ବିଶ୍ୱ ପରିବେଶ ଦିବସ ପ୍ରତିଶ୍ରୁତିବଦ୍ଧ ପରିବେଶ ସଂରକ୍ଷଣ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ। ବିଶ୍ୱ ପରିବେଶ ଦିବସ ୧୯୭୨ରୁ ଆରମ୍ଭ ହୋଇ ଅଦ୍ୟାବଧି ମିଳିତ ଜାତିସଂଘର ଏକ ଅଗ୍ରାଧିକାର କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱବ୍ୟାପୀ ପରିବେଶ ସଚେତନତା, ଦାୟିତ୍ୱବୋଧ ସୃଷ୍ଟି କରିବା ସହ ରାଜନୈତିକ ଦୃଷ୍ଟି ଆକର୍ଷଣ ଓ ଆଗାମୀ ପରିବେଶ ସୁରକ୍ଷା ଦିଗରେ ନେବାକୁ ଥିବା ବିଭିନ୍ନ ପଦକ୍ଷେପ ପାଇଁ ଉତ୍ସାହିତ କରାଯାଏ। ଏହି ଦିବସ ମାଧ୍ୟମରେ ମିଳିତ ଜାତିସଂଘ ପରିବେଶଭିତ୍ତିକ କାର୍ଯ୍ୟକ୍ରମ ତଥା ଆନୁଷଙ୍ଗିକ ସମସ୍ୟାଗୁଡ଼ିକୁ ଆଞ୍ଚଳିକସ୍ତରରେ ଚିହ୍ନଟ କରି ସମସ୍ତଙ୍କୁ ଅନୁଭବରେ କେବଳ ଦାୟିତ୍ୱ ସମ୍ପନ୍ନ କରାଇ ନାହିଁ, ବରଂ ପରିବର୍ତ୍ତନର ପ୍ରତିକାର ଭାବେ ଦୀର୍ଘସ୍ଥାୟୀ ତଥା ସମୟୋପଯୋଗୀ ବିକାଶ ପାଇଁ ଶକ୍ତିଶାଳୀ ପଦକ୍ଷେପ ନେବାକୁ ସମର୍ଥ କରାଯାଇଛି।
ଚଳିତ ବର୍ଷ ପାଇଁ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ହେଉଛି ”ଜୈବବିବିଧତା“। ଏହି ପ୍ରସଙ୍ଗଟି ଜୈବବିବିଧତାର ସୁରକ୍ଷା ବିଷୟରେ ସୂଚିତ କରୁଛି।
ଜୈବବିବିଧତା ହେଉଛି ପ୍ରାକୃତିକ ସମ୍ପଦର ଗନ୍ତାଘର। ମନୁଷ୍ୟ ସହିତ ପରିସଂସ୍ଥାରେ ଥିବା ସବୁ ଜୈବିକ ଓ ଅଜୈବିକ ପଦାର୍ଥ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ସମଗ୍ର ପୃଥିବୀର ୧୨ଟି ଜୈବବିବିଧତା ଦେଶ ମଧ୍ୟରେ ଭାରତ ଅନ୍ତର୍ଭୁକ୍ତ। ଜୈବବିବିଧତା ବା ପ୍ରକୃତି ଏବଂ ମନୁଷ୍ୟ ପରସ୍ପରର ପରିପୂରକ। ପ୍ରାଣୀଜଗତର ଶ୍ରେଷ୍ଠଜୀବ ମନୁଷ୍ୟ ହିଁ ପ୍ରକୃତିର ସୁରକ୍ଷା କରିପାରିବ। ଜୀବଜଗତର ସ୍ଥିତି ତଥା ପରିବେଶ ସମୁଚିତ ପାଇଁ ଜୈବବିବିଧତାର ସଂରକ୍ଷଣ ଏକାନ୍ତ ଭାବେ ଆବଶ୍ୟକ।
ମଣିଷ ତା’ର ସୁଖ ପାଇଁ ପ୍ରକୃତିର କ୍ଷତି ନ କରିବା ଉଚିତ୍। ପ୍ରାକୃତିକ ସମ୍ପଦ ଓ ପରିବେଶର ସନ୍ତୁଳନ ପାଇଁ ଅଧିକ ଯତ୍ନବାନ ହୋଇ ସଂକଳ୍ପବଦ୍ଧ ଭାବରେ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ହେତୁ ବିବିଧତାର ଅବକ୍ଷୟ ଦେଖାଦେଇଛି। ତଦ୍ୱାରା ପ୍ରାୟ ୧୦୦ଗୁଣ ପକ୍ଷୀ, ପଶୁ, ସ୍ତନ୍ୟପାୟୀ, ଉଭୟଚର ପ୍ରାଣୀ ବଂଶ ନାଶ ହୋଇଗଲାଣି। ଏହି ପରିମାଣ ପ୍ରାକ୍-ଶିଳ୍ପ ସମୟଠାରୁ ପ୍ରାୟ ୧୦୦୦ଗୁଣ ଅଧିକ ପଡୁଛି। ଗରିବ ଜନସାଧାରଣ ପ୍ରାକୃତିକ ସମ୍ପଦ ଉପରେ ଅଧିକ ନିର୍ଭର କରୁଥିବାରୁ ସେମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡୁଛି। ପୃଥିବୀରେ ଅବକ୍ଷୟ ଧାରା ଅବିଶ୍ରାନ୍ତ ଭାବରେ ଚାଲୁ ରହିଲେ, ଏ ଗ୍ରହଟି ଅଧିକ ଦିନ ତିଷ୍ଠି ରହିପାରିବ ନାହିଁ। ଭବିଷ୍ୟତ ପିଢ଼ିର ଅଧିକାରକୁ ଦୃଷ୍ଟିରେ ରଖି ଆମକୁ ଦୀର୍ଘସ୍ଥାୟୀ ଜୀବନଯାପନ ଶୈଳୀ ଆପଣେଇବାକୁ ପଡ଼ିବ। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ସମସ୍ତେ ପରିବେଶ ସୁରକ୍ଷା ଓ ପ୍ରକୃତିର ସଂରକ୍ଷଣ ଦିଗରେ ପ୍ରତିଶ୍ରୁତିବଦ୍ଧତାକୁ ସହୃଦୟତାର ସହିତ କାର୍ଯ୍ୟ କରିବା ଲାଗି ନିଷ୍ପତ୍ତି ନେବା ଦରକାର।
ଡ. ଆଶୁତୋଷ ଦେବତା
– ନିର୍ଦ୍ଦେଶକ,
ସେଣ୍ଟର ଫର୍ ଏନ୍ଭାଇରନ୍ମେଣ୍ଟାଲ ଷ୍ଟଡିଜ୍,
ଜଙ୍ଗଲ ଓ ପରିବେଶ ବିଭାଗ, ଓଡ଼ିଶା ସରକାର