କୋଟିପତି ହେବାର ନିଶା ପ୍ରାୟ ଅଧିକାଂଶ ଲୋକଙ୍କର ଥାଏ। ଯଦି ପିତା କୋଟିପତି, ତେବେ ପୁଅ ମଧ୍ୟ ଛୋଟବେଳୁ ସେମିତି ଜୀବନଶୈଳୀ ଆପଣାଇ ଥାଆନ୍ତି। କିନ୍ତୁ ଆଲେକ୍ଜାଣ୍ଡର ଫ୍ରିଡ୍ମ୍ୟାନ୍ଙ୍କ କ୍ଷେତ୍ରରେ ଏହା ଭୁଲ ପ୍ରମାଣିତ ହୋଇଛି। ରୁଷର ଧନୀ ତାଲିକାରେ ଏକାଦଶ ସ୍ଥାନରେ ଥିବା ମିଖେଲ ଫ୍ରିଡ୍ମ୍ୟାନ୍୍ଙ୍କ ପୁଅ ହେଉଛନ୍ତି ଆଲେକ୍ଜାଣ୍ଡର। ପିତା କୋଟିପତି ସତ୍ତ୍ୱେ ମଧ୍ୟ ସେ ଏବେ ଏକ ଭଡାଘରେ ରହୁଛନ୍ତି। ନିଜ କାମ ନିଜେ କରୁଛନ୍ତି। ରୋଷେଇଠାରୁ ଆରମ୍ଭ କରି ଘରସଫା ସବୁ ନିଜ ହାତରେ କରୁଛନ୍ତି। ଲଣ୍ଡନରେ ପାଠ ପଢ଼ିଥିବା ୧୯ ବର୍ଷୀୟ ଆଲେକ୍ଜାଣ୍ଡର ଏବେ ନିଜର ଏକ ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। ଏନେଇ ସେ କହିଛନ୍ତି, ମୁଁ ନିଜ ଉପାର୍ଜନରେ କିଛି କରିବାକୁ ଚାହୁଁଛି। ସେଥିପାଇଁ ପିତାଙ୍କଠାରୁ କେବଳ ଉପଦେଶ ନେଉଛି, ଅର୍ଥ ନୁହେଁ। ଭବିଷ୍ୟତରେ ପିତା ନିଜ ସମ୍ପତ୍ତିିକୁ ଏକ ଦାତବ୍ୟ ଅନୁଷ୍ଠାନକୁ ଦାନ କରିଦେବେ। ତେଣୁ ତାଙ୍କ ସମ୍ପତ୍ତିରେ ମୋର କୌଣସି ଅଧିକାର ନାହିଁ। ବ୍ୟବସାୟ ପାଇଁ ପିତାଙ୍କଠାରୁ ଉପଦେଶ ନେବି ବୋଲି ସେ କହିଛନ୍ତି।