ବଡ଼ବିଲ, ୨୪।୪(ସ.ପ୍ର.)-କେନ୍ଦୁଝର ଜିଲା ବଡ଼ବିଲରେ ଶୁକ୍ରବାର ମଧ୍ୟାହ୍ନରେ କାଳ ବୈଶାଖୀ ସାଙ୍ଗକୁ, ବର୍ଷା, ଘଡଘଡି ଓ ପ୍ରବଳ ମାତ୍ରାରେ କୁଆପଥର ମାଡ଼ ହୋଇଛି। ପ୍ରବଳବେଗରେ ପବନ ଯୋଗୁ ବିଦ୍ୟୁତ ତାର ଛିଣ୍ଡି ସହରରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢ଼େ ବାରଟା ବେଳେ ବଡ଼ବିଲ ଅଞ୍ଚଳରେ ହଠାତ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପ୍ରବଳ ବେଗରେ ପବନ, ବର୍ଷା ସାଙ୍ଗକୁ ବିଜୁଳି, ଘଡଘଡି ଓ କୁଆପଥର ମାଡ଼ ଆରମ୍ଭ ହୋଇଥିଲା। ପ୍ରାୟ ଅଧଘଣ୍ଟାରୁ ୪୫ ମିନିଟ ପର୍ଯ୍ୟନ୍ତ କାଳବୈଶାଖୀ ଅଞ୍ଚଳରେ କରାଳ ରୂପ ଦେଖାଇଛି। ପ୍ରବଳ ବେଗରେ ପବନ ଯୋଗୁ ଅନେକ ଗଛ ଡାଳ ଭାଙ୍ଗି ପଡିଥିବା ବେଳେ, ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡିଯିବା ଯୋଗୁ ସହରରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଯାଇଥିବା ଜଣାପଡିଛି।