ମହାପ୍ରଭୁଙ୍କ ଉପାସନା ପରମ୍ପରା କେବଳ ଏକ ଉଦାରବାଦୀ ପରମ୍ପରା ନୁହଁ, ମଣିଷ ପଣିଆର ମୂଲ୍ୟବୋଧ ପରମ୍ପରା ମଧ୍ୟ। ଏହାର ରହସ୍ୟ ଭେଦିବା ବଁା ହାତର ଖେଳ ନୁହେଁ, କିନ୍ତୁ ଭେଦି ହେବନି, ସେ କଥା ବି ନୁହେଁ । ଯିଏ ଭେଦିଛି ସେ ପରମ୍ପରା ନିକଟକୁ ଆଉଜି ଆସିଛି। ରାଜା ମାନସିଂହ ଧାମକୁ ଆସିବା ବେଳର କଥା। ଗାଡ଼ିିମୋଟର ନ ଥିଲା। ଫିନିଫିନିଆ ଚଲାରାସ୍ତା ବି ସାତସପନ। ରାସ୍ତାରେ ବହୁ କଥା ଦେଖିଲେ, ମାତ୍ର କେତୋଟି ବୁକୁଥରା ଦୃଶ୍ୟ ତାଙ୍କୁ ଚହଲାଇ ଦେଲା। ଦେଖିଲେ ପେଡ଼ିପୁଟୁଳା ଧରି ତୀର୍ଥକୁ ଆସୁଥିବା ଲୋକେ ବଡ଼ ଦୟନୀୟ ହୋଇ ଠାକୁ ଠା ଥକ୍କା ମାରୁଛନ୍ତି। ନାରଖାର ହୋଇ କେତେଜଣ ଏଠିସେଠି ପଡିଛନ୍ତି। ପାଣି ନାହିଁ, ଖାଇବା ଦରବ ନାହିଁ। ବହୁ ପଥ ପାରି ହେବାକୁ ବହୁଦିନ ଲାଗିବା ବଡ଼କଥା ନୁହଁ। ବଡ଼କଥା ହେଉଛି ରାସ୍ତାରେ ଦୋକାନ ବଜାର ଓ ଖାଇବା ଚିଜ ମିଳିବା। ଆଜିକାଲି ପରି ଦୋକାନ ବଜାର ବାଟରେ ନ ଥିଲା। ନ ଖାଇ ନ ପିଇ କେହି ରୋଗିଣା ହେଲେଣି ତ କେହି ଚାଲିପାରୁ ନାହାନ୍ତି। ବସିଲା ଠୁ ଯିଏ ଉଠିପାରୁନି, ସିଏ ଚାଲିବ ବା କଣ!
ସାଙ୍ଗରେ ଥିବା ରାଜକର୍ମଚାରୀଙ୍କୁ ପଠାଇ ବୁଝିଲେ। ସେମାନେ ବୁଝିଆସି କହିଲେ-ମହାରାଜ! ଏମାନେ ଦିନ ଦିନ ଧରି ଖାଇନାହାନ୍ତି। ଆବୁଡ଼ା ଝଟକା କୂଅ ପୋଖରୀ ମିଳିଲେ ପାଣି ମୁନ୍ଦେ ମୁନ୍ଦେ ପିଇ ମହାପ୍ରଭୁଙ୍କ ଭଜନ ନିଜ ଭାଷାରେ ଗାଇ ଗାଇ ଚାଲିଛନ୍ତି। କେତେଜଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି, ମାତ୍ର କିଛି ଫଳ ନ ହେବାରୁ ଛାଡ଼ି ଚାଲିଯାଉଛନ୍ତି। ସେ ଯେଉଁ କେତେଜଣ ପଡ଼ିଥିବା ଆପଣ ଦେଖିଲେ, ସେମାନେ ମରିଯାଇଛନ୍ତି… ।
ମହାରାଜା ଦୀର୍ଘ ନିଃଶ୍ୱାସଟିଏ ପକାଇଲେ। ତୀର୍ଥରେ ପହଞ୍ଚତ୍ଲେ। ଗୁରୁମଠରେ ଡେରା ପକାଇଲେ। ଗୁରୁ ମଠଟି ହେଉଛି ଉତ୍ତର ପାରଶ (ପାର୍ଶ୍ୱ) ମଠ। ପରଦିନ ମହାପୁରୁଙ୍କ ଦର୍ଶନ ସାରି ଡେରାରେ ପହଞ୍ଚତ୍ ମହନ୍ତ ମହାରାଜାଙ୍କ ସହ କଥା ହେଲେ। ମନ କଥା ପ୍ରକାଶ କଲେ। ସ୍ଥାୟୀ ଭୂସମ୍ପତ୍ତି ଖଞ୍ଜା ଦେଲେ ମଠ ପକ୍ଷରୁ ତୀର୍ଥଯାତ୍ରୀଙ୍କ ଖାଇବା, ପିଇବା ବ୍ୟବସ୍ଥା ହୋଇପାରିବ ବୋଲି ମାହାର୍ଜେ ଭରସା ଦେଲେ।
ନିଜ ଇଲାକା ନୁହଁ। ନିଜ ଜମିଦାରି ବି ନୁହଁ। ଭୂ ସମ୍ପତ୍ତି ସ୍ଥାୟୀ ଭାବରେ ଖଞ୍ଜା ନ ଦେଲେ ବାବାଜୀ ପଞ୍ଝା ଖାଇବେ କଣ, ଖୁଆଇବେ ବା କେମିତି ! ବହୁ ବିଚାର ପରେ ମାହାଲ ବଦଳ ପରମ୍ପରା ଆପଣାଇ ନେଲେ । ନୀଳଗିରି ରାଜା ଶେଷରେ ରାଜି ହେଲେ। ସେଇଠି ଗୋଟିଏ ବିରାଟ ମାହାଲ ଉତ୍ତର ପାର୍ଶ୍ୱ ମାହାର୍ଜାଙ୍କ ମାର୍ଫତରେ ଖଞ୍ଜା ଦେଲେ। ମାହାଜର୍ର୍ ବି ପଛକୁ ହଟିବା ଲୋକ ନୁହଁନ୍ତି। ଜଗନ୍ନାଥ ସଡ଼କରେ ଠାଆକୁ ଠା ରାମାନୁଜୀ ବାବାଜୀ ରହିଲେ। ମରଣାନ୍ତକ ଦୁଃଖରୁ ଲେଉଟାଇ ଆଣିଲେ ତୀର୍ଥଯାତ୍ରୀଙ୍କୁ ।
-ଡ. ସୁରେନ୍ଦ୍ର କୁମାର ମିଶ୍ର