ପୁରୀ ଅଫିସ, ୧୫।୮: ପୁରୀ ଶରଧାବାଲିଠାରେ ଗୁରୁବାର ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳ ୯ଟା ୧୫ରେ ମୁଖ୍ୟଅତିଥିଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଉପସ୍ଥିତ ହୋଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଏକ ଖୋଲା ଜିପ୍ରେ ମନ୍ତ୍ରୀ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ପୁରୀର ସୁଯୋଗ୍ୟ ସନ୍ତାନଙ୍କ ସ୍ମୃତିଚାରଣ କରିବା ସହ ପର୍ଯ୍ୟଟନ ସହର ପୁରୀ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବତାରଣା କରିଥିଲେ। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଜିଲାପାଳ ବଲଓ୍ବନ୍ତ ସିଂ, ଏସ୍ପି ଉମାଶଙ୍କର ଦାଶ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ।