ନାଉଗାଁ,୧ା୫(ସ୍ବ.ପ୍ର.): ଉପକୂଳବର୍ତୀ ଜିଲାଗୁଡିକରେ ଆଜି ମଧ୍ୟ ଲୋକେ ବାତ୍ୟା ନାଁ ଶୁଣିଲେ ଭୟଭୀତ ହୋଇପଡ଼ନ୍ତି। ୧୯୯୯ ମହାବାତ୍ୟା ପରେ ଅନ୍ୟ କୌଣସି ବାତ୍ୟାରେ ଯଦିଓ ସେଭଳି ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ, ତଥାପି ମଧ୍ୟ ଲୋକେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥାନ୍ତି। ବାତ୍ୟାଜନୀତ ବର୍ଷା ଓ ପବନରେ କେବଳ ଜନସାଧାରଣ ନୁହନ୍ତି, ଗୃହପାଳିତ ପ୍ରାଣୀ ମଧ୍ୟ ବହୁ ସମସ୍ୟା ଭୋଗିଥାନ୍ତି। ତେଣୁ ପରିସ୍ଥିତି ମୁକାବିଲା ପାଇଁ ୧୯୯୯ ପରେ ବିଭିନ୍ନ ଗ୍ରାମରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୃହପାଳିତ ପ୍ରାଣୀ ଓ ଜନସାଧାରଣଙ୍କୁ ନିରାପଦ ଆଶ୍ରୟ ଦେବା। କିନ୍ତୁ ନାଉଗଁା ବ୍ଲକରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଛି। ଏଠାରେ ଆଶ୍ରୟ ନେବା ଆଉ ନିରାପଦ ମନେହେଉନି। ଏହି ବ୍ଲକ କୋରୁଅ ପଞ୍ଚାୟତ ଶୁଆକଣ ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ହେଉଛି ସେଥିମଧ୍ୟରୁ ଗୋଟିଏ। ମହାବାତ୍ୟା ପରେ ଓଡ଼ିଶା ସରକାର ଓ ମହାରାଷ୍ଟ୍ର ସରକାରଙ୍କ ମିଳିତ ସହାୟତାରେ ଏହା ନିର୍ମିତ ହୋଇଥିଲା। କିନ୍ତୁ ନିର୍ମାଣ ପରଠାରୁ ଯେତେଥର ବାତ୍ୟା ହେଲାଣି ଗୋଟିଏ ଦିନ ବି ଏଠାରେ କେହି ଆଶ୍ରୟ ନେଇ ନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗ୍ରାମ ଚତୁଃପାର୍ଶ୍ୱରେ ଦେବୀ ନଦୀ ଘେରି ରହିଛି। ତେଣୁ ବନ୍ୟାରେ ମଧ୍ୟ ଏହି ଗ୍ରାମ ପ୍ରଭାବିତ ହୋଇଥାଏ। ଉକ୍ତ ବାତ୍ୟା ଆଶ୍ରୟସ୍ଥଳୀ ଛାତରୁ ପ୍ଲାଷ୍ଟର ଖସିବା ସହ ଲାଗିଥିବା ଝରକା, କବାଟ ଆଦି ନଷ୍ଟ ହୋଇଗଲାଣି। ନିମ୍ନମାନର କାର୍ଯ୍ୟ ଯୋଗୁ ଆଶ୍ରୟସ୍ଥଳୀ ନିର୍ମାଣର ଅଳ୍ପ ଦିନ ମଧ୍ୟରେ ତାହା ବିପର୍ଯ୍ୟସ୍ତ ହୋଇପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଦୀର୍ଘବର୍ଷ ଧରି ତାହା ବନ୍ଦ ହୋଇ ରହିଛି। ବାତ୍ୟା ଆସୁଥିବା ସୂଚନା ମିଳିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଉକ୍ତ ଆଶ୍ରୟସ୍ଥଳୀ ଥରଟିଏ ବି ଖୋଲାଯାଇନାହିଁ। ସେହିପରି ବନ୍ୟା, ବାତ୍ୟା ସମୟରେ ଲୋକେ କିପରି ପ୍ରସ୍ତୁତ ରହିବେ, ନିଜକୁ ସୁରକ୍ଷା ଦେବା ସହ ଅନ୍ୟକୁ କିପରି ସାହାଯ୍ୟ କରିପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ତାଲିମ ପ୍ରଦାନ କରାଯାଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଉକ୍ତ ଆଶ୍ରୟସ୍ଥଳୀ ପୁନରୁଦ୍ଧାର ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ନାଉଗଁା ବିଡିଓ ରଶ୍ମିରେଖା ମଲିକଙ୍କୁ ପଚାରିବାରେ ଉକ୍ତ ବାତ୍ୟା ଆଶ୍ରୟସ୍ଥଳୀ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି।