ମୁମ୍ବାଇ,୭।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୩ ଦିନ ପରେ ବି ରାଜ୍ୟରେ ନୂଆ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଭାଜପା ଏବଂ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଭାଗ ଛିଣ୍ଡୁନି। ଏସବୁ ଭିତରେ ରାଜ୍ୟ ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କ ନେତୃତ୍ୱରେ ଭାଜପାର ଏକ ଟିମ୍ ଗୁରୁବାର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କୁ ଭେଟିଛନ୍ତି। ଏନେଇ ଶିବସେନା ନେତା ସଞ୍ଜୟ ରାଓ୍ବତ କହିଛନ୍ତି, ରାଜ୍ୟପାଳଙ୍କୁ ପାଖରୁ ଖାଲି ହାତରେ ଫେରିଛି ଭାଜପା। ଯଦି ଭାଜପା ପାଖରେ ବହୁମତ ଅଛି ତେବେ ସରକାର ଗଢୁ। ଆମେ ଆମ ନିଷ୍ପତ୍ତିରେ କାଏମ ଅଛୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି। ମହାରାଷ୍ଟ୍ର ବିଧାନସଭାର ୨୮୮ଟି ଆସନରୁ ଭାଜପା ୧୦୫ଟି, ଶିବସେନା ୫୬, କଂଗ୍ରେସ ୪୪, ଏନସିପି ୫୪ ଓ ଅନ୍ୟାନ୍ୟ ଦଳ ୨୯ଟି ଆସନରେ ଜିତିଛନ୍ତି। ସରକାର ଗଢ଼ିବା ପାଇଁ ମ୍ୟାଜିକ ନମ୍ବର ୧୪୫ ରହିଛି।