ଗଣିଆ,୧୯ା୫(ଡି.ଏନ.ଏ.)- ଆଜିର ବିଜ୍ଞାନ ଯୁଗରେ ଲୋକମାନେ ପୂର୍ବରୁ ପ୍ରାକୃତିକ ଜଳବାୟୁ ସମ୍ପର୍କରେ ଜାଣିପାରୁଛନ୍ତି। ହେଲେ ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ସମ୍ପର୍କରେ ପଶୁପକ୍ଷୀଙ୍କଠାରୁ ସୂଚନା ମିଳୁଥିଲା। ଯେପରିକି ଭୂମିକମ୍ପ ପୂର୍ବରୁ ମୂଷାମାନେ ଗାତରୁ ବାହାରି ଏଣେତେଣେ ଦୌଡିଥାନ୍ତି। ବନ୍ୟା ଆସିବା ଆଗରୁ ପିମ୍ପୁଡି ଓ ଜନ୍ଦାମାନେ ନିଚ୍ଚସ୍ଥାନରୁ ବାହାରି ଉଚ୍ଚସ୍ଥାନକୁ ଚାଲିଯାଇଥାନ୍ତି। ଘରଚଟିଆର ଧୂଳିଗାଧୁଆ ଦେଖି ଲୋକମାନେ ହଠାତ୍ ବର୍ଷା ହେବାର ପ୍ରାକ୍ ସୂଚନା ପାଇଥାନ୍ତି। ସେହିପରି ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢେଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରିଦେଇଥାଏ। ସେଥିପାଇଁ ବିଗତ ସମୟରେ ବାଇଚଢେଇକୁ ଚାଷୀକୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଇଆସୁଥିଲା ା ବାଇଚଢେଇର ବସା ବାନ୍ଧିବା ଦେଖି ଚାଷୀମାନେ ଚାଷବାସ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ବାଇଚଢେଇ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହାର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ ଏହି ପକ୍ଷୀଟିକୁ କେହି କେହି ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାନ୍ତି। ଏହି ପକ୍ଷୀଟି ନିଜ ଥଣ୍ଟ ସାହାଯ୍ୟରେ ଖଜୁରି, ନଡିଆ ଓ ତାଳପତ୍ରକୁ ଚିରି ପାତି କରି ଅତିସୂଷ୍ମ ଭାବରେ ନିଜର ବସା ତିଆରି କରିଥାଏ। ଯେତେ ଝଡତୋଫାନ ଆସିଲେ ମଧ୍ୟ ବସା ମଧ୍ୟକୁ ପାଣି ଭେଦ କରିପାରି ନ ଥାଏ ା ବିଶେଷକରି ନଡିଆ, ତାଳ ପରି ବହୁ ଉଚ୍ଚ ଗଛ ପତ୍ରର ଅଗ୍ରଭାଗରେ ଏହି ଚଢେଇ ନିଜର ବସା ବାନ୍ଧିଥାଏ। ଏହାଦ୍ୱାରା ସେ ଶତ୍ରୁ ଦାଉରୁ ନିଜକୁ ସୁରକ୍ଷିତ ରଖିଥାଏ ା ବାଇଚଢେଇ ଦୁଇପ୍ରକାର ବସା ତିଆରି କରିଥାଏ। ମାଈ ବାଇଚଢେଇଟି ଯେଉଁ ବସାରେ ଡିମ୍ବ ବା ଛୁଆ ଦେଇଥାଏ ତାହାକୁ ସେ ଏକ ସୁରକ୍ଷିତ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢେଇ ତା’ ବସାକୁ ଏକ ଦୋଳି ସଦୃଶ୍ୟ ତିଆରି କରିଥାଏ। ସୁଲୁସୁଲିଆ ପବନ ବହୁଥିବା ବେଳେ ନଡିଆ, ଖଜୁରି ଓ ତାଳ ଭଳି ଉଚ୍ଚା ଉଚ୍ଚା ଗଛରେ ବାଇଚଢେଇ ବସାରେ ବସି ଦୋହଲୁଥିବା ଦୃଶ୍ୟ ବେଶ୍ ମନୋମୁଗ୍ଧକର। ଏହି ପକ୍ଷୀର ବସା ନିର୍ମାଣ ଶୈଳୀ ସମ୍ପର୍କରେ ଯନ୍ତ୍ରୀ ଓ ବିଜ୍ଞାନୀମାନେ ଏବେ ବି ରିସର୍ଚ୍ଚ ଜାରି ରଖିଛନ୍ତି। ଧୂସର ରଙ୍ଗର ଏହି ଚଢେଇର ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ବସାରେ ବସିଥିବା ବେଳେ ଏହାର କିଚିରିମିଚିରି ଶବ୍ଦ ପ୍ରକୃତିପ୍ରେମୀଙ୍କୁ ବେଶ୍ ଆନନ୍ଦ ଦେଇଥାଏ। ତେବେ ଦିନକୁ ଦିନ ତାଳ, ଖଜୁରି ଓ ନଡିଆ ଗଛ ଲୋପ ପାଉଥିବାରୁ ବାଇଚଢେଇଙ୍କୁ ଆଉ ପୂର୍ବଭଳି ବହୁ ପରିମାଣରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ରୋପଣ କରାଯାଇ ଏମାନଙ୍କ ସଂରକ୍ଷଣ ପାଇଁ ଧ୍ୟାନ ଦିଆଗଲେ ଏହି ଚଢେଇ ବଂଶ ବିସ୍ତାର ହୋଇପାରନ୍ତା ବୋଲି ବହୁ ପ୍ରକୃତିପ୍ରେମୀ ମତପ୍ରକାଶ କରିଛନ୍ତି।