ପୂର୍ବବର୍ତ୍ତୀଙ୍କ ପ୍ରତି ଅଶ୍ରଦ୍ଧାର ପରିଣାମ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ୧୯୪୨ ମସିହାରେ ଥରେ ଆଲୋଚନା ପ୍ରସଙ୍ଗରେ କହିଥିଲେ-ପୂର୍ବଗାମୀମାନଙ୍କର ନିନ୍ଦାକରି, ସେମାନଙ୍କର ଅପ୍ରତିଷ୍ଠା କରି ଯଦି ନିଜର ପ୍ରତିଷ୍ଠା ଚାହଁ, ସେ ଚେଷ୍ଟା ସଫଳ ହେବ ନାହିଁ। ସେମାନଙ୍କ ସମ୍ବନ୍ଧରେ ଭଲ ଯାହା ଜାଣ, ତାହା କହିବା ହିଁ ଭଲ। ଆମ ଦେଶରେ ସମ୍ପ୍ରତି ଗୋଟେ ରିଓ୍ବାଜ ହୋଇଛି- ନିର୍ବାଚନରେ ଛିଡ଼ା ହେଲେ ହିଁ ଜଣେ ଅନ୍ୟର ନିନ୍ଦା କରନ୍ତି, ପରସ୍ପର କାଦୁଅ ଫୋପଡାଫୋପଡି କରନ୍ତି, ଏସବୁ ନୀଚ ବୁଦ୍ଧି ମୋର ପସନ୍ଦ ହୁଏ ନାହିଁ। ସମାଜର ମଥା ଯେଉଁମାନେ, ସେମାନେ ଯଦି ଏପରି କରନ୍ତି, ତା’ ହେଲେ ସର୍ବସାଧାରଣ ମଧ୍ୟ ତାହା ଦେଖି ସେପରି କରିଥାନ୍ତି। ସେଥିରେ ଶତ୍ରୁତା ବଢ଼େ, ବିଦ୍ୱେଷ ବଢ଼େ, ପ୍ରୀତି ଆଉ ବଢ଼େ ନାହିଁ। ହଁ! ତେବେ ବିଭିନ୍ନ ଦଳ ଯଦି ଥାଏ ଏବଂ ଦଳଗତ ନୀତି ଭିତରେ ତ୍ରୁଟି ଯଦି ଥାଏ, ପୁଣି ତାହା ଯଦି ବିଶେଷକରି ଧର୍ମ, ଇଷ୍ଟ, ସାତ୍ୱତ କୃଷ୍ଟି, ଐତିହ୍ୟ ଓ କଲ୍ୟାଣବିରୋଧୀ ହୁଏ ଏବଂ ନୀତି ଠିକ୍‌ ଥାଇ ମଧ୍ୟ ନିର୍ବାଚନ ପ୍ରାର୍ଥୀର ଚଳନ-ଚରିତ୍ର ଯଦି ତାହାର ଓଲଟା ହୁଏ, ସେଇଟା ଜନକଲ୍ୟାଣ ଦୃଷ୍ଟିରୁ ଶୋଭନ ଭାବରେ ଉଦ୍‌ଘାଟିତ କରାଯାଇପାରେ। ଏହା କରିବାକୁ ଗଲେ ବିପକ୍ଷ ସହିତ ଯେ ଶତ୍ରୁତା କରିବାକୁ ହେବ, ତା’ର କୌଣସି ମାନେ ନାହିଁ। (ଆ.ପ୍ର. ୧୫ା୦୯ା୧୯୪୨)।
ଦୀର୍ଘ ୭୭ ବର୍ଷ ତଳେ ସେ ଯାହା କହିଥିଲେ ତାହା ଆଜି ଆମର ରାଜନୈତିକ ଜୀବନରେ ଏକ ଅବାଞ୍ଛିତ ପରିଣତି ନେଇ ଛିଡ଼ା ହୋଇଛି। ଆମ ଦେଶର ନେତାମାନେ ଧରି ନେଇଛନ୍ତି ଯେ, ପୂର୍ବଗାମୀମାନଙ୍କର ନିନ୍ଦା ଏବଂ ଅପ୍ରତିଷ୍ଠା କଲେ ହିଁ ସେମାନଙ୍କର ପ୍ରତିଷ୍ଠା ଓ ଲୋକପ୍ରିୟତା ବଢ଼ିଯିବ। ସେମାନେ କହନ୍ତି ପୂର୍ବବର୍ତ୍ତୀ ସରକାରମାନେ କିଛି କରି ନ ଥିଲେ- ଆମେ ସବୁକିଛି କରୁଛୁ ବା କରି ଦେଖାଇଦେବୁ। ସେମାନେ ବୁଝିପାରନ୍ତି ନାହିଁ ଯେ ଏପରି କହିବା ଦ୍ୱାରା ନିଜେ ହିଁ ଲୋକଲୋଚନରେ ନିମ୍ନଗାମୀ ହେଉଛନ୍ତି। ବୁଦ୍ଧିମାନ ବ୍ୟକ୍ତି ପୂର୍ବବର୍ତ୍ତୀମାନଙ୍କର ଭଲଗୁଣର ପ୍ରଶଂସା କରି ଲୋକଚକ୍ଷୁରେ ଶ୍ରଦ୍ଧାଭାଜନ ହୋଇଉଠନ୍ତି। ଖୋଲାଖୋଲି ଭାବରେ ବିପକ୍ଷ ନେତାଙ୍କର ନିନ୍ଦାବାଦ କରୁଥିବା ବ୍ୟକ୍ତିଙ୍କୁ ସତ୍‌ଭାବାପନ୍ନ ଲୋକମାନେ ପସନ୍ଦ କରନ୍ତି ନାହିଁ। ତେଣୁ ଏ ଧରଣର ମନୋବୃତ୍ତିକୁ ରାଜନୈତିକ ଅପରିପକ୍ୱତା କୁହାଯାଇପାରେ।
ବିପକ୍ଷର ସମାଲୋଚନା କିପରି କରିବା ଉଚିତ ତା’ର ମଧ୍ୟ ସୁସ୍ପଷ୍ଟ ଇଙ୍ଗିତ ରହିଛି ଶ୍ରୀଶ୍ରୀଠାକୁରଙ୍କର ଉପରୋକ୍ତ ପ୍ରଶ୍ନୋତ୍ତରରେ। ସମାଲୋଚନା ଏପରି ହେବା ଉଚିତ ଯାହାଦ୍ୱାରା ଜନସାଧାରଣଙ୍କର ମଙ୍ଗଳ ହୁଏ। ସେମାନେ ଯେପରି ପ୍ରକୃତ ସତ୍ୟ ଜାଣିପାରନ୍ତି ଏବଂ ପରସ୍ପର ମଧ୍ୟରେ ଶତ୍ରୁତା ସୃଷ୍ଟି ନ ହୁଏ। ଆମ ଦେଶରେ ନେତୃସ୍ଥାନୀୟ ବ୍ୟକ୍ତିମାନେ ପରସ୍ପରର ନିନ୍ଦାବାଦରେ ମତ୍ତ ରହିବା ହେତୁ ସେମାନଙ୍କର ବ୍ୟକ୍ତିଗତ ଚରିତ୍ର କଳୁଷିତ ହେବା ସଙ୍ଗେ ସଙ୍ଗେ ତା’ର ପ୍ରଭାବରେ ସାଧାରଣ ଜନତାଙ୍କ ଚରିତ୍ର ମଧ୍ୟ ରସାତଳଗାମୀ ହୋଇ ଚାଲିଛି। ସମାଜରେ ମଣିଷ ମଣିଷ ମଧ୍ୟରେ ଘୃଣା, ବିଦ୍ୱେଷ, ବୈରୀଭାବ ଏବଂ ରକ୍ତପାତ ବୃଦ୍ଧିପାଉଛି। ଶ୍ରୀଶ୍ରୀଠାକୁର ତାଙ୍କର ଚଲାର ସାଥୀ ଗ୍ରନ୍ଥର ୮୪ ନମ୍ବର ବାଣୀରେ ସାବଧାନ କରି ଦେଇଛନ୍ତି- ତେଣୁ ଯିଏ ବା ଯେଉଁମାନେ ପୂର୍ବତନଙ୍କ ପ୍ରତି ଅଶ୍ରଦ୍ଧା ଏବଂ ଅକୃତଜ୍ଞତା ହେତୁ ବିଚ୍ଛିନ୍ନ ହୋଇ ଆତ୍ମପ୍ରତିଷ୍ଠାରେ ଯତ୍ନବାନ ସେମାନେ ପରବର୍ତ୍ତୀ ଅନୁସରଣକାରୀଙ୍କ ଭିତରେ ସେହି ଅକୃତଜ୍ଞତା ଓ ବିଚ୍ଛିନ୍ନ ଭାବକୁ ସଞ୍ଚାରିତ କରି ଜାତି ଓ କୃଷ୍ଟିକୁ ଛିନ୍ନଭିନ୍ନ କରିଦେବେ, ସନ୍ଦେହ ନାହିଁ। ତେଣୁ କହୁଛି, ସାବଧାନ ହେବାକୁ ଦ୍ୱିଧା କର ନାହିଁ।
ଅତୀତର ମୂଳଦୁଆ ଉପରେ ହିଁ ବର୍ତ୍ତମାନ ଗଢ଼ିଉଠେ ଏବଂ ଭବିଷ୍ୟତର ସମ୍ଭାବନା ସୃଷ୍ଟି ହୁଏ। ୧୯୪୭ ମସିହାରେ ସ୍ବାଧୀନତା ଲାଭ ପରଠାରୁ ଦେଶ କ୍ରମେ ପ୍ରଗତିପଥରେ ଅଗ୍ରସର ହୋଇଆସିଛି, କେତେବେଳେ ଦ୍ରୁତ ତ କେତେବେଳେ ମନ୍ଥର ଗତିରେ। ଏକାଥରକେ ରାତାରାତି କିଛି ହୋଇଯାଇ ନାହିଁ। ଇତିମଧ୍ୟରେ ଆମେ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛୁ। ଦେଶର ପ୍ରଗତିରେ ପ୍ରତ୍ୟେକଙ୍କର କିଛି ନା