କେନ୍ଦୁଝର/ରାଇସୁଆ,୨୫।୫,(ସ୍ବ.ପ୍ର./ଡି.ଏନ୍.ଏ.)-କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୁହାଳଡ଼ିହି ରେଳ ସାଇଡ଼ିଂରେ କର୍ମସଂସ୍ଥାନ ପାଇଁ ଜମି ହରାଇ ଥିବା ସ୍ଥାନୀୟ ଅଧିବାସୀଙ୍କ ଉପରେ ପୋଲିସର ଜୁଲମ ପ୍ରତିବାଦରେ ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଲୋକେ ଥାନା ଘେରାଉ କରିଥିଲେ। ଏହି ରେଳ ସାଇଡ଼ିଂରେ କର୍ମ ସଂସ୍ଥାନ ଯୋଗାଇ ଦେବାକୁ ଗ୍ରାମବାସୀ ଆନ୍ଦୋଳନ କରି ଆସୁଛନ୍ତି। ଏହାକୁ ନେଇ ୩ ଦିନ ତଳେ ରାସ୍ତା ଅବରୋଧ କରି ଆନ୍ଦୋଳନ କରିବା ବେଳେ ପୋଲିସ ଲାଠିଚାର୍ଜ କରି ସେମାନଙ୍କୁ ଉଠାଇ ଦେଇଥିଲା। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ ସୋମବାର କେତେଜଣ ଗ୍ରାମବାସୀଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଥାନାକୁ ଘେରାଉ କରିଥିଲେ। ରିପୋର୍ଟ ଲେଖା ହେଲା ବେଳକୁ ପୋଲିସ ଗ୍ରାମବାସୀଙ୍କ ସହ ଆଲୋଚନା ଜାରି ରଖିଥିଲା।