କୁକୁଡ଼ାଖଣ୍ଡି, ୯।୩(ଡି.ଏନ୍.ଏ.)- ସଦର ଥାନା ଗୁଠବନ୍ଧ ଗାଁ’କୁ ଲାଗିଥିବା ପରିବା ଖେତରେ ଘେରାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଦୁର୍ଯ୍ୟୋଧନ ମଳିକ(୪୨)। ଏଥିରେ ଆହତମାନେ ହେଲେ ସଦାନନ୍ଦ ଷଣ୍ଢ, କାଲୁ ବିଶୋୟୀ, ବାବୁଲା ପାତ୍ର ଓ ଜିତେନ୍ଦ୍ର ଦଳାଇ ।
ପ୍ରକାଶ ଯେ, ଜଣେ ବ୍ୟକ୍ତି ବାର୍ହା ଉପଦ୍ରବରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଜମି ଚାରିପଟେ ତାର ଲଗାଇ ରାତିରେ ବିଦ୍ୟୁତ୍ ସଂଯୋଗ କରିଥିଲେ। ସେହି ଜମିକୁ ଲାଗି ଅନ୍ୟ ଏକ ବିଲରେ କିଛି ଲୋକ ବିରି ଚାଷ କରିଥିଲେ। ବିରି ଖେତରୁ ବାର୍ହାକୁ ଘଉଡ଼ାଇବାକୁ ୫ଜଣ ବ୍ୟକ୍ତି ରାତିରେ ସେଠାକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୨ଟାରେ ସେଠାରୁ ଫେରିବା ବେଳେ ସେମାନେ ପରିବା ଖେତରେ ଲାଗିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ପାଟି ଶୁଣି ଗଁା ଲୋକେ ପହଞ୍ଚତ୍ ଦେଖିଲା ବେଳକୁ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ଘଟିଯାଇଥିଲା। ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ପୋଲିସକୁ ଖବର ଦିଆଯାଇଛି। ବିଦ୍ୟୁତ୍ ତା’ର ସଂସ୍ପର୍ଶରେ ଆସି ଗୋଟିଏ କୁକୁର ମଧ୍ୟ ମରିଯାଇଥିବା ଜଣାପଡ଼ିଛି।