କିଛି ଅବଦାନ ରହିଛି। ପଣ୍ଡିତ ନେହେରୁଙ୍କ ସମୟରେ ପ୍ରଥମେ ରାଉରକେଲା, ଭିଲାଇ ଏବଂ ଦୁର୍ଗାପୁରରେ ତିନୋଟି ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା ଏବଂ ଭାକ୍ରାନଙ୍ଗଲ ତଥା ହିରାକୁଦ ଭଳି ବୃହତ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପଗୁଡିକ ସ୍ଥାପିତ ହୋଇ ଦେଶର ଶିଳ୍ପାୟନର ମୂଳଦୁଆ ପଡିଥିଲା। ୧୯୬୦ ଦଶକର ହା-ଅନ୍ନ ଭାରତବର୍ଷକୁ ଆତ୍ମନିର୍ଭରଶୀଳତା ଏବଂ ଆତ୍ମସମ୍ମାନର ମନ୍ତ୍ର ଶୁଣାଇଲେ ଶାସ୍ତ୍ରୀଜୀ ତାଙ୍କର ଜୟ ଯବାନ, ଜୟ କିଷାନ ଆହ୍ବାନ ମାଧ୍ୟମରେ ଏବଂ ସେହି ପ୍ରଚେଷ୍ଟାରେ ଦେଶ ଆଜି ଖାଦ୍ୟ ଏବଂ ନିରାପତ୍ତା କ୍ଷେତ୍ରରେ ସ୍ବୟଂସମ୍ପୂର୍ଣ୍ଣ ହୋଇପାରିଛି। ୧୯୬୫ ମସିହାରେ ଆମେରିକା ସମର୍ଥନରେ ଭାରତ ଉପରେ ପାକିସ୍ତାନର ନଗ୍ନ ଆକ୍ରମଣକୁ ସେ ସଫଳତାର ସହିତ ପ୍ରତିହତ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ୧୯୭୧ ମସିହାରେ ପାକିସ୍ତାନ ସହିତ ଯୁଦ୍ଧରେ ଭାରତ ସମ୍ପୂର୍ଣ୍ଣ ବିଜୟପ୍ରାପ୍ତ ହେଲା, ସ୍ବାଧୀନ ବାଂଲାଦେଶର ସୃଷ୍ଟିହେଲା, ପୋଖରାନରେ ପ୍ରଥମ ଆଣବିକ ବୋମା ପରୀକ୍ଷା ହେଲା, ବ୍ୟାଙ୍କ ଜାତୀୟକରଣ ହେଲା, ସିକିମ ରାଜ୍ୟ ଭାରତ ସହିତ ମିଶିଲା ଏବଂ ୧୯୭୪ ମସିହାରେ ଶେଖ୍‌ ଅବଦୁଲାଙ୍କ ସହିତ ଚୁକ୍ତି ବଳରେ କଶ୍ମୀର ରାଜ୍ୟର ଭାରତୀୟ ରାଷ୍ଟ୍ରସଂଘରେ ମିଶ୍ରଣକୁ ଚୂଡାନ୍ତ କରାଯାଇ ତାହାକୁ ଜାତିସଂଘ ନିରାପତ୍ତା ପରିଷଦର ଏଜେଣ୍ଡାରେ ସ୍ଥାନିତ କରାଗଲା। ଏହି ସମସ୍ତ ପଦକ୍ଷେପ ଦେଶର ଶକ୍ତିବୃଦ୍ଧି କ୍ଷେତ୍ରରେ ଗୋଟିଏ ଗୋଟିଏ ପାହାଚ କୁହାଯାଇପାରେ। ପ୍ରଧାନମନ୍ତ୍ରୀ ନରସିଂହ ରାଓ ଏବଂ ତତ୍କାଳୀନ ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ଉଦ୍ୟମରେ ଜାତୀୟ ଅର୍ଥନୀତିର ଉଦାରୀକରଣ ହେତୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ବିତ ହେଲା। ଅଟଳବିହାରୀ ବାଜପେୟୀଙ୍କ ଅମଳରେ ପୋଖରାନ ଭୂଗର୍ଭରେ ଚାରିଟି ପରମାଣୁ ବୋମାର ସଫଳ ପରୀକ୍ଷଣ, ଐତିହାସିକ କାରଗିଲ ଯୁଦ୍ଧରେ ସଫଳତା, ଦେଶର ଦ୍ରୁତ ଅଭିବୃଦ୍ଧି ନିମନ୍ତେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଇତ୍ୟାଦି ଦେଶକୁ ଉନ୍ନତି ମାର୍ଗରେ ଆଗେଇ ନେଇଛି।
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷକୁ ପୃଥିବୀର ଏକ ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବା ପାଇଁ ସର୍ବାଙ୍ଗୀଣ ପ୍ରଚେଷ୍ଟା ଜାରି ରଖିଛନ୍ତି। ଚଳିତ ଅଗଷ୍ଟ ୫ ତାରିଖରେ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରି ସେ ସମ୍ବିଧାନର ୩୭୦ ଧାରାର ଉଚ୍ଛେଦ କରିବା ଦ୍ୱାରା କଶ୍ମୀର ସମ୍ବନ୍ଧରେ ଏକ ଐତିହାସିକ ଭୁଲର ସଂଶୋଧନ କରିପାରିଛନ୍ତି। ଏଥିପାଇଁ ଦେଶ ତାଙ୍କୁ ଚିରଦିନ ମନେରଖିବ। ଭାରତ ଭଳି ଗୋଟିଏ ବିରାଟ ସମସ୍ୟାବହୁଳ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ ତୁଲାଇବା ସହଜ କଥା ନୁହେଁ। ତା’ ଛଡା ମଣିଷ ହିସାବରେ ସମସ୍ତଙ୍କର କିଛି ନା କିଛି ଦୋଷ ତ୍ରୁଟି ରହିଛି। ସେ ଦୃଷ୍ଟିରୁ ପୂର୍ବତନମାନଙ୍କର ଦୋଷତ୍ରୁଟିର ସମାଲୋଚନା କରିବାର ଗଣତାନ୍ତ୍ରିକ ଅଧିକାର ଆମର ଯେପରି ଅଛି ଠିକ୍‌ ସେହିପରି ଦେଶର ପ୍ରଗତି ପଥରେ ସେମାନଙ୍କର ମୂଲ୍ୟବାନ ଅବଦାନକୁ ସ୍ବୀକାର କରିବାର ନୈତିକ ଦାୟିତ୍ୱ ମଧ୍ୟ ଆମର ଅଛି। ତା’ ନ ହେଲେ ଅକୃତଜ୍ଞତା ରୂପକ ପାପ ଆମ ଚରିତ୍ରକୁ କଳୁଷିତ କରିବ ଏବଂ ଈଶ୍ୱରଙ୍କ ଦରବାରରେ ଆମେ ଦ୍ରୋହୀ ହୋଇଯିବା। ତେଣୁ ସମୟ ଆସିଛି ଆମର ନେତୃବର୍ଗ ପୂର୍ବତନମାନଙ୍କ ପ୍ରତି ଏବଂ ପରସ୍ପର ପ୍ରତି ଅଶ୍ରଦ୍ଧା, ଅସମ୍ମାନ ଏବଂ ଅକୃତଜ୍ଞତାର ପରମ୍ପରା ତ୍ୟାଗ କରି ପରସ୍ପରର ଭଲ ଗୁଣଗଡ଼ିକୁ ଦେଖିବାକୁ ଚେଷ୍ଟା କରନ୍ତୁ ଏବଂ ସର୍ବସାଧାରଣରେ ତାହା ବ୍ୟକ୍ତ କରନ୍ତୁ। ତା’ ହେଲେ ସେମାନଙ୍କ ମଧ୍ୟରେ ସୌଜନ୍ୟପୂର୍ଣ୍ଣ ସମ୍ପର୍କ ସୃଷ୍ଟିହେବା ସଙ୍ଗେ ସଙ୍ଗେ ଦେଶର ଲୋକଚରିତ୍ର ମଧ୍ୟ ଅନେକାଂଶରେ କଳୁଷମୁକ୍ତ ହୋଇପାରିବ, ଯାହା କି ଉତ୍ତରସୂରିଙ୍କ ପାଇଁ ଅନୁସରଣୀୟ ହୋଇପାରିବ।
ପ୍ଲଟ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର, ମୋ-୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri