ରାଷ୍ଟ୍ରପତି ରାଷ୍ଟ୍ର ଶାସନର ମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟ ଅଟନ୍ତି। ଏମାନଙ୍କ ନିର୍ଦ୍ଦେଶରେ ଶାସନ ଚାଲେ। ତେଣୁ ଏମାନଙ୍କ ଉପରେ ସାମାନ୍ୟ ଦୋଷଟିଏ ଲଦିବା ପୂର୍ବରୁ ମଧ୍ୟ ହଜାର ବାର ଭାବିବାକୁ ପଡ଼େ। ଫାଶୀ ତ ଦୂର କଥା। ମାତ୍ର ଏମିତି ଜଣେ ପ୍ରଧାନମନ୍ତ୍ରୀ ଯେ କି, ଦୋଷୀ ଭାବେ ଫାଶୀଖୁଣ୍ଟରେ ଝୁଲିଥିଲେ। ସେ ଆଉ କେହି ନୁହନ୍ତି, ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ଫିକର ଅଲ୍ଲୀ ଭୁଟ୍ଟୋ। ଏହା ପୂର୍ବରୁ ସେ ରାଷ୍ଟ୍ରପତି ମଧ୍ୟ ଥିଲେ। ୨୦ ଡିସେମ୍ବର ୧୯୭୧ରୁ ୧୩ ଅଗଷ୍ଟ ୧୯୭୩ ପର୍ଯ୍ୟନ୍ତ ସେ ପାକିସ୍ତାନର ରାଷ୍ଟ୍ରପତି ଥିଲେ। ପରେ ୧୪ ଅଗଷ୍ଟ ୧୯୭୩ରୁ ୫ ଜୁଲାଇ ୧୯୭୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ। ଜୁଲ୍ଫିକରଙ୍କୁ ପାକିସ୍ତାନର ସବୁଠୁ ଶକ୍ତିଶାଳୀ ନେତା କୁହାଯାଉଥିଲା।
କିନ୍ତୁ ୧୯୭୭ରେ ପାକିସ୍ତାନର ତତ୍କାଳୀନ ସେନା ପ୍ରମୁଖ ଜେନେରାଲ ମହମ୍ମଦ-ଜିୟା-ଉଲ୍-ହକ୍ଙ୍କ ନେତୃତ୍ୱରେ ସେନା ପରିବର୍ତ୍ତନ କରିଥିଲେ। ଏହା ପରେ ୩ ସେପ୍ଟେମ୍ବର ୧୯୭୭ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଉପରେ ବିପକ୍ଷ ନେତାଙ୍କୁ ହତ୍ୟା ଅଭିଯୋଗ ଲାଗିଥିଲା। କିନ୍ତୁ ସେ ସବୁବେଳେ ହତ୍ୟା ଅଭିଯୋଗକୁ ପ୍ରତ୍ୟାଖାନ କରିଚାଲିଥିଲେ। ୧୮ ମାର୍ଚ୍ଚ ୧୯୭୮ରେ ଜୁଲ୍ଫିକରଙ୍କ ଜୀବନରେ ଏକ ବଡ଼ ନିଷ୍ପତ୍ତି ଆସିଲା। ଲାହୋର ହାଇକୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ଦୋଷମୁକ୍ତ ପାଇଁ ଜୁଲ୍ଫିକର ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ। ମାତ୍ର ଅଦାଲତ ଏହାକୁ ଖାରଜ କରିଦେଇଥିଲେ। ଦୋଷୀ ଭାବରେ ସେ ରାଓ୍ବଲପିଣ୍ଡି ଜେଲ୍ରେ କଟାଇଥିଲେ। ୩ ଏପ୍ରିଲ ୧୯୭୯ରେ ରାତି ୨ଟା ୪ ମିନିଟ୍ରେ ତାଙ୍କୁ ରାଓ୍ବଲପିଣ୍ଡି ଜେଲ୍ରେ ହିଁ ଫାଶୀ ଦିଆଯାଇଥିଲା। ପ୍ରାୟ ଅଧ ଘଣ୍ଟା ଫାଶୀଖୁଣ୍ଟରେ ଝୁଲିବା ପରେ ଡାକ୍ତର ଯାଞ୍ଚ କରି ତାଙ୍କୁ ମୃତ ଘୋଷଣା କରିଥିଲେ।