ଭଞ୍ଜନଗର,୧୫।୫(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଶିକ୍ଷକମାନେ ବିନା ସୁରକ୍ଷାରେ ପାଳି କରି ସଙ୍ଗରୋଧ କେନ୍ଦ୍ର ଜଗୁଛନ୍ତି। କେତକ ସ୍କୁଲରେ ପାଚେରୀ ନ ଥିବାବେଳେ ଆଉକେତେକ ସ୍କୁଲରେ ପରିମଳ ବ୍ୟବସ୍ଥା, ଭିତ୍ତିଭୂମି ନ ସଜାଡି ଲୋକଙ୍କୁ ନେଇ ରଖାଯାଇଛି। ସ୍କୁଲ ଗୁଡ଼ିକରେ ଥିବା ପାଇଖାନାକୁ ସେଠାରେ ରହୁଥିବା ଲୋକେ ବ୍ୟବହାର କରୁଛନ୍ତି। କିନ୍ତୁ ଶିକ୍ଷକମାନଙ୍କ ପାଇଁ ଏନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ। ଶିକ୍ଷକମାନେ ଘଣ୍ଟାଘଣ୍ଟା ଧରି ରହୁଥିବାବେଳେ ଶୌଚାଳୟ ଯିବାରେ ଅସୁବିଧା ହେଉଛି। ପୋଲିସ କିମ୍ବା ସୁରକ୍ଷା କର୍ମଚାରୀ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ୨୪ ଘଣ୍ଟିଆ ନିୟୋଜିତ ହେଉନାହାନ୍ତି। ତେଣୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ଶିକ୍ଷକ ସଂଘ ଦାବି କରିଛି। ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଏନେଇ ଜିଲାପାଳଙ୍କୁ ଶୁକ୍ରବାର ଚିଠି ମାଧ୍ୟମରେ ଅବଗତ କରାଯାଇଛି। ସଂଘର ସାଧାରଣ ସମ୍ପାଦକ ସୁଜିତ କୁମାର ସ୍ବାଇଁ ଏଠାରେ କହିଛନ୍ତି ଯେ, ଶିକ୍ଷକମାନେ ଅସୁରକ୍ଷିତ ଭାବେ ସଙ୍ଗରୋଧ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି। ତେଣୁ ପ୍ରଶାସନ ଏନେଇ ଆବଶ୍ୟକ ପଦକ୍ଷେପ ନେଉ।