ବାହ୍ୟ ମଳମୁକ୍ତ ଗ୍ରାମ

ବିଚିତ୍ର ବିଶ୍ୱାଳ
ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଣ୍ଟ ଫଳକ ସମସ୍ତଙ୍କ ନଜରରେ ପଡ଼ୁଥିବ ନିଶ୍ଚୟ। ପ୍ରାୟ ଚାରି ଫୁଟ୍‌ ଉଚ୍ଚର ଏହି ସିମେଣ୍ଟ ଫଳକ ଅଧିକାଂଶ ଗାଁର ଆରମ୍ଭ ମୁଣ୍ଡରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ଭଳି ସ୍ଥାନରେ ତିଆରି ହୋଇଛି ଓ ସେଥିରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖା ହୋଇଥାଏ ‘ବାହ୍ୟ ମଳମୁକ୍ତ ଗ୍ରାମ ଆପଣଙ୍କୁ ସ୍ବାଗତ ଜଣାଉଛି’। ଏମିତି ଏକାଧିକ ଗାଁ ଆମ ନଜରରେ ବି ପଡ଼ିଥିଲା ଓ ସ୍ବାଭାବିକ ଭାବେ ଏହା ଆମକୁ ବି ଖୁବ୍‌ ଉତ୍ସାହିତ କରିଥିଲା। ଯାହା ହେଉ ଆମ ରାଜ୍ୟ ତଥା ଦେଶ ନାଁରେ ବାହାରେ ମଳ ତ୍ୟାଗ କରିବାକୁ ନେଇ ଯେଉଁ କଳଙ୍କ ଥିଲା, ସେଥିରୁ ଆମେ ମୁକ୍ତ ହେଉଛୁ ବୋଲି ଗୋଟିଏ ଆଶ୍ୱସ୍ତି ବି ପାଉଥିଲୁ। ତଥାପି ମନ ଭିତରେ ଥିବା ଆଶଙ୍କାକୁ ଦୂର କରିବା ପାଇଁ ଓ ଆଶାକୁ ଆହୁରି ମଜଭୁତ୍‌ କରିବା ପାଇଁ ରାୟଗଡ଼ା ଜିଲାର ବିଷମକଟକ ବ୍ଲକ୍‌ର ଓ ଗଜପତି ଜିଲାର ନୂଆଗଡ଼ ବ୍ଲକ୍‌ର ମୋଟ୍‌ ଚାରୋଟି ଗାଁ ଭିତରକୁ ପରୀକ୍ଷାମୂଳକ ଭାବେ ପଶିଥିଲୁ ଆମେ। କିନ୍ତୁ ଭିତରକୁ ଯାଇ ଦେଖିଲୁ, ବାହାର ବୋର୍ଡ଼ର ଲେଖା ଓ ଗାଁର ପରିସ୍ଥିତି ଜମାରୁ ମେଳ ଖାଉନାହଁି। ଅର୍ଥାତ୍‌ ଗାଁଗୁଡ଼ିକ ଆଦୌ ବାହ୍ୟ ମଳମୁକ୍ତ ନୁହେଁ। ଅର୍ଥାତ୍‌ ଗାଁର ପ୍ରାୟ ନବେ ପ୍ରତିଶତ ଲୋକ ବାହାରକୁ ହଁି ମଳତ୍ୟାଗ କରିବାକୁ ଯାଉଛନ୍ତି। ତା’ହେଲେ ଏହି ଗାଁଗୁଡ଼ିକୁ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରାଗଲା କିପରି? ଏହା କେବଳ କାଗଜ କଲମରେ ଘୋଷଣା ହୋଇନି, ଗାଁ ଆରମ୍ଭରେ ବଡ଼ ସିମେଣ୍ଟ ଫଳକରେ ବି ଏହା ଘୋଷଣା କରାଯାଇଛି। ଏହା କେବଳ ଗୋଟିଏ କିମ୍ବା ଦୁଇଟି ଗାଁର କାହାଣୀ ନୁହେଁ, ଘୋଷଣା ହୋଇଥିବା ଅଧିକାଂଶ ଗାଁର ବାସ୍ତବ ପରସ୍ଥିତି ଏହିପରି। ତା’ପରେ ଆମେ ବୁଝିଲୁ ଯେ, ଯେଉଁ ଗାଁଗୁଡ଼ିକୁ ବାହ୍ୟ ମଳମୁକ୍ତ ବୋଲି ଘୋଷଣା କରାଯାଇଛି, ସେସବୁ ଗାଁରେ ସମସ୍ତଙ୍କ ଘରେ ଶୌଚାଳୟ ତିଆରି ହୋଇଛି। ସମସ୍ତଙ୍କ ଘରେ ଶୌଚାଳୟ ତିଆରି ହୋଇଥିବା ଆଧାରରେ ସେଇ ସବୁ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି। ଏହା ଦିନ ଦିପ୍ରହରରେ କୁହାଯାଉଥିବା ଏକ ଅର୍ଦ୍ଧସତ୍ୟ। ଆମେ ଦେଖିଲୁ, ସେହିସବୁ ଗାଁର ପ୍ରତ୍ୟେକ ଘରେ ତ ଶୌଚାଳୟ ତିଆରି ହୋଇଛି, କିନ୍ତୁ ସେ ଶୌଚାଳୟଗୁଡ଼ିକ ଭିତରେ କେଉଁଠି ଜାଳେଣି କାଠ ରହୁଛି ତ, କେଉଁଠି କୁକୁଡ଼ାମାନେ ରହୁଛନ୍ତି ଓ କେଉଁଠି ତାହାକୁ ବାସନ ଧୋଇବା ପାଇଁ ବ୍ୟବହାର କରାଯାଉଛି। ପ୍ରାୟ ନବେ ପ୍ରତିଶତ ଶୌଚାଳୟ ମଳତ୍ୟାଗ ପାଇଁ ବ୍ୟବହାର ହେଉନି। ଲୋକମାନେ ତାଙ୍କ ଚିରାଚରିତ ଅଭ୍ୟାସ ଅନୁସାରେ ବାହାରକୁ ଅର୍ଥାତ୍‌ ରାସ୍ତା କଡ଼କୁ, ନଦୀ କୂଳକୁ କି ନିକଟସ୍ଥ ପଡ଼ିଆକୁ ମଳତ୍ୟାଗ ପାଇଁ ଯାଉଛନ୍ତି।
୨୦୧୪ରେ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ଆରମ୍ଭ ହେଲାବେଳେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତକୁ ସଂପୂର୍ଣ୍ଣ ଭାବେ ବାହ୍ୟ ମଳମୁକ୍ତ କରାଯିବ। ସ୍ବଚ୍ଛ ଭାରତ ମିଶନ ତଥା ଭାରତକୁ ବାହ୍ୟ ମଳମୁକ୍ତ କରିବାର ସଂପୂର୍ଣ୍ଣ କାମକୁ କେବଳ ଶୌଚାଳୟ ନିର୍ମାଣ ଉପରେ ହଁି କେନ୍ଦ୍ରିତ କରାଗଲା। ୨୦୧୪ରୁ ୨୦୧୯ ମଧ୍ୟରେ ୧୧ କୋଟି ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତର ୯୯ ପ୍ରତିଶତ ଗ୍ରାମ ବାହ୍ୟ ମଳମୁକ୍ତ ହୋଇଛି। ସରକାରୀ ତଥ୍ୟ ଅନୁସାରେ ଆମ ଦେଶର ୫,୫୪,୨୦୯ଟି ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି। ଏଥିମଧ୍ୟରୁ କେବଳ ୨୦୧୮-୧୯ରେ ୨୦,୭୩୦୦ଟି ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି। ସମୁଦାୟ ୧୦,୨୮,୬୭,୨୭୧ଟି ଘରେ ଶୌଚାଳୟ ନିର୍ମାଣ କରାଯାଇଛି ବୋଲି ସରକାରୀ ତଥ୍ୟ କହୁଛି। ଗତ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ ଓଡ଼ିଶାରେ ୪୬,୭୮୫ଟି ଗାଁକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି। ତଥ୍ୟକୁ ନିରୀକ୍ଷଣ କଲେ ବୁଝିହେଉଛି ଯେ, ସରକାରଙ୍କ ଅନୁସାରେ ଓଡ଼ିଶାର ସମସ୍ତ ଗାଁ ଓ ଆମ ଦେଶ ଭାରତର ସମସ୍ତ ଗାଁ ବାହ୍ୟ ମଳମୁକ୍ତ ହୋଇଛି। ସରକାରଙ୍କ ଏହି ଘୋଷଣା କେତେ ବଡ଼ ମିଛ, ଆମେ ନିଜ ନିଜ ଗାଁ ଓ ପଡ଼ୋଶୀ ଗାଁକୁ ଦେଖି ନିଶ୍ଚୟ ବୁଝିପାରିବା। ଏହା ସତ୍ୟ ଯେ, ଶୌଚାଳୟ ନିର୍ମାଣ ହୋଇଛି, କିନ୍ତୁ ତାହା ବ୍ୟବହାର ହେଉନାହଁି। ଲୋକମାନେ ଏବେ ବି ବାହାରେ ମଳତ୍ୟାଗ କରୁଛନ୍ତି। ଶୌଚାଳୟ ନିର୍ମାଣର ଅର୍ଥ ନୁହେଁ ଯେ, ବାହାରେ ମଳତ୍ୟାଗ ବନ୍ଦ ହେବା। ବାହାରେ ମଳତ୍ୟାଗ ବନ୍ଦ ହେବା ଏକ ଅଭ୍ୟାସର ବିଷୟ। ଏହାକୁ ଦୂର କରିବା ପାଇଁ ହେଲେ ଲୋକମାନଙ୍କର ଅଭ୍ୟାସ ଓ ବ୍ୟବହାରର ପରିବର୍ତ୍ତନ ପାଇଁ କାମ କରିବାକୁ ହେବ।
ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ ଏବଂ ସ୍ବଚ୍ଛ ଭାରତ ମିଶନ ଅନୁସାରେ ବାହ୍ୟ ମଳମୁକ୍ତ ଗାଁର ଅର୍ଥ ଗାଁ ଚତୁଃପାର୍ଶ୍ୱରେ ଖୋଲା ଆକାଶ ତଳେ ଆଦୌ ମଳ ପଡ଼ୁ ନ ଥିବ ଏବଂ ଗଁାର ପ୍ରତ୍ୟେକ ପରିବାର ନିରାପଦ ଓ ସ୍ବଚ୍ଛ ଶୌଚାଳୟ ବ୍ୟବହାର କରୁ ନ ଥିବେ। ଏବେ ସରକାର ବିଚାର କରିବା କଥା ଯେଉଁ ସବୁ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯାଇଛି, ସେମାନେ ଏହିସବୁ ମାନଦଣ୍ଡ ପୂରଣ କରୁଛନ୍ତି କି? ଯଦି ନା, ତା’ହେଲେ ସେହି ସବୁ ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଗଲା କିପରି? ସରକାରଙ୍କ ନିୟମ ଅନୁସାରେ ପ୍ରଥମେ ଗ୍ରାମସଭାରେ ଗାଁ ନିଜକୁ ବାହ୍ୟ ମଳମୁକ୍ତ ଘୋଷଣା କରିବେ। ତା’ପରେ ତିନିମାସ ମଧ୍ୟରେ ସେହି ଗାଁରେ ବାହାର ଲୋକ କିମ୍ବା ପ୍ରଶାସନ ଦ୍ୱାରା ପ୍ରଥମ ପର୍ଯ୍ୟାୟର ଏକ ନିରୀକ୍ଷଣ କରାଯିବ। ଏହାର ଛଅମାସ ପରେ ଦ୍ୱିତୀୟ ପର୍ଯ୍ୟାୟର ନିରୀକ୍ଷଣ କରାଯିବ। ତା’ପରେ ସେହି ଗାଁକୁ ବାହ୍ୟ ମଳମୁକ୍ତ ଘୋଷଣା କରାଯିବା କଥା। କିନ୍ତୁ ଦେଖାଯାଉଛି ଯେ, ଅନେକ କ୍ଷେତ୍ରରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିରୀକ୍ଷଣ କରାଯାଉ ନାହଁି। ଯଦି ବି ନିରୀକ୍ଷଣ କରାଯାଉଛି, ତାହା ଅତ୍ୟନ୍ତ ଉପରଠାଉରିଆ ଭାବେ ହେଉଛି, ନଚେତ୍‌ କେବଳ କାଗଜ କଲମରେ ହଁି ହେଉଛି। ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୫୮% ଗ୍ରାମର ପ୍ରଥମ ପର୍ଯ୍ୟାୟ ନିରୀକ୍ଷଣ ହୋଇଛି। ସ୍ବଚ୍ଛ ଭାରତ ମିଶନର ତଥ୍ୟ ଅନୁସାରେ ଓଡ଼ିଶାରେ ସେପ୍ଟେମ୍ବର ୨୬, ୨୦୧୯ ସୁଦ୍ଧା ୨୩,୯୦୨ଟି ଗ୍ରାମରେ ପ୍ରଥମ ପର୍ଯ୍ୟାୟ ନିରୀକ୍ଷଣ ହୋଇଥିବା ବେଳେ ସେପ୍ଟେମ୍ବର ୩୦ ସୁଦ୍ଧା ନିରୀକ୍ଷଣ ହୋଇଥିବା ଗାଁ ସଂଖ୍ୟା ୩୭,୦୦୮ରେ ପହଞ୍ଚତ୍ଥିଲା। ଅର୍ଥାତ୍‌ ମାତ୍ର ଚାରିଦିନ ମଧ୍ୟରେ ପାଖାପାଖି ୧୩,୦୦୦ ଗାଁର ପ୍ରଥମ ପର୍ଯ୍ୟାୟ ନିରୀକ୍ଷଣ କରାଯାଇଥିଲା। ଏଥିରୁ ବୁଝାପଡ଼ୁଛି ଯେ, କେତେ ଆନ୍ତରିକତାର ସହିତ ନିରୀକ୍ଷଣ କାର୍ଯ୍ୟ କରାଯାଇଛି! ସ୍ବଚ୍ଛ ଭାରତ ମିଶନର ନିଜସ୍ବ ତଥ୍ୟ ଅନୁସାରେ ସମଗ୍ର ଦେଶରେ ମାତ୍ର ୨୪% ଗାଁରେ ହଁି ଦ୍ୱିତୀୟ ପର୍ଯ୍ୟାୟର ନିରୀକ୍ଷଣ ହୋଇଛି, ଯାହା କି ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା କରିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମୁଦାୟ ଘଟଣାରୁ ଗୋଟିଏ କଥା ବୁଝାପଡ଼ୁଛି ଯେ, ପ୍ରକୃତ ଅର୍ଥରେ ଗାଁକୁ ବାହ୍ୟ ମଳମୁକ୍ତ କରିବା ଅପେକ୍ଷା ବାହ୍ୟ ମଳମୁକ୍ତ ଘୋଷଣା କରିବାରେ ସରକାର ଅଧିକ ତପତ୍ରତା ପ୍ରକାଶ କରୁଛନ୍ତି।
ଏହା ସତ୍ୟ ଯେ, ବାହାରେ ମଳତ୍ୟାଗ କରିବା ଏକ ଲଜ୍ଜାକର ବିଷୟ। ଏଥିପାଇଁ ଆମ ଗାଁଗୁଡ଼ିକୁ ତଥା ଦେଶକୁ ବାହ୍ୟ ମଳମୁକ୍ତ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ବର୍ତ୍ତମାନ ସମୟର ଆହ୍ବାନ। କିନ୍ତୁ ଏହାକୁ କେବଳ ଅନ୍ୟକୁ ଦେଖାଇବା ପାଇଁ ବା କାଗଜ କଲମରେ କରିଲେ ହେବନାହଁି। ଏଥିପାଇଁ ନିଷ୍ଠାପରଭାବେ ସରକାରୀ କଳକୁ ଲାଗିବାକୁ ପଡ଼ିବ। ଏହି ନିଷ୍ଠାକୁ କେବଳ ଶୌଚାଳୟ ନିର୍ମାଣରେ ସୀମିତ ନ ରଖି ଲୋକମାନଙ୍କର ଅଭ୍ୟାସ ଓ ବ୍ୟବହାରରେ ବି ପରିବର୍ତ୍ତନ କରିବାକୁ ପଡ଼ିବ। ସରକାରଙ୍କ ସହିତ ଲୋକମାନେ ମଧ୍ୟ ଏଥିପାଇଁ ଆଗେଇ ଆସିବାକୁ ପଡ଼ିବ।
ଭିରଙ୍ଗ ତିରଣ, ଜଗତ୍‌ସିଂହପୁର, ମୋ- ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri