ପ୍ରେମର ପରିଭାଷା ମଣିଷଙ୍କଠାରୁ ଆରମ୍ଭ କରି ପ୍ରାଣୀଜଗତ ସବୁଠାରେ ପରିଲକ୍ଷିତ ହୋଇଥାଏ। ସ୍ନେହ ପ୍ରେମରେ ସାରା ଦୁନିଆକୁ ଜୟ କରାଯାଇପାରେ ବୋଲି ବୁଦ୍ଧିଜୀବି ମତ ଦେଇଥାନ୍ତି। ତେଣୁ ତ କୁହାଯାଇଥାଏ ହିଂସା ପ୍ରଣୋଦିତ ତରବାରୀ ଦ୍ୱାରା କରାଯାଇଥିବା ଜୟ ପ୍ରକୃତ ଜୟ ନୁହେଁ। ସ୍ନେହ ପ୍ରେମ ଦ୍ୱାରା ହୋଇଥିବା ହୃଦୟର ଜୟ ହିଁ ପ୍ରକୃତ ଜୟ। ଏହା ଭାଲେଣ୍ଟାଇନ୍ ଡେ’ ବା ପ୍ରେମ ଦିବସର ପ୍ରକୃତ ଉଦ୍ଦେଶ୍ୟ। ଫେବୃୟାରୀ ୧୪କୁ ପୃଥିବୀ ବ୍ୟାପି ଭାଲେଣ୍ଟାଇନ୍ସ୍ ଡେ’ ଭାବେ ପାଳନ କରାଯାଇଥାଏ। ଦୀର୍ଘ ସାଢ଼େ ୧୭ ଶହ ବର୍ଷ ଧରି ଏହି ଦିନଟି ପୃଥିବୀବାସୀଙ୍କୁ ‘ପ୍ରେମ ହିଁ ଜୀବନ’ ବାର୍ତ୍ତା ଦେଇ ଚାଲିଛି। ଏହି ଦିନଟି ଯୁବବର୍ଗଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖୁଥିଲେ ମଧ୍ୟ ସମାଜର ପ୍ରତିବର୍ଗର ଲୋକେ ନିଜ ନିଜ ମଧ୍ୟରେ ଥିବା ଭଲ ପାଇବାକୁ ପରିପ୍ରକାଶ କରିଥାନ୍ତି। ତୃତୀୟ ଶତାବ୍ଦୀରୁ ଏହି ଦିବସ ପାଳିତ ହୋଇ ଆସୁଛି। ସେତେବେଳେ ରୋମର କ୍ୟାଥଲିକ୍ ଚର୍ଚ୍ଚରେ ଭାଲେଣ୍ଟାଇନ ନାମକ ଜଣେ ପାଦ୍ରୀ ଥିଲେ। ସେ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବିବାହ କରାଉଥିଲେ। ତେବେ ତତ୍କାଳୀନ ରୋମର ରାଜା କ୍ଲାଡିୟସ ନିଜ ସୈନ୍ୟବଳ ବୃଦ୍ଧି ପାଇଁ ଦେଶରେ ପ୍ରେମ ବିବାହ ଉପରେ ରୋକ ଲଗାଇ ଦେଇଥିଲେ। ରାଜା ଭାବୁଥିଲେ ପ୍ରେମ ଓ ବିବାହ ଯୋଗୁଁ ଯୁବକମାନେ ସୈନ୍ୟ ବିଭାଗରେ ଭର୍ତ୍ତି ହେବାକୁ ଚାହୁଁନାହାଁନ୍ତି । ଯୁବକମାନେ ନିଜ ପ୍ରେମିକାଙ୍କୁ ଛାଡି ଦୂରରେ ରହି ବର୍ଷ ବର୍ଷ ଧରି ଯୁଦ୍ଧ କରିବାକୁ ଅମଙ୍ଗ ହେଉଛନ୍ତି ବୋଲି ରାଜା ଚିନ୍ତା କରୁଥିଲେ। ରାଜାଙ୍କ ମନା କରିବା ପରେ ମଧ୍ୟ ପାଦ୍ରୀ ଭାଲେଣ୍ଟାଇନ ପ୍ରେମୀଯୁଗଳଙ୍କ ବିବାହ କରିବା ଜାରି ରଖିଲେ। ପାଦ୍ରୀ ଅନେକ ସୈନିକଙ୍କ ବିବାହ ମଧ୍ୟ କରାଇଲେ । ରାଜା ତାଙ୍କୁ ଗିରଫ କରି ଜେଲରେ ରଖିଦେଲେ । ହତ୍ୟା କରିବା ଲାଗି ତାଙ୍କ ଉପରେ ଚାବୁକ ଏବଂ ପଥର ମାଡ଼ କରାଗଲା। ଏହାଦ୍ୱାରା ତାଙ୍କର ମୃତ୍ୟୁ ନ ହେବାରୁ ଶେଷରେ ୧୪ ଫେବୃୟାରୀ ୨୬୯ ମସିହାରେ ଭାଲେଣ୍ଟାଇନଙ୍କ ମୁଣ୍ଡକାଟ କରାଗଲା। ଲୋକେ କୁହନ୍ତି ଜେଲରେ ଥିବା ସମୟରେ ପାଦ୍ରୀ ଜେଲରଙ୍କ ଝିଅଙ୍କ ପାଖକୁ ଏକ ପ୍ରେମ ଚିଠି ଲେଖିଥିଲେ। ଏହାର ଶେଷରେ ଲେଖାଯାଇଥିଲା ଇତି ‘ତୁମର ଭାଲେଣ୍ଟାଇନ’। ପାଦ୍ରୀ ଭାଲେଣ୍ଟାଇନଙ୍କ ତ୍ୟାଗକୁ ପ୍ରେମର ପ୍ରତୀକ ଭାବେ ମନେ ରଖିବା ପାଇଁ ୧୪ ଫେବୃୟାରୀକୁ ଭାଲେଣ୍ଟାଇନ୍ସ୍ ଡେ’ ଭାବେ ପାଳନ କରାଯାଇଥାଏ ।