କୃଷ୍ଣପ୍ରସାଦ,୨୮ା୧୧(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରେ ସୋମବାରଠାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ମାଲୁଦ ଅଞ୍ଚଳରୁ ଘେରି କଟାଯାଉଥିବା ବେଳେ ଚିଲିକା ଉପରେ ନିର୍ଭର କରି ଚଳୁଥିବା ଅଧିବାସୀ ଏହାକୁ ବିରୋଧ କରିଥିଲେ। ମଙ୍ଗଳବାର ଏହି ବିରୋଧ ତୀବ୍ର ରୂପ ନେଇଥିଲା। ଚିଲିକା ଦ୍ୱୀପାଞ୍ଚଳ ପେସାଦାର ମତ୍ସ୍ୟଜୀବୀ ମହାସଂଘ ଧାରଣାରେ ବସିବା ସହ ଉଚ୍ଛେଦ ପାଇଁ ଯାଉଥିବା ତହସିଲଦାରଙ୍କ ଗାଡି ଛାଡି ନ ଥିଲା। ତହସିଲଦାର ଜିତେନ୍ଦ୍ର କୁମାର ନାୟକ ଏ ନେଇ ଏକ ୬ଜଣିଆ କମିଟି ସହ ଆଲୋଚନା କରିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ବୁଧବାର ସହସ୍ରାଧିକ ମହିଳାପୁରୁଷ ଏହାକୁ ବିରୋଧ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ା ପେସାଦାର ମତ୍ସ୍ୟଜୀବୀ ମହାସଂଘ ସଭାପତି କେଳୁ ଚରଣ ଜେନା, ସମ୍ପାଦକ କବିରାଜ ମାଝି, ଦୀନବନ୍ଧୁ ଜେନା, ସୁରେନ୍ଦ୍ର ନାଥ ମାଝି, ହେମନ୍ତ କୁମାର ଜେନା, ଦାମୋଦର ଜେନା, ପ୍ରଦୀପ କୁମାର ମାଝି, ଶରତ ଚନ୍ଦ୍ର ଜେନା, ଅମିନ ଦାସ, ଶ୍ରୀଧର ପଲେଇ, ଅଭିମନ୍ୟୁ ଖୁଣ୍ଟିଆ, ଗୋଲଖ ବିହାରୀ ସାହୁ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ପରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବିଶେଷଜ୍ଞ ଦଳ ଓ ତହସିଲଦାରଙ୍କ ସହିତ ୧୫ ଜଣିଆ କମିଟି ଆଲୋଚନା କରିଥିଲା। କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ମତ୍ସ୍ୟଜୀବୀ ସଂଘ ମାନି ନ ଥିଲା ା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଘେରି ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଜୀବନ ଦେବୁ ପଛେ, ଘେରି ଉଚ୍ଛେଦ ପାଇଁ ପ୍ରଶାସନକୁ ଛାଡିବୁ ନାହିଁ ବୋଲି ମତ୍ସ୍ୟଜୀବୀମାନେ ଚେତାବନୀ ଦେଇଛନ୍ତି। ଗୁରୁବାର ପ୍ରଶାସନ ଏହାର କିଭଳି ମୁକାବିଲା କରୁଛି ତାହା ଦେଖିବାକୁ ବାକି ରହିଛି।
Posted inଆମ ଜିଲା ଖବର, ନୟାଗଡ଼, ରାଜ୍ୟ