ନୂଆଦିଲ୍ଲୀ, ୧୩ା୧୧: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବେଅନ୍ତ ସିଂଙ୍କ ହତ୍ୟାକାରୀ ବଲଓ୍ବନ୍ତ ସିଂ ରାଜୋଆନାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରାଯାଇଛି। ୧୯୯୫ ଅଗଷ୍ଟ ୩୧ରେ ବେଅନ୍ତ ସିଂଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୨୦୦୭ ଅଗଷ୍ଟ ୧ରେ ପଞ୍ଜାବ ପୋଲିସର ପୂର୍ବତନ କନଷ୍ଟେବଳ ତଥା ବାବର ଖାଲ୍ସା ଆତଙ୍କବାଦୀ ବଲଓ୍ବନ୍ତ(୫୨)ଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ବଲଓ୍ବନ୍ତ ଏବେ ପଟିଆଲା ଜେଲରେ କାରାଦଣ୍ଡ ଭୋଗୁଛନ୍ତି। ତାଙ୍କର ମୃତ୍ୟୁ ଦଣ୍ଡାଦେଶକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜୀବନ କାରାଦଣ୍ଡାଦେଶରେ ପରିବର୍ତ୍ତିତ କରାଯାଇଛି। ଏନେଇ ମଙ୍ଗଳବାର ପଞ୍ଜାବ ସରକାରଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଛି।