ତାଳଚେର/କଣିହାଁ, ୯ା୪(ନି.ପ୍ର.) : କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନ୍ଲୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ ଡାକ୍ତରଖାନା ପାଚେରିକୁ ଧକ୍କା ଦେଇଥିଲା। ଏଥିରେ ପାଚେରି ସହ ଡାକ୍ତରଖାନା ଫାଟକ ଭାଙ୍ଗିଯାଇଛି। ରାତି ପ୍ରାୟ ସାଢେ ୨ଟାରେ ଟ୍ରକ୍(ନଂ. ଓଡି୩୫ଡି-୧୧୧୭)ଟି ପାଚେରିକୁ ଧକ୍କା ଦେଇ ଚିକିତ୍ସାଳୟ ଭିତରକୁ ପଶି ଯାଇଥିଲା। ଶବ୍ଦ ଶୁଣି ବାହାରକୁ ଆସିବା ପରେ ଡାକ୍ତର ସୁମନ୍ତ ପଟେଲ ଘଟଣା ସମ୍ପର୍କରେ ଅବଗତ ହେବା ସହ ଥାନାକୁ ଖବର ଦେଇଥିଲେ। ପୋଲିସ ନଂ. ୫୭/୨୦ରେ ମାମଲା ରୁଜୁ କରି ଚାଳକଙ୍କୁ ଅଟକ ରଖିଛି। ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କ ଉପସ୍ଥିତିରେ ପୋଲିସ, ପ୍ରଶାସନ ଓ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନୂତନ ପାଚେରି ସହ ଫାଟକ ନିର୍ମାଣ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଆଇଆଇସି ପ୍ରଭାତ ତ୍ରିପାଠୀ ପ୍ରକାଶ କରିଛନ୍ତି।