ଅନୁଗୋଳ ଅଫିସ, ୨୬।୮: ଅନୁଗୋଳରେ ରବିବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ସହରର ବିଭିନ୍ନ ରାସ୍ତାରେ ଦୀର୍ଘ ସମୟ ଧରି ବର୍ଷା ପାଣିର ସୁଅ ଛୁଟିଥିଲା। ଏହି ସମୟରେ ଡିଆଇସି ଛକରେ ଥିବା ଉତ୍ତରପଡ଼ା ନୋଡାଲ ବିଦ୍ୟାଳୟ ପରିସର ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡ଼ିଥିଲା। ଏପରି କି ଶ୍ରେଣୀଗୃହ ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା। ତେବେ ସ୍କୁଲ ଛୁଟି ଥିବାରୁ ଛାତ୍ରୀଛାତ୍ର କିମ୍ବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ କୌଣସି ଅସୁବିଧା ହୋଇ ନ ଥିଲେ ବି ଶ୍ରେଣୀଗୃହରେ କାଦୁଅ ପାଣି ଏକ ଅପରିଷ୍କାର ପରିବେଶ ସୃଷ୍ଟି କରିଥିବାରୁ ଏ ନେଇ ଅସନ୍ତୋଷ ଦେଖାଦେଇଛି।
ବିଦ୍ୟାଳୟ ପରିସର, ଶ୍ରେଣୀଗୃହ ଏପରି ଜଳାର୍ଣ୍ଣବ ହୋଇପଡ଼ିବା ସହ ସ୍କୁଲର ବିଭିନ୍ନ ଆସବାବପତ୍ର ପାଣିରେ ଭାସିବା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ବିଦ୍ୟାଳୟର ଚତୁଃପାର୍ଶ୍ୱରେ ଘରମାନ ଗଢ଼ି ଉଠିଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଦିନକୁ ଦିନ ରାସ୍ତା ଉଚ୍ଚ ହେବା ସହ ସେହି ତୁଳନାରେ ସ୍କୁଲ ପରିସରରେ ମାଟି ପଡ଼ୁନାହିଁ। ତେଣୁ ବର୍ଷା ହେଲେ ବିଦ୍ୟାଳୟରେ ପାଣି ପଶୁଛି। ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ସହରରେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ଏପରି ପରିସ୍ଥିତି ଉପୁଜୁଛି। ଅନୁଗୋଳ ପୌରପାଳିକା ଡ୍ରେନ ବ୍ୟବସ୍ଥା କରିବା କଥା। କିନ୍ତୁ ତାହା କରୁ ନ ଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ। ସ୍କୁଲ ସମୟରେ ଏପରି ମୂଷଳ ଧାରାରେ ବର୍ଷା ହେଲେ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଛୁଟି କରିଦେବେ ବୋଲି ପ୍ରକାଶ କରିଛନ୍ତି।