରେ ହେବ…

ସୋଫିଆ,୨୮।୧୦: ବିଶ୍ୱର ଲକ୍ଷ ଲକ୍ଷ ଲୋକ ଭବିଷ୍ୟବାଣୀ କରିଛନ୍ତି। ଏଥିମଧ୍ୟରୁ ଅନେକ ମିଥ୍ୟା ବୋଲି ପ୍ରମାଣିତ ହୋଇଥିବାବେଳେ କେତେକ ସତ୍ୟ ବୋଲି ମଧ୍ୟ ପ୍ରମାଣିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri