ଗୋପାଳପୁର,୧୫।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା କାଳୁଆଘାଟି ନିକଟରେ ଗତ ବୁଧବାର ରାତିରେ ଏକ ପୋଖରୀରୁ ମାଛ ଚୋରି ନେଇ ଦୁର୍ଦ୍ଦାନ୍ତ ଅପରାଧୀ କୁନା ବେହେରାଙ୍କ ଗୁଳିମାଡ଼ରେ ଦୁଇ ଭାଇ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କୁନାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତନାଘନା ଜାରି ରଖିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ତିନିଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ଶନିବାର ଟାମଣା ଜଙ୍ଗଲରେ କୁନା ବେହେରା ରହିଥିବା ଖବର ପାଇବା ପରେ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଜଙ୍ଗଲ ଭିତରେ ଜାଲ ବିଛାଇଥିଲା। ହେଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ। ବର୍ତ୍ତମାନ କୁନାଙ୍କ ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇ ଅତିଶୀଘ୍ର ଗିରଫ କରାଯିବ ବୋଲି ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