ବଡ଼ବଡ଼ିଆଙ୍କ ଉତ୍ପାତ

ଡ. କୁଳାଙ୍ଗାର

ଶୀର୍ଷକଟିକୁ ପଢ଼ି ଅନେକେ ଆମ ଉପରେ ବିରକ୍ତି ପ୍ରକାଶ କରି ସାରିବେଣି! କାରଣ ଆମେ ଅଧିକାଂଶ ନିଜକୁ ବଡ଼ଲୋକ ଭାବୁ। କିଏ ଭାବେ ମୁଁ ଏତେ ବର୍ଷ ବୟସ୍କ ତେଣୁ ମୁଁ ବଡ଼। କିଏ କହେ ମୋର ଚେହେରା ଦେଖୁନ- ମୁଁ କେଡ଼େ ଡେଙ୍ଗା, ତେଣୁ ମୁଁ ବଡ଼। ପୁଣି କିଏ କହେ ଉଚ୍ଚତାରୁ କ’ଣ ମିଳିବ ହେ.. ଓଜନ ଦେଖ ଓଜନ, ମୁଁ ମୋଟା ତେଣୁ ମୁଁ ବଡ଼। ଆଉ କିଏ କହେ ମୋର ଚେହେରା ନ ଥିଲେ କ’ଣ ହେଲା ଯାହା ଧନସମ୍ପତ୍ତି ଅଛି ସେଇ ବଳରେ ମୁଁ ବଡ଼। ଆଉ କିଏ କହେ ମୋ ହାତରେ ଯେତିକି କ୍ଷମତା ଅଛି ଓ ମୋ ପଛରେ ଯେତିକି ଲୋକ ଅଛନ୍ତି ସେଇ ଅନୁସାରେ ମୁଁ ହିଁ ବଡ଼।
ବିବାହ ଅନୁଷ୍ଠାନରେ କନ୍ୟାଠାରୁ ବର ବଡ଼ ହେବାର ପରମ୍ପରା ବହୁକାଳର। ବଡ଼ମାନଙ୍କୁ ଆମେ ଭୟ କରୁ, ସମ୍ମାନ ଦେଉ, ଆଦର୍ଶ ମନେ କରୁ। ଆମ ଜୀବନ ସ୍ବଭାବତଃ ଊର୍ଦ୍ଧ୍ୱମୁଖୀ। ଆଜି ନ ହେଲେ କାଲି, ଦିନେ ନା ଦିନେ ବଡ଼ ହେବାପାଇଁ ଆମେ ସ୍ବପ୍ନ ଦେଖୁ। ଏମିତି ବଡ଼ହେବାର ପ୍ରତିଯୋଗିତାରେ ଅନ୍ୟକୁ ଛୋଟ କରି ନିଜକୁ ଖୁସି କରିବାକୁ ସମସ୍ତେ ପ୍ରୟାସରତ। ତେଣୁ ଛୋଟମାନେ ବାରମ୍ବାର ବଳି ପଡି ଯାଆନ୍ତି। ଅତଏବ ଛୋଟପିଲାଙ୍କୁ ହିସାବକୁ ବା କିଏ ନେଉଛି!
ଟିଭିରୁ ବାରମ୍ବାର ଦୁଷ୍କର୍ମ ଶବ୍ଦ ଶୁଣି ବାପାକୁ ତା’ର କୁନିଝିଅ କହିଲା- ବାପା, ଦୁଷ୍କର୍ମ କ’ଣ? ଝିଅଠାରୁ ଏ ପ୍ରଶ୍ନ ଶୁଣି ତା’ର ମୁଣ୍ଡ ଘୂରିଗଲା। ସିଏ ମନେମନେ ଭାବିଲା ଏ ଟିଭିଟା ପିଲାଟାକୁ ବରବାଦ କରି ଛାଡିବ ଲାଗୁଛି। ସିଏ କହିଲା- ସେଇଟା ଗୋଟେ ବୋମା! ବିପଜ୍ଜନକ ଜିନିଷ। ତୋତେ ସେଥିରୁୁ ମିଳିବ କ’ଣ? ଝିଅ କହିଲା- ନାଇଁ ଟିଭିରେ ବାରମ୍ବାର କହୁଚି ତ ସେଥିପାଇଁ ପଚାରିଲି। ବାପା କହିଲା- ସେ ଗୁଡାକ ବାଜେ କଥା।
ଝିଅ କହିଲା- ବାପା! ଆମ ଘରକୁ ଦୁଷ୍କର୍ମ ଆଣୁନ। ଆମେ ଛାତ ଉପରେ ଫୁଟାନ୍ତେ! ବାପା କହିଲା- ଚୁପ୍‌। ସେଗୁଡା ଆମର କ’ଣ ହେବ? ଝିଅ କହିଲା- ଆମ ଘରେ ଦୁଷ୍କର୍ମ ବୋମା ଫୁଟିଲେ ଲୋକେ ଦେଖନ୍ତେ। ଆମକୁ ଟିଭିରେ ଦେଖାନ୍ତା। ପୋଲିସ ବି ଆମ ଘରକୁ ଆସନ୍ତା। ଆମକୁ ଲୋକେ ଡରି ଯାଆନ୍ତେ! ବାପା କହିଲା- ନାଇଁ ଲୋ ମାଆ, ଆମ ଘର ଜଳିପୋଡି ପାଉଁଶ ହୋଇଯିବ ଯେ। ଝିଅ ପଚାରିଲା- ତା’ ହେଲେ ଯାହା ଘରେ ଦୁଷ୍କର୍ମ ଫୁଟୁଛି ତାଙ୍କ ଘର ବି ଜଳି ପୋଡି ଯାଉଥିବ? ବାପା କହିଲା- ହଁ , ଯାଉଛି! ଝିଅ ପଚାରିଲା- ତା’ ହେଲେ ତ ବହୁତ ଖରାପ! ସେ ବୋମା ତିଆରି କାରଖାନାଟାକୁ ଆଗ ବନ୍ଦ କରାଯାଉନାହିଁ କାହିଁକି? ବାପା କହିଲା- କାରଖାନା ବନ୍ଦ କଲେ କ’ଣ ହେବ ଲୋକେ ପରା ନିଜେ ସେ ବୋମା ତିଆରି କରୁଛନ୍ତି! ଝିଅ କହିଲା- ଶତ୍ରୁ ହୋଇଥିବେ ନିଶ୍ଚୟ! ବାପା କହିଲା- ନାଇଁ ଲୋ ନାଇଁ! ଅଧିକାଂଶ ନିଜ ଲୋକ! ଝିଅ କହିଲା- ତା’ ହେଲେ ଛୋଟ ପିଲା ହୋଇଥିବେ, ଜାଣି ନ ପାରି ଫୁଟେଇ ଦେଉଥିବେ! ବାପା କହିଲା- ନାଇଁ ଲୋ ଝିଅ। ଅଧିକାଂଶ ବଡ଼ଲୋକ। ଝିଅ କହିଲା- ତା’ ହେଲେ ପାଗଳ ହୋଇଥିବେ? ବାପା କହିଲା- ନାଇଁ, ଜାଣିଶୁଣି ଏମିତି ଦୁଷ୍କର୍ମ ବୋମା ବିସ୍ଫୋରଣ କରି ଅନେକ ଜୀବନ ଓ ପରିବାର ଛାରଖାର କରିଥାଆନ୍ତି।
ଝିଅ କହିଲା- ତା’ ହେଲେ ତ ବଡ଼ଲୋକମାନେ ଭାରି ଖରାପ। ମୁଁ ଆଦୌ ବଡ଼ ନ ହୋଇ ଏମିତି ଛୋଟ ହୋଇ ରହି ଯାଇ ପାରନ୍ତି କି? ବାପା କହିଲା- ନା ନା। ଛୋଟ ପିଲା ବୋଲି ତ ଛୋଟ ଶରୀର ଓ ଛୋଟ ସ୍ବରକୁ ଦବେଇ ଦେଇ ହୁଏ। କିନ୍ତୁ ବଡ଼ ହେଲେ ସେ ଚିନ୍ତା ସାମାନ୍ୟ ଦୂର ହୋଇଯାଏ। ଝିଅ କହିଲା- ହେଲେ ବଡ଼ ଝିଅମାନଙ୍କ ଘରେ ତ ଦୁଷ୍କର୍ମ ହେଉଛି। ବାପା କହିଲା- ତୁ ସେ କଥା ଛାଡ। ସେ ବୋମା ଏ ବୋମା ଏକଦମ୍‌ ଅଲଗା। ତୁ ବଡ଼ ହେଲେ ସେ କଥା ଜାଣିପାରିବୁ।
ଝିଅ ପୁଣି ପଚାରିଲା- ହେଲେ ବାପା, ଦୁଷ୍କର୍ମ ଯଦି ଗୋଟେ ବୋମା, ତାହା ଯଦି ଲୋକେ ନିଜେ ଫୁଟେଇ ଏମିତି ହଇରାଣ କରୁଛନ୍ତି, ତା’ ହେଲେ ସେଥିପାଇଁ ସରକାର ଦାୟୀ ହେଲେ କେମିତି? ବାପା କହିଲା- ପ୍ରକୃତରେ ଆମେ ସମସ୍ତେ ଏଥିପାଇଁ ଦାୟୀ। କିନ୍ତୁ ଦୋଷ ଦେବା ଆମର ସ୍ବଭାବ ହୋଇଥିବାରୁ ଆମେ ସବୁଠୁ ସହଜ ଉପାୟରେ ସରକାରକୁ ଦାୟୀ କରିଦେଉଛୁ। ଝିଅ କହିଲା- ବିଜ୍ଞାନ ଓ ଗବେଷଣା ତ ଉନ୍ନତ ହେଲାଣି। ଯେତେ ସବୁ ଦୁଷ୍କର୍ମ ବୋମାଧାରୀ ସମସ୍ତଙ୍କୁ ଏକାଠି ଅଟକ ରଖି ନିଷ୍କ୍ରିୟ କି ଅକାମୀ କରିଦିଆଯାଉ ନାହିଁ କାହିଁକି? ସେମିତି ହେଲେ ଅନେକେ ଆଉ ଏପରି ବିପଜ୍ଜନକ କାମ କରିବାକୁ ଭୟ କରନ୍ତେ! ବାପା କହିଲା- ଉହଁୁ… ସେମିତି କଲେ ମାନବିକ ଅଧିକାର ଉଲ୍ଲଂଘନ ହୋଇଯିବନି! ଝିଅ ପଚାରିଲା- ମାନବିକ ଅଧିକାର ଖାଲି କ’ଣ ବଡ଼ମାନଙ୍କର ଅଛି? ବାପା କହିଲା- ଅଛି ତ ସମସ୍ତଙ୍କ ପାଇଁ। କିନ୍ତୁ ସେମାନେ ସୁବିଧାରେ ତାକୁ ହାସଲ କରିନେଇ ପାରନ୍ତି।
ଝିଅ ପଚାରିଲା- ସତ କହିଲ ପାପା, ଏମିତି ବୋମା ଫୁଟେଇ ଅପରାଧ କରୁଥିବା ଲୋକମାନଙ୍କୁ ଛୋଟ ନ କହି ଆମେ ବଡ଼ ବୋଲି କହି ପୁଣି ଭୁଲ୍‌ କରୁନେ କି? ଝିଅର କଥା ଶୁଣି ବାପା ଆଖିରୁ ଦୁଇଧାର ଲୁହ ବୋହି ଆସିଲା। ସିଏ ମନେମନେ ଭାବିଲା ସତେ ତ, ସତୁରି ବର୍ଷର ବୃଦ୍ଧ ଯିଏ ସାତବର୍ଷର ଝିଅ ସହିତ ଦୁଷ୍କର୍ମ କରୁଛି ତାକୁ କ’ଣ ଆମେ ବଡ଼ ବୋଲି କହିବା? ନିଜର ଚେହେରାର ଉଚ୍ଚତା କ’ଣ ନୀଚକାମକୁ ଲୁଚେଇ ଦେଇ ପାରେ? ଏମାନଙ୍କୁ ସାବାଡ କରିବା ଦାୟିତ୍ୱରେ ଥିବା ପୋଲିସ ମଧ୍ୟ ବଡ଼। ତେଣୁ ତାଙ୍କର ଦୃଷ୍ଟି ଛୋଟ ଉପରେ ପଡିବା ଭାଗ୍ୟର କଥା। ନିଜକୁ ବଡ଼ କହି ଗ୍ରାମର ଭଦ୍ରଲୋକ ବୋଲାଉଥିବା ଲୋକ ଯିଏ ଛୋଟ ପିଲାଟିଏ ସହିତ ହୋଇଥିବା ଦୁର୍ବ୍ୟବହାରକୁ ଦଫାରଫା କରିବାକୁ ବାଧ୍ୟ କରିଥାଆନ୍ତି ତାକୁ କ’ଣ ଆମେ ବଡ଼ ବୋଲି କହିବା? ଯଦି ଏଇମାନଙ୍କୁ ଆମେ ବଡ଼ ବୋଲି କହିବା ତା’ହେଲେ ଏ କଥାକୁ ସ୍ବୀକାର କରିବାକୁ ହେବ କି ଏବେ ଚାରିଆଡେ ବଡ଼ବଡ଼ିଆଙ୍କ ଉପତ୍ାତ ବଢିଯାଇଛି!
ମୋ- ୯୩୩୮୫୮୧୩୦୯, ଇମେଲ୍‌: dr.kulangar@gmail.com


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri