ଇସ୍ଲାମାବାଦ,୫।୧: ପାକିସ୍ତାନର ପେଶାୱାରଠାରେ ଜଣେ ଶିଖ୍ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ର ସିଂହ। ଚାମକାନି ପୋଲିସ ଷ୍ଟେସନ ଅଞ୍ଚଳରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଛି। ପାକିସ୍ତାନ ପତ୍ରକାର ହରମିତ୍ ସିଂହଙ୍କ ଭାଇ ହେଉଛନ୍ତି ରବୀନ୍ଦ୍ର। ତାଙ୍କୁ ୨୫ ବର୍ଷ ହୋଇଥିଲା। ସେ ମାଲେସିଆରେ ରହୁଥିଲେ, କିନ୍ତୁ ବିବାହ ପାଇଁ ପାକିସ୍ତାନ ଆସିଥିଲେ। ରବୀନ୍ଦ୍ର ଶପିଂ ପାଇଁ ପେଶାୱାର ଯାଇଥିବାବେଳେ ତାଙ୍କୁ ଅଜ୍ଞାତ ବ୍ୟକ୍ତି ଗୁଳି କରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ପାକିସ୍ତାନରେ ନାନକନା ସାହିବସ୍ଥିତ ଗୁରୁଦ୍ୱାର ଉପରେ କିଛି ମୁସଲମାନ ବ୍ୟକ୍ତି ଆକ୍ରମଣ କରିଥିଲେ। ଧର୍ମପୀଠରେ ଭଙ୍ଗାରୁଜା, ପୋଡାଜଳା ଏବଂ ଢେଲାମାଡ ହୋଇଥିଲା। ଏହାକୁ ଭାରତ ସରକାର ନିନ୍ଦା କରିଥିଲେ।