ଦରଭଙ୍ଗା,୧୭।୭: ବିହାର ଦରଭଙ୍ଗା ଜିଲା ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବା ବେଳେ ସେଠାକାର ଗାଁଲୋକେ ନିଜ ଉଦ୍ୟମରେ ବାଉଁଶ ପୋଲ ତିଆରି କରିଥିବା ଦେଖିବାକୁ ମିଳିଛି। ଲଗାତାର ମୁଷଳଧାରାରେ ବର୍ଷା ହେବାରୁ ଘରଗୁଡିକରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହେବା ସହ ମୁଖ୍ୟରାସ୍ତାକୁ ଯୋଡୁଥିବା କଙ୍କ୍ରିଟ ପୋଲ ମଧ୍ୟ ଧୋଇ ହୋଇଯାଇଛି। ଗାଁରୁ ସହରକୁ ଯିବା ପାଇଁ ଏହି ରାସ୍ତା ଲୋକଙ୍କ ଲାଗି ଏକମାତ୍ର ସାହାଭରସା। ତେବେ ଏହି ପୋଲ ଧୋଇଯିବାରୁ ଗାଁଲୋକଙ୍କୁ ଯାତାୟାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏନେଇ ଗାଁଲୋକେ ସରକାରୀ ଅଧିକାରୀଙ୍କୁ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ହେଲେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପାଇଁ କେହି ଅଧିକାରୀ ଆସି ନ ଥିଲେ କିମ୍ବା କୌଣସି ସରକାରୀ ସାହାଯ୍ୟ ମଧ୍ୟ ମିଳି ନ ଥିଲା। ଶେଷରେ ଗାଁଲୋକେ ଏକତ୍ରିତ ହୋଇ ନିଜ ଚେଷ୍ଟାରେ ଉକ୍ତ ଗାଁରେ ବାଉଁଶ ପୋଲ ତିଆରି କରିଥିଲେ। ଅପରପକ୍ଷରେ ଲଗାତାର ବର୍ଷାଯୋଗୁ ଡୋଙ୍ଗିଟଲା ଅଞ୍ଚଳର ଘରଗୁଡ଼ିକରେ ପାଣି ପଶି ଯାଇଥିବାରୁ ବ୍ୟାପକ କ୍ଷତି ହେବା ସହ ସାଇତି ରଖିଥିବା ଖାଦ୍ୟ ସବୁ ନଷ୍ଟ ହୋଇଯାଇଛି। ଫଳରେ ସେମାନଙ୍କୁ ବାଧ୍ୟ ହୋଇ ମୂଷାମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପଡ଼ୁଛି। କିଛି ଦିନରୁ ପ୍ରବଳ ବର୍ଷା ଯୋଗୁ ଦରଭଙ୍ଗା, ଆରିଆ, ମଧୁବନୀ ଜିଲାର ବହୁ ଗାଁ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି।